ନୂଆ ମୋଡରେ କୁନ୍ଦୁଲି ଗଣଦୁଷ୍କର୍ମ: ସମ୍ପର୍କୀୟ ଭାଇ ଉପରେ ସନ୍ଦେହ, ଏକତରଫା ପ୍ରେମ କରୁଥିଲେ କି ?

ଭୁବନେଶ୍ୱର/ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣବଳାତ୍କାରୀଙ୍କୁ ଆଜିପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୋଲିସ ଅଟକ ରଖିଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ନାବାଳକୁ ଆଜି ଲାଇ ଡିଟେକ୍ସନ୍‌ ଟେଷ୍ଟ କରିଛି। ଭୁବନେଶ୍ୱର ଫୋରେନସିକ୍ ସାଇନ୍ସ ଲ୍ୟାଲ୍‌ରେ ଚାଲିଥିବା ଲାଇ ଡିଟେକ୍ସନ ଷ୍ଟେଟ୍‌ ବେଳେ ନାବାଳକକୁ ଦୀର୍ଘ ୫ରୁ ୬ ଘଣ୍ଟା ଧରି ଏକ୍ସପର୍ଟମାନେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଖୋଦ୍‌ କ୍ରାଇମବ୍ରାଞ୍ଚ ଆଇଜି ଅସିତ ପାଣିଗ୍ରାହୀ ମଧ୍ୟ ଲ୍ୟାବ୍‌ରେ ଉପସ୍ଥିତ ଥିଲେ। ସନ୍ଦିଗ୍ଧ ନାବାଳକ ଜଣକ ପୀଡ଼ିତାଙ୍କର ସଂପର୍କୀୟ ଭାଇ ତଥା ପୀଡ଼ିତା ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିବା ସନ୍ଦେହ କରାଯାଉଛି। ଘଟଣା ଦିନ ଛାତ୍ରୀ ଜଣକ କୁନ୍ଦୁଲିରୁ ଫଟୋ ଉଠାଇ ଫେରିବା ବେଳେ ମାଳିର୍ମାଲାଠାରୁ ସନ୍ଦିଗ୍ଧ ସହ ବାଇକରେ ଆସିଥିବା ସନ୍ଦେହ କରାଯାଉଛି। ପୋଲିସ ଏବେ ଏହି ଦିଗ ଉପରେ ତଦନ୍ତ କରୁଛି।

ଲାଇ ଡିଟେକ୍ସନ ଟେଷ୍ଟ ବେଳେ ସନ୍ଦିଗ୍ଧକୁ ୫୦ରୁ ୬୦ଟି ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। କିଛି ପ୍ରଶ୍ନ ଏଭଳି- ଘଟଣା ଦିନ ପୀଡ଼ିତାଙ୍କୁ ଭେଟିଥିଲ କି? ଘରକୁ ଫେରିବା ବେଳେ ଆଉ କେଉଁଆଡ଼େ ଯାଇଥିଲ ନା ନାହିଁ? ଆଗରୁ ଆଉ କେତେଥର ପୀଡ଼ିତାଙ୍କୁ ବୁଲାଇବାକୁ ନେଇଛ? ସେଦିନ ଗାଁକୁ ଫେରିବା ବେଳେ ପ୍ରକୃତରେ ରାସ୍ତାରେ କ’ଣ ଘଟିଥିଲା? ଅଭିଯୁକ୍ତମାନେ ସୁରକ୍ଷା ବାହିନୀ ଯବାନ ୟୁନିଫର୍ମରେ ଥିବା ପୀଡ଼ିତା ଅଭିଯୋଗ କରିଥିଲେ, ଏ ସଂପର୍କରେ କିଛି ଜାଣିଛ କି? ପୀଡ଼ିତା ସହ ତୁମର ଏକତରଫା ପ୍ରେମ ଥିଲା କି?

ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି-“ତଦନ୍ତ ଆଗେଇଛି। ସନ୍ଦେହ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା ଚାଲିଛି। ମାଓବାଦୀ ହେଉ ବା ସୁରକ୍ଷା କର୍ମୀଙ୍କ ସମ୍ପୃକ୍ତିକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମିଳିନାହିଁ।”

କଂଗ୍ରେସର ପଦଯାତ୍ରା

କୁନ୍ଦୁଲି ବଳାତ୍କାରୀଙ୍କ ଗିରଫ ଦାବି ଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କରିଥିବା ପଦ ଯାତ୍ରା ଆଜି ହେଉଛି ଦ୍ୱିତୀୟ ଦିନ। ଶେଷ ଦିନରେ ମୂଷାଗୁଡ଼ାରୁ ବାହାରିଥିବା ଏହି ପଦଯାତ୍ରା କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ୍ ନିକଟରେ ପହଞ୍ଚିଥିଲା। ପରେ କଂଗ୍ରେସ୍ ନେତା ଓ କର୍ମୀ ପ୍ରତିବାଦ ସଭା କରିଥିଲେ।

ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି-“ପୀଡ଼ିତାଙ୍କୁ ନ୍ୟାୟ ଦରକାର। ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ।