କୋରାପୁଟ: ପୋଲିସ୍ ଇନଫର୍ମର ସନ୍ଦେହରେ ପୁଣି ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

କୋରାପୁଟ: ରାଜ୍ୟରେ ମାଓ ମୁକାବିଲା ନେଇ ଶୁକ୍ରବାର ପୋଲିସ ଅଧିକାରୀଙ୍କ ବୈଠକ ବସିବାର ୨୪ ଘଣ୍ଟା  ନ ପୂରୁଣୁ ମାଓବାଦୀମାନେ ପୁଣି ସୁରକ୍ଷାବାହିନୀକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି। ଆଜି ପୁଣି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ହିଂସା ଦେଖିବାକୁ ମିଳିଛି। ବନ୍ଧୁଗାଁ ବ୍ଳକ୍ କାବିରିବାଡି ପଞ୍ଚାୟତ କୋଣ୍ଡାଟିକରପଡ଼ା ଗାଁର ପୂର୍ବତନ ନାଏବ ସରପଞ୍ଚ ତଥା ୱାର୍ଡ ମେମ୍ୱରଙ୍କୁ ଶୁକ୍ରବାର ରାତିରେ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କ୍ରିଷ୍ଣା ମିନିଆକା। କ୍ରିଷ୍ଣାଙ୍କୁ ମାଓବାଦୀମାନେ ଘରୁ ଡ଼ାକିନେଇ ଜଙ୍ଗଲରେ ଗଳାକାଟି ହତ୍ୟା କରିଛନ୍ତି। ମୃତ ଶରୀର ନିକଟରେ ଏକ ତେଲୁଗୁ ଭାଷାରେ ଲେଖାଯାଇଥିବା ଚିଠି ମିଳିଛି। ପୋଲିସ ଇନଫର୍ମର ସନ୍ଦେହରେ କ୍ରିଷ୍ଣାଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ମାଓବାଦୀମାନେ ବୋରିଗି ଗାଁର ରୋହିଣୀ ନାଚିକା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଗୁରୁବାର ରାତିରେ ଗଳାକାଟି ହତ୍ୟା କରିଥିଲେ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଓ ହିଂସା ବଢ଼ିଚାଲିଛି । ଗତ ଡିସେମ୍ୱର ମାସରେ ଜିଲ୍ଲାର ବୈପାରିଗୁଡାରେ ମାଓବାଦୀମାନେ ତିନି ତିନୋଟି ମୋବାଇଲ୍ ଟାୱାର ଉଡ଼ାଇ ଦେଇଥିଲେ। ଚଳିତମାସରେ ବୈପାରିଗୁଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ବିଏସଏଫ୍ ଯବାନ ସହିଦ ହୋଇଥିଲେ। ମାଲକାନଗିରିରେ ବି ୨୪ ଘଣ୍ଟାରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିଥିଲେ । ଗତ ଗୁରୁବାର ରାତିରେ ମାଓବାଦୀମାନେ ନାରାୟଣପାଟଣାରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଥିଲେ। କିଛି ଦିନ ତଳେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ୍ କମିଟିର ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ନାଚିକା ଲିଙ୍ଗା ହାତ ଛାଡ଼ିବା ପରେ ନାରାୟଣପାଟଣାରେ ସଂଗଠନ ଦୁର୍ବଳ ହେଉଥିବା କୁହାଯାଇଥିଲା। ପରେ ଏଇସବୁ ଅଞ୍ଚଳରେ ସଂଗଠନକୁ କିଭଳି ମଜଭୁତ କରାଯିବ ସେନେଇ ରଣନିତୀ ବି ପ୍ରସ୍ତୁତ କରିଥିଲା ଲାଲବାହିନୀ।