ଦୁର୍ନୀତି ପ୍ରସଙ୍ଗ ଉଠାଇ ତାରା ବାହିନୀପତିଙ୍କ ଭଙ୍ଗାରୁଜା, କୋରାପୁଟ ଜିଲ୍ଲା ପରିଷଦ ବୈଠକ ବାତିଲ

koraputକୋରାପୁଟ: ଆଜି ବସିଥିଲା କୋରାପୁଟ ଜିଲ୍ଲା ପରିଷଦର ୪୩ତମ ବୈଠକ। ତେବେ ବୈଠକରେ ସୃଷ୍ଟି ହୋଇଥିଲା ଅଭାବନୀୟ ପରିସ୍ଥିତି। ଭଙ୍ଗାରୁଜା ଓ ପ୍ରଶାସନ ବିରୋଧୀ ନାରାବାଜିରେ କମ୍ପିଥିଲା ବୈଠକ ଗୃହ। ଜୟପୁର ବିଧାୟକ ତଥା ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବୈଠକରେ ଭଙ୍ଗାରୁଜା ଓ ଫିଙ୍ଗା ଫୋପଡ଼ା କରିଥିଲେ। ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ସେ ଭଙ୍ଗାରୁଜା କରିଥିଲେ। ଫଳରେ ବୈଠକ ଅଧାରୁ ବାତିଲ ହୋଇଯାଇଥିଲା।

କୋରାପୁଟ ସ୍ଥିତ ସଦଭାବନା ଗୃହରେ ଦିନ ସାଢ଼େ ୧୧ଟାରେ ଆରମ୍ଭ  ହୋଇଥିଲା ଜିଲ୍ଲା ପରିଷଦ ବୈଠକ। ବିରୋଧୀ କଂଗ୍ରେସ ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଅନୁପସ୍ଥିତିରେ ବୈଠକ ଆରମ୍ଭ ହୋଇଥିଲା। ୧୫ ମିନିଟ୍ ବିଳମ୍ବରେ ଆସି ବୈଠକରେ ପହଞ୍ଚିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସଭା ଗୃହରେ ପଶିବା ମାତ୍ର ସେ ପ୍ରଶ୍ନ କରିଥିଲେ ଯେ ବିରୋଧୀ ସଭ୍ୟ ଓ ବିଧାୟକଙ୍କ ବିନା ବୈଠକ କିପରି ଆରମ୍ଭ ହେଲା। ଏହା ପରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସଂପର୍କରେ ପ୍ରଶ୍ନ କରିଥିଲେ। ଜିଆରଏସମାନେ ମନରେଗା ଅର୍ଥ ହଡ଼ପ କରୁଥିବା, ପ୍ରଶାସନିକ ଅଧିକାରୀମାନେ ସବୁ ଉନ୍ନୟନମୂଳକ କାମରେ ୨୨% ପିସି ନେଉଥିବା ଆଦି ଅଭିଯୋଗ କରିବା ସହିତ ପ୍ରଶାସନିକ ସ୍ଥାଣୁତା ଉପରେ ପ୍ରଶ୍ନ କରିଥିଲେ।

ଏହା ପରେ ସେ ଟେବୁଲ ଉପରେ ଥିବା ଜଳଖିଆ ପ୍ଲେଟ୍, ପାଣି ବୋତଲ ସହିତ ମାଇକ୍ ଷ୍ଟାଣ୍ଡ୍ ଆଦି ଫୋପାଡ଼ି ଦେବା ସହିତ ଭଙ୍ଗାରୁଜା କରିଥିଲେ। ଜିଲ୍ଲାର ଅଧିକାରୀମାନେ ସବୁ କାମରେ ୨୨% ପିସି ନେଉଛନ୍ତି ବୋଲି ଅଭିଯୋଗ କରି ସେ ନାରାବାଜି କରିଥିଲେ। ତାଙ୍କ ସହ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲସିକା ମଧ୍ୟ ଉପସ୍ଥିତ ରହି ନାରାବାଜି କରିଥିଲେ। ଏହାପରେ କଂଗ୍ରେସ ସଭ୍ୟମାନେ ବୈଠକକୁ ବର୍ଜନ କରି ଚାଲି ଯାଇଥିଲେ।

ବୈଠକ ବର୍ଜନ କରି ବାହାରକୁ ଆସିବା ପରେ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଥିଲେ ଯେ ଜିଲ୍ଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଡିଓଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ପିସି ନେଉଛନ୍ତି। ପ୍ରେତ୍ୟକ କାମରେ ୨୨% ଲେଖାଏଁ ପିସି କାରବାର ହେଉଛି। ମନରେଗାରେ ମଧ୍ୟ ୨୨% ପିସି କାରବାର ହେଉଛି। ନିଜ ଲୋକଙ୍କ ଦ୍ୱାରା କାମ କରାଇ ଅଧିକାରୀମାନେ ଗରିବ ଲୋକଙ୍କ ପାଇଁ ଆସୁଥିବା ଅର୍ଥ ହରିଲୁଟ୍ କରୁଛନ୍ତି। ଚାଷୀମାନଙ୍କଠାରୁ ଧାନ କିଣା ଯାଇଛି କିନ୍ତୁ ଏଯାଏଁ ସେମାନଙ୍କୁ ଟଙ୍କା ଦିଆଯାଇ ନାହିଁ। ଏନେଇ ଅଭିଯୋଗ କରାଗଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବଡ଼ି ଗାଁରେ ଜେଆରଏସ୍ ପ୍ରତି ଲୋକଙ୍କଠାରୁ ୧୫ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବିଡିଓ ଓ ଜିଲ୍ଲାପାଳଙ୍କୁ ଆଠ ଦିନ ହେଲାଣି ଅବଗତ କରାଯାଇଛି। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଜିଲ୍ଲାରେ ଏମିତି ପରିସ୍ଥିତି ଜାରି ରହିଲେ ଏସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି ତାରା କହିଛନ୍ତି।

କଂଗ୍ରେସର ସଭ୍ୟମାନେ ବୈଠକ ବର୍ଜନ କରି ବାହାରକୁ ଆସିବା ପରେ ପୁଣି ଥରେ ସଭା ଆରମ୍ଭ କରାଯାଇଥିଲା। ତେବେ ଏହାକୁ ପ୍ରତିବାଦ କରି କଂଗ୍ରେସ ସଭ୍ୟମାନେ ପୁଣି ଥରେ ସଭାଗୃହ ମଧ୍ୟକୁ ଯାଇ ବୈଠକ ବନ୍ଦ କରିବାକୁ କହିଥିଲେ। ଏହା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଭାକୁ ବାତିଲ କରି ଦେଇଥିଲେ।

ଅନ୍ୟପକ୍ଷରେ ବିଜେଡି ନେତା ତଥା ଜୟପୁରର ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ କହିଛନ୍ତି ଯେ ଯଦି ଜିଲ୍ଲାରେ ଦୁର୍ନୀତି ହେଉଛି ଅବା ସବୁ କାମରେ ୨୨ ପ୍ରତିଶତ ପିସି କାରବାର ହେଉଛି ତା’ହେଲେ ବିଧାୟକ (ତାରାପ୍ରସାଦ ବାହିନୀପତି) ଭିଜିଲାନ୍ସରେ ଅଭିଯୋଗ କରନ୍ତୁ। ତା’ନକରି ବୈଠକରେ ହଙ୍ଗାମା କରିବାର କୌଣସି ଅର୍ଥ ନାହିଁ। ବିନା ବିରୋଧୀରେ ବୈଠକ ଆରମ୍ଭ କରାଯାଇଥିବା ନେଇ ସେ କରିଥିବା ଅଭିଯୋଗ ମଧ୍ୟ ସତ ନୁହେଁ। ସେ ନିଜେ ବୈଠକ ବସିବାର ୨ ଘଣ୍ଟା ପରେ ଆସିଲେ ଓ ହଙ୍ଗାମା କଲେ।

ଆଜି ବୈଠକରେ କୋରାପୁଟ ବିଧାୟକ କୃଷ୍ଣ ସଗରିଆ କହିଥିଲେ ଯେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି। ସେହିଭଳି ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲସିକା ଓ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି କହିଥିଲେ ଯେ ଜିଲ୍ଲା ପ୍ରଶାସନ ବିଧାୟକମାନଙ୍କୁ ଅଣଦେଖା କରୁଛନ୍ତି।