ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ: ସମ୍ୱଲପୁର ଓ ଭବାନୀପାଟଣାରେ ବନ୍ଦକୁ ବିରୋଧ

sambulpurସମ୍ୱଲପୁର/ବଲାଙ୍ଗିର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି।  ବଲାଙ୍ଗିରରେ କୋଶଳବାଦୀ ନେତା ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ କର୍ମୀମାନେ ଜିଲ୍ଲା ମୁଖ୍ୟ ଡାକଘର ଆଗରେ ଆନ୍ଦୋଳନ କରିବା ସହ ଆଜି ସକାଳେ ପିକେଟିଂ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ ଓ କଲେଜ ସବୁ ବନ୍ଦ ରହିଛି। ଏହି ଆନ୍ଦୋଳନରେ ଜିଲ୍ଲା ଆଦିବାସୀ ସଂଘ, କ୍ରିୟାନୁଷ୍ଠାନ କମିଟି ଓ ନାଗରିକ କମିଟି ଭଳି ବିଭିନ୍ନ ସଙ୍ଗଠନ ସାମିଲ ହୋଇଛନ୍ତି।

ଝାରସୁଗୁଡ଼ାରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି।

ବୌଦ୍ଧ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ‌୍‍, ପୋଷ୍ଟଅଫିସ‌୍‍, ସ୍କୁଲ ଓ କଲେଜ‌୍‍ ସବୁ ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଠପ‌୍‍ ହୋଇଛି। ସକାଳୁ ସକାଳୁ ସହରର ବ୍ରିଜ ଛକ ଓ ଏନଏନସି ଛକରେ କୋଶଳ କର୍ମୀମାନେ ପିକେଟିଂ କରିଥିଲେ।

ରାଉରକେଲାରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଛି। ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ ଓ ବସ୍‌ ଚଳାଚଳ ବନ୍ଦ ରହିଛି। କୋଶଳ ରାଜ୍ୟ ଗଠନ ସମିତି ସଦସ୍ୟମାନେ କୁଆଁରମୁଣ୍ଡା ରୋଡ୍‌ରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା।

ଏହି ବନ୍ଦ ଡାକରାକୁ ସମ୍ୱଲପୁର ଜିଲ୍ଲା ଓକିଲ ସଂଘ ବିରୋଧ କରିଛି। ଆଜି ସକାଳେ କୋଶଳ କ୍ରାନ୍ତି ଦଳ ପକ୍ଷରୁ ସମ୍ୱଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକାଇବାକୁ ଉଦ୍ୟମ କରାଯାଉଥିବା ବେଳେ ଆନ୍ଦୋଳନକାରୀ ଓ ଓକିଲ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହିତ ରାଜ୍ୟ ସମନ୍ୱୟ ସମିତିର ବ୍ୟାନର ପୋଡ଼ାଯାଉଥିବା ଦେଖିବାକୁ ମିଳିଥିଲା। ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ରହିବା ସହ ଆନ୍ଦୋଳନକାରୀଙ୍କୁ ପ୍ରତିବାଦ କରାଯିବ ବୋଲି ସଂଘ କହିଛି।

ସମ୍ୱଲପୁର ଜିଲ୍ଲା ଓକିଲ ସଂଘ ସଭାପତି ଅତନୁ ଘୋଷ କହିଛନ୍ତି, “ଏହି କୋଶଳୀ ଆନ୍ଦୋଳନରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ସମ୍ୱଲପୁରୀ ଭାଷା ଓ ସଂସ୍କୃତିର ମର୍ଯ୍ୟାଦାହାନୀ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସମ୍ୱଲପୁର ଜନ ସାଧାରଣ ଓ ଆମେ ଅଗାମୀ ଦିନରେ କେକେଡି କିମ୍ୱା କୋଶଳ ସମନ୍ୱୟ ସମିତି ପକ୍ଷରୁ ଯଦି ବନ୍ଦ ଡାକରା ଦିଆଯାଏ ତାକୁ ବିରୋଧ କରିବୁ।”

ସମ୍ୱଲପୁର ପରି ଭବାନୀପାଟଣାରେ ମଧ୍ୟ ବନ୍ଦ ପାଳନକୁ ବିରୋଧ କରାଯାଇଛି।