କୁନ୍ଦୁଲିରୁ ଚିଠି

ମାନନୀୟ ପ୍ରିୟ ମୁଖ୍ୟମନ୍ତ୍ରୀ
ଜଣେ ଆଦିବାସୀ ଦଳିତ ମହିଳାର ପ୍ରଣାମ ନେବ।  ଜଣେ ଦକ୍ଷ ପ୍ରଶାସକ ଏବଂ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମୁଁ ଆଦର୍ଶ ହେବାକୁ ଜମା ବି ଚାହେଁନି। କେବେ ତ ଥରେ ବଞ୍ଚିଥିବାବେଳେ ମୋର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିଲନି। ମୁଁ ଜାଣେ ମୋର ଏ ଚିଠି ତମ ବିରାଟ ହୃଦୟକୁ ତରଳାଇ ପାରିବନି କି ତମକୁ ଆଦର୍ଶ କରାଇବାରେ ସହାୟକ ହେବ ନାହିଁ। ତମେ ତ ଓଡ଼ିଆ ପଢ଼ି ପାରିବ ନାହିଁ; ତଥାପି ତମ ବଡ଼ବଡ଼ିଆ ଅଫିସରଙ୍କ ଦ୍ୱାରା ଚିଠିଟି ପଢ଼ାଇ ଶୁଣିବେ ବୋଲି ମୋ ଆତ୍ମାର ଶେଷତମ ଇଚ୍ଛା।

ମୁଁ ସେଇ କୋରାପୁଟର କୁନ୍ଦୁଲି ଅଧୀନସ୍ଥ ମୂଷାଗୁଡ଼ାର ଝିଅ। ରାଜ୍ୟବାସୀ ମୋତେ ପୀଡ଼ିତା ଭାବେ ଜାଣନ୍ତି। ଦିନ ୧୧ଟା ବେଳେ ପାଖ ବଜାରକୁ ଯାଇଥିଲି ଫଟୋ ଉଠାଇବା ପାଇଁ। ପୁଲିସ୍‌ ପୋଷାକରେ ୪ ଜଣ ଜଣେ ପରେ ଜଣେ ବଳାତ୍କାର କଲେ। ନେହୁରା ହେଲି; ଗୁହାରି କଲି ହେଲେ ସେମାନେ କିନ୍ତୁ ମୋତେ ଛାଡ଼ିଲେନି। ଏ କଥା ଆସି ମୋ ବା’କୁ କହିଲି- ସେ ନଥ୍ କରି ତଳେ ବସି ପଡ଼ିଲେ। ମାଆ କ’ଣ ବୁଝିଲା କେଜାଣି-ବାହୁନି ବାହୁନି କାନ୍ଦିଲା ମୋତେ ଜାବୁଡ଼ି ଧରି। ସାହିଭାଇରେ ବା’ ଏକଥା କହିଲା- ସେମାନେ ଡରାଇଲେ- କହିଲେ ଥାନା ମାମଲା ଭାରି ଜଟିଳ। ସେଠି ତୋ ପରି ଜଣେ ଗରିବ ଦଳିତ ଲୋକ ସେସବୁ ପାରିବନି। ପୁଣି ଦଳେ କହିଲେ- ଯା’ ଥାନାରେ ମାମଲା କର; ସରକାର ବି ଗରିବଙ୍କ କଥା ଶୁଣନ୍ତି। ବା’ ଗଲା ସେଠାକୁ; କିନ୍ତୁ ଗଲାବେଳକୁ ସେଠାରେ ମନ୍ତ୍ରୀ, ଏମଏଲଏ ଆଉ ବିଭାଗୀୟ ଅଫିସରଙ୍କର ମଧ୍ୟରେ ସଲାସୁତୁରା ସରିଥିଲା। ମନାକଲେ ଆମ ମାମଲା ରଖିବେନି ବୋଲି। ବହୁ ଅନୁରୋଧ ପରେ ମାମଲା ରୁଜୁ ହେଲା। ଆଉ ଠିକ୍ ତା’ପରେ ପରେ ଆରମ୍ଭ ହେଲା-ରାଜନୀତିରେ ପ୍ରକୃତ ଖେଳ।

ସମସ୍ତଙ୍କ ପରି ମୋର ବି ସ୍ୱପ୍ନ ଥିଲା। ସ୍କୁଲ ଯିବି, ପାଠ ପଢ଼ିବି ଆଉ ସେମାନଙ୍କ ପରି ଚାକିରି କରିବି; ହେଲେ ସେସବୁ ଏ ଜନ୍ମ ପାଇଁ ଅଧା ରହିଲା। ଗାଁ ଦାଣ୍ଡ, କୁଆଁର ପୁନେଇ ସାଙ୍ଗ ସାଥି ଏବେ ସବୁ ମୋ ଆଖିରେ ନାଚି ଯାଉଛି। ମୁଁ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମରିଯାଇ ଥାଇ ପାରେ କିନ୍ତୁ ମୋ ଆଦର୍ଶ ବାପାମାଆଙ୍କ ପାଇଁ କଦାପି ନୁହେଁ। ମୁଁ ଜାଣେ ମୋ ଆତ୍ମହତ୍ୟା ଦ୍ୱାରା କାହାର କିଛି କ୍ଷତି ହେବନି; କେବଳ ମୋ ବାପାମାଆଙ୍କ ଛଡ଼ା।

କ’ଣ ଥିଲା ଦୋଷ ମୋର! ୧୦୦ ଦିନରେ ତୁମେ ଥରେ ବି ପାଖକୁ ଆସିପାରିଲନି। ଏଇ ଆତ୍ମହତ୍ୟା ପୂର୍ବରୁ ମୁଁ ୧୦୦ ଦିନରେ ମରିଛି ଶତ ସହସ୍ର ଥର। ମାରିଛି ତମ ପ୍ରଶାସନ ବ୍ୟବସ୍ଥା। ପ୍ରିୟ ମୁଖ୍ୟମନ୍ତ୍ରୀ, ତମ ଫଟୋ ସବୁବେଳେ ଦେଖେ। ମନେ ମନେ ଭାବେ କେବେ ଥରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖନ୍ତି ନାହିଁ… ତାଙ୍କ ଅଳ୍ପ ଅଳ୍ପ ଓଡ଼ିଆ କଥା ଶୁଣନ୍ତି। ବା’ କହେ- ତୁ ବଡ଼ ହେଲେ ଆଉ ବହୁତ ପାଠ ପଢ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବୁ। ସେ ରାଜଧାନୀ ଭୁବନେଶ୍ୱରରେ ରହନ୍ତି। ସମୟ କ୍ରମେ ମୁଁ ବଢ଼ିଲି; ଆଉ ଶିକାର ହେଲି ଦକ୍ଷ ପ୍ରଶାସକଙ୍କ ଦକ୍ଷ ବିଭାଗର ପୁଲିସ ପୋଷାକଧାରୀଙ୍କ ବାହୁ ପନ୍‌‌ଝାରେ।

ଅକ୍ଟୋବର ୧୦ରେ ଘଟଣା ଘଟିଲା। ଘଟଣା ଘଟିବାର କେଇଘଣ୍ଟା ପରେ ଏତେ ତୀବ୍ର ଭାବେ ଆନ୍ଦୋଳନ ହେଲା ଯେ, ମୋତେ ଲାଗିଲା ୨୪ ଘଣ୍ଟା ମଧ୍ୟରେ ଦୋଷୀ ଦଣ୍ଡ ପାଇବ; କିନ୍ତୁ ଘଟଣାର ୧୦୦ ଦିନ ବିତିଲା। ଦୋଷୀ ହେଲା ନିର୍ଦୋଷ ଆଉ ମୁଁ ହେଲି ଦୋଷୀ। ସବୁ ପଢ଼ା ବହିରେ ପଢ଼ିଥିଲି। ଆଇନ୍‌‌ ଆଗରେ ସମସ୍ତେ ସମାନ। ସେ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ହେଉ କି କୋଟିପତି। ଦଳିତ ହେଉ କି ସାଧାରଣ ଜନତା। ଏବେ ମୋତେ ଆଉ ବୁଝିବାକୁ ବାକି ନାହିଁ। ନ୍ୟାୟ କେଉଁଠି ବି ମିଳେନାହିଁ ଆମ ପରି ଦଳିତଙ୍କୁ। ସବୁଠି ମାନସିକ ସ୍ଥିତିକୁ ଆହୁରି ବଢ଼ାଇ ଦିଆଯାଏ। ଡାକ୍ତରଖାନା, ଥାନା, କୋର୍ଟ କଚେରୀ ଧାଇଁ ଧାଇଁ ମୁଁ ମାନସିକ ଭାବେ ଭାଙ୍ଗିପଡ଼ିଥିଲି। ପରବର୍ତ୍ତୀ ସମୟରେ ଏହି ଘଟଣାର ମୋଡ଼ ବଦଳିଗଲା । ରିପୋର୍ଟ ଆସିଲା ବଳାତ୍କାର କରାଯାଇନାହିଁ । ତେବେ ମୁଁ କ’ଣ ପାଗଳୀ ଥିଲି ! ମିଛ କାହିଁକି କହିବି, ମିଛ କହିଲେ ମୋର କି ମୋ ପରିବାରର କ’ଣ ବା ଲାଭ ହେବ। ମୋର ଅବସ୍ଥା ସଙ୍କଟାପନ୍ନ ଥିଲା । ଡାକ୍ତର ବି ଚିକିତ୍ସା କରୁଥିଲେ । ଏ କେମିତିକା ଡାକ୍ତରୀ ପାଠ ପଢ଼ିଛନ୍ତି କେଜାଣି! ତେବେ ମୋ ମନରେ ଏଠାରେ ପ୍ରଶ୍ନ ଉଠେ ଯଦି ବଳାତ୍କାର ହୋଇ ନ ଥିଲା, ଡାକ୍ତରଖାନାରେ କାହିଁକି ଚିକିତ୍ସା କରାଯାଉଥିଲା ! ମୋତେ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଆଉ ମଡେ଼ଲ ସ୍କୁଲରେ ପାଠ ପଢ଼ିବାକୁ ନିର୍ଦ୍ଦେଶ ପାଇଁ ସରକାର କାହିଁକି ଘୋଷଣା କଲେ ? ଏଠାରେ ପ୍ରଶ୍ନ ଉଠେ ଯେ ସତରେ କ’ଣ ଜଣେ ନାରୀର ଇଜ୍ଜତ ଫେରିଆସେ  ନା ସରକାରଙ୍କ ଅପାରଗତା ଲୁଚିଯାଏ, ମୁଁ ବୁଝିପାରେନି ଏତେ ଜଟିଳ ଜ୍ୟାମିତି। ନବମ ଶ୍ରେଣୀର କିଶୋରୀ ଝିଅ ମୁଁ, ମୋର ବା କ’ଣ ତମ ପରି ରାଜ୍ୟ ଚଳାଇବାର ଦକ୍ଷତା ଆସିବ କେମିତି ?

ବା’ କହିଲା ଭୁବନେଶ୍ୱରରୁ କଟକ ଖୁବ୍‌‌ କମ୍‌‌ ରାସ୍ତା। ଡାକ୍ତରଖାନାରେ ଥିଲି। ମୋ ମନ କହୁଥିଲା- ଦଳିତ ଗାଁକୁ ସିନା ଦକ୍ଷ ପ୍ରଶାସକ ଯାଇପାରିଲେନି; କିନ୍ତୁ କଟକକୁ ନିଶ୍ଚୟ ଆସିବେ। ମନେ ମନେ ଭାବିଲି କହିଦେବି ତମକୁ ଘଟଣାର ସବୁ ସତ ସତ କଥା। କେହି ସିନା ବୁଝିଲେନି; ତମେ କିନ୍ତୁ ନିଶ୍ଚୟ ବୁଝିବ। କିନ୍ତୁ ତମେ ସେତେବେଳେ ବୃନ୍ଦା ସାହୁ ଆତ୍ମହତ୍ୟାରେ ବିଚଳିତ ଆଉ ବିବ୍ରତ ଥିଲ, କାଳେ ଭୋଟ କମିଯିବ। ନଭେମ୍ୱର ୧୪ରେ ସ୍କୁଲ ପିଲାଙ୍କ ସହ ସେଲଫି ନେଲ, ମନକଥା ବାଣ୍ଟିଲ; ମୋତେ କିନ୍ତୁ ଥରେ ଦେଖିବାକୁ ଆସିଲନି? ହୁଏତ ତମେ ଥରେ ଆସି ମୋତେ ସାନ୍ତ୍ୱନା ଦେଇଥିଲେ ମୁଁ ନିଶ୍ଚିତ ଆତ୍ମହତ୍ୟାରୁ ନିବୃତ୍ତ ରହିଥାନ୍ତି।  ମୋର ବିଶ୍ୱାସ ଥିଲା ଦେଶର ଶ୍ରେଷ୍ଠ ପ୍ରଶାସକ ନିଶ୍ଚୟ ଆସିବେ, ନିଜେ ଶୁଣିବେ ସତ୍ୟ ଘଟଣା, ମୋ ଆଖି ଆଉ ଯନ୍ତ୍ରଣାରୁ ଆପେ ଆପେ ବୁଝିଯିବେ। କିନ୍ତୁ ତମେ ଜଣେ ଦକ୍ଷ ପ୍ରଶାସକ, ଆଦର୍ଶ ମୁଖ୍ୟମନ୍ତ୍ରୀ କିନ୍ତୁ ଜୀବନରେ କେବେ ଜଣେ ଆଦର୍ଶ ପିତା ହୋଇପାରିବନି, ମୋ ବାପାଙ୍କ ପରି। ବୋଧେ ସେଥିପାଇଁ ଭଗବାନ ଆପଣଙ୍କୁ କାହାର ସ୍ୱାମୀ ବା କାହାର ବାପା ବି କରିନାହାନ୍ତି। ହୋଇପାରେ ଏହା ଭଗବାନଙ୍କ ଉଚିତ୍ ନିଷ୍ପତ୍ତି।

ମୋ ଅସହାୟତାକୁ ଉପେକ୍ଷା କରି ତମେ କିନ୍ତୁ ଚାଲିଗଲ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଆଣିବାକୁ। ଆଉ ମୁଁ ଆତ୍ମହତ୍ୟା କରିବାକୁ ଇଚ୍ଛା ନ ଥିଲେ ବି ଆଦରି ନେଲି ସେଇ ପଥ। ଅପବାଦର ବୋଝ ବୋହି ବୋହି ମୁଁ ଥକି ପଡ଼ିଥିଲି। ବହି ବସ୍ତାନୀ ବୋଝ ବୋହିବା ବୟସରେ ଏତେ ବଡ଼ ବୋଝ କେମିତି ବା ସହିଥାନ୍ତି। ମୁଁ କିନ୍ତୁ ସତରେ ବଞ୍ଚିବାକୁ ଚାହୁଁଥିଲି। କିନ୍ତୁ ମୋତେ ବଞ୍ଚାଇ ଦେଲେ ନାହିଁ- ସରକାର, ବିରୋଧୀ ଆଉ ସମାଜର କାନକୁହାମାନେ। ଅକ୍ଟୋବର ୧୦ରୁ ପ୍ରତି ସେକେଣ୍ଡରେ ମୁଁ ମରୁଥିଲି, ନା ନା ଭୁଲ୍‌‌ କହିଲି-ସେମାନେ ମୋତେ ମାରିବାକୁ ଇନ୍ଧନ ଦେଉଥିଲେ।  ହଁ, ଆଗରୁ ଅନେକବାର ଆତ୍ମହତ୍ୟା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲି, କାରଣ ଜମା ବି ମରିବାକୁ ଚାହୁଁଥିଲି। କେହି କ’ଣ ସତରେ ମରିବାକୁ ଭଲପାଏ। ପ୍ରଶାସନର ଲାଞ୍ଛିତ ବ୍ୟବହାର, ବିଭାଗର ଅପାରଗତା ଆଉ ବ୍ୟବସ୍ଥାର ମିଛ କାନ୍ଦଣା ମୋତେ ବାଧ୍ୟ କଲା ଆତ୍ମହତ୍ୟା କରିବାକୁ।

ମୋ ଆତ୍ମହତ୍ୟା ପରେ ଏ ବନ୍ଦ ପାଳନ ଖାଲି ପ୍ରହସନ। ଯେତେବେଳେ ଏଚଆରପିସି ତଦନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ସେତେବେଳେ ଏହି ବନ୍ଦ ପାଳନ କରୁଥିବା ରାଜନୈତିକ ଦଳ କୋଉଠି ଥିଲେ। ଏବେ ସବୁ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି।  ବିରୋଧୀମାନେ ମୁଁ ନ୍ୟାୟ ପାଇବା ପାଇଁ ନୁହେଁ, ବଞ୍ଚିଥିବାବେଳେ ଯିଏ ନ୍ୟାୟ ଦେଇପାରିଲେନି, ମରିଯିବା ପରେ;  ଏମିତି ଏହା ସମ୍ଭବ। ମୋ ଶବ ଉପରେ ବି ରାଜନୀତି। ମୋ ଶବକୁ ଥୋଇ ଚାଲିଲା ବନ୍ଦ ଆଉ ରାସ୍ତାରୋକ। ଏବେ ଭାବୁଛି, ଦକ୍ଷ ପ୍ରଶାସକଙ୍କ ଦକ୍ଷ ନିଷ୍ପତ୍ତି ପୁରା ଠିକ୍ କାରଣ,- ଯେଉଁ ବ୍ୟକ୍ତି ଓଡ଼ିଶା ତଥା ଦେଶର ଶିଳ୍ପ ବିକାଶରେ ବିଶେଷ ଭୂମିକା ନିଭାଇଥିଲେ। ଯେଉଁ ବ୍ୟକ୍ତି ପାଇଁ ଆପଣ ନୂଆ ଦଳ ଗଢ଼ି ଆଜି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛନ୍ତି; ସେପରି ଜଣେ ସୁଦକ୍ଷ ବ୍ୟକ୍ତି ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବି ଗଲେନି। ନିଜେ ତ ଗଲେନି କି ଦିଳ ଦଳର ଲୋକଙ୍କୁ ବି ପଠାଇଲେ ନାହିଁ। ମୁଁ ତ କୋଉ ଆଦିବାସୀ ଇଲାକାର ଗରିବ ବାପାର ଝିଅ। ମୋତେ ବା କାହିଁକି ଜଣେ ଦକ୍ଷ ପ୍ରଶାସକ ଦେଖିବାକୁ ଆସିବ। କିନ୍ତୁ ବଂଶୀଧର ପଣ୍ଡାଙ୍କୁ ଦେଖିବାକୁ ନ ଯିବା ନିହାତି ଅମଣିଷ ପଣିଆର ନଗ୍ନ ନମୂନା।  ଏ କେମିତିକା ମାନବିକତା କହିଲେ, ମୁଁ ପାଠ ଖୁବ୍‌ କମ୍‌‌ ପଢ଼ିଛି। ତଥାପି ସେଇ କମ୍‌‌ ପଢ଼ିଥିବା ଜ୍ଞାନକୁ ଆଧାର କରି କହୁଛି- ଏସବୁ ମଣିଷପଣିଆ ନୁହେଁ। ଟଙ୍କିକିଆ ଚାଉଳରେ ଗରିବର ପେଟ ପୂରି ଯାଏନି କି ଶୋକବାର୍ତ୍ତା ପଠାଇଦେଲେ ସୁଦକ୍ଷ ବଂଶୀଧରଙ୍କ ଆତ୍ମା ଶାନ୍ତି ପାଇଯାଏନି। ଏ ସବୁରେ ଲାଭ କ’ଣ; କ୍ଷତି ଅଧିକ। କିନ୍ତୁ ମନେ ରଖ, ଏସବୁର ହିସାବ ଦିନେ ଆପଣଙ୍କ ଠାରୁ ଭଗବାନ ନେବେ। ଶୁଣୁଛି ଏବେ ମୋତେ ନେଇ ଗପ, କବିତା, ଲେଖୁଥିବା କବି/ଲେଖକମାନେ ସେତେବେଳେ କାହିଁକି ନିରବ ଥିଲେ।

ହୁଏତ ଆଉ ଦିନ କେଇଟା ପରେ ଏ ଘଟଣା ବି ଥମିଯିବ ଇତିଶ୍ରୀ, ବେବିନା ଆଉ ମାଧବୀ ଦିଦିଙ୍କ ପରି। କାଲି ହୁଏତ ଆମ ସଭ୍ୟମଣିଷଙ୍କ ଭିତରୁ କେହି ବି  ଅଙ୍ଗୁଳି ଦେଖେଇ କହିଦେଇପାରେ ଯେ, ଇଜ୍ଜତ ବଦଳରେ ସରକାର ତ କେତେ ସୁବିଧା ଦେଇଛନ୍ତି ! କିନ୍ତୁ ଆମେ ଆଶା କରିବା ଆମ ଭିତରର ମଣିଷର ମାନବିକତା ଏମିତି ନ ହେଉ। ତାଙ୍କୁ ଦମ୍ଭର ସହିତ ଚାଲିବାକୁ ଦିଆଯାଉ। ତାହା ନ ହେଲେ ବିଂଶ ଶତାଦ୍ଦୀର ନାରୀଟିଏ ଜିଇ ଥାଇ ବି ପ୍ରତିଦିନ ପ୍ରତି ସେକେଣ୍ଡରେ ମରୁଥିବ ଆଉ ଆମେ ସେ ଭାବନା ବୁଝିବାକୁ ଅସମର୍ଥ। ତେଣୁ ମରିଗଲା ପରେ ମୋତେ ନେଇ ରାଜନୀତି ନ କରି ବରଂ କେମିତି ଆଗାମୀ ଦିନରେ ମୋ ପରି କିଶୋରୀ ଫୁଲ ନ ମଉଳିଯିବେ ସେଥିପ୍ରତି ମୋର ପ୍ରିୟ ଦକ୍ଷ ପ୍ରଶାସକ ଏବଂ ଆଦର୍ଶ ମୁଖ୍ୟମନ୍ତ୍ରୀ ଉଚିତ୍ ପଦକ୍ଷେପ ନେବେ ବୋଲି ଆଶା କରୁଛି। ଏତକ କରିପାରିଲେ, ସ୍ୱର୍ଗରେ ଥାଇ ବି ମୋତେ ନ୍ୟାୟ ମିଳିଯିବ ବୋଲି ଖୁସିରେ ବିଭୋର ହେବି। ମୋ କଥା ରଖିବେ ନା ଆଦର୍ଶ ମୁଖ୍ୟମନ୍ତ୍ରୀ। ରହୁଛି।

ଇତି କୁନ୍ଦୁଲି ପିଡ଼ିତା

(ଫୋନ୍-୮୮୯୫୩୦୪୫୫୬)