କୁଶ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

anandpurଭୁବନେଶ୍ୱର/ଆନନ୍ଦପୁର: ବିଶିଷ୍ଟ କ୍ରୀଡ଼ାବିତ‌ ତଥା ଚଳଚିତ୍ର ପ୍ରଯୋଜକ କୁଶ ପଟ୍ଟନାୟକଙ୍କ ଶେଷକୃତ୍ୟ ଆଜି ତାଙ୍କ ପୈତୃକ ଗାଁରେ ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ସ୍ୱେଚ୍ଛାକୃତ ଭାବେ ଦୋକାନ ବଜାର ବନ୍ଦ କରିଛନ୍ତି ଆନନ୍ଦପୁର ବାସୀ।

ଅନ୍ୟପକ୍ଷରେ ଆଜି କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ଭୁବନେଶ୍ୱର ସ୍ଥିତ ଟଙ୍କପାଣିରୋଡ୍‌ ବାସଭବନରେ ତାଙ୍କ ପାର୍ଥିବ ଶୀରରକୁ ଓଲିଉଡର ବହୁ କଳାକାରଙ୍କ ସମେତ ରାଜନୈତିକ ନେତା  ଓ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।

ଏହାପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ପାଇଁ ଜନ୍ମମାଟି ଆନନ୍ଦପୁରକୁ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା। ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ।

ରାଜସ୍ୱ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ କହିଛନ୍ତି, “କୁଶ ବାବୁଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଆତ୍ମାକୁ ସତ୍‌ଗତି ମିଳୁ।”

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,“ସ୍ୱର୍ଗତ କୁଶ ପଟ୍ଟନାୟକଙ୍କ ପରଲୋକରେ ମୁଁ ମର୍ମାହତ।ଆନନ୍ଦପୁର ନିର୍ବାଚନ ମଣ୍ଡଳୀ କି ଆନନ୍ଦପୁର ସହର ନୁହେଁ ସମଗ୍ର କେଉଁଝର ଜିଲ୍ଲା ଓ ସାରା ରାଜ୍ୟ ଆଜି ତାଙ୍କ ଦେହାନ୍ତ ଖବର ଶୁଣି ଆବାକ୍‌ ହୋଇଯାଇଛନ୍ତି।  ଜଣେ ଦକ୍ଷ ଖେଳାଳି, ସିନେମା ପ୍ରଯୋଜକ, ଯୁବ ରାଜ ନେତା ଭାବେ ଛାପ ଛାଡି ଯାଇଛନ୍ତି।”

ଅଭିନେତ୍ରୀ ଜିନା ସାମଲ କହିଛନ୍ତି, “ସମସ୍ତଙ୍କ ହୃଦୟରେ ସେ ଜଣେ ଭଲ ମଣିଷ ହିସାବରେ ରହିଥିଲେ। ତାଙ୍କ ଆତ୍ମଙ୍କୁ ଶାନ୍ତି ମିଳୁ।”

ଗତକାଲି ରାତିରେ ସେ ରାମ ମନ୍ଦିର ଛକ ନିକଟରେ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। କୁଶ ପଟ୍ଟନାୟକ ଦୀର୍ଘଦିନ ଧରି ଫିଲ୍ମ ପ୍ରଯୋଜକ ସଂଘର ସଭାପତି ଥିଲେ। ସେ ‘କଣ୍ଢେଇ ଆଖିରେ ଲୁହ’, ‘କେହି ଜଣେ ଭଲ ଲାଗେ’ ଏବଂ ‘ଚକ୍‌ଲେଟ୍‌’ ଭଳି ହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ। ତା’ସହ କିଛି ମେଗା ସିରିୟଲ୍‌ ପ୍ରଯୋଜନା ଦାୟିତ୍ୱ ବି  ନେଇଥିଲେ ।