ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲ’ କମିଶନ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଘ୍ର ଗଠନ ହେବ ଲ’ କମିଶନ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ନ୍ୟାୟିକ ବ୍ୟବସ୍ଥାରେ ରିଫର୍ମ ସହ ନୂଆ ଆଇନ ପ୍ରଣୟନ ପାଇଁ ବାଟ କଢ଼ାଇବ ଏହି ଲ’ କମିଶନ। ଏ ନେଇ ଶୀଘ୍ର କ୍ୟାବିନେଟରେ ପ୍ରସ୍ତାବ ପାସ୍ ହେବ। ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ବା ଲିଗାଲ୍ ଫ୍ରଣ୍ଟର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଛି। ଗରିବ ଲୋକଙ୍କ ପାଖରେ ସରକାର ଆଇନ ସହାୟତା ପହଞ୍ଚାଇ ପାରିଛନ୍ତି। ଏହି କମିଶନର ମୁଖ୍ୟ ରହିବେ ଜଣେ ହାଇକୋର୍ଟ କିମ୍ୱା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍। ଦୁଇଜଣ ଖ୍ୟାତନାମା ଆଇନ ବିଷାରଦ ଓ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ବି ଏଥିରେ ସଦସ୍ୟ ରହିବେ। ଆଇନ ସଚିବ ରହିବେ ଏକ୍ସ ଅଫିସିଓ ମେମ୍ୱର। ଏହାର ମୁଖ୍ୟ କାମ ହେବ ପୁରୁଣା ଆଇନକୁ ବଦଳାଇବା ବା ସଂଶୋଧନ କରିବା। ବିହାର-ଓଡିଶା ଏକ୍ସାଇଜ୍ ଆକ୍ଟ ଏବଂ ପୋଲିସ ଆକ୍ଟରେ ବ୍ୟାପକ ସଂଶୋଧନ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏହି କମିଶନ ନୂଆ ଆଇନ ପ୍ରଣୟନରେ ପ୍ରମୁଖ ଭୂମିକା ନେବ। ଏପରି କମିଶନ ଗଠନକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ହେଲେ ଏଥିରେ ବିଳମ୍ୱ ହୋଇ ପାରେ ବୋଲି ସେ ଆଶଙ୍କ। ପ୍ରକଟ କରିଛନ୍ତି।

 ଆଜି ବିଜେଡି ଆଇନଜୀବୀ ସାମୁଖ୍ୟ ଗଠନ ହୋଇଥିବା ବେଳେ ଦଳୀୟ କାର୍ଯ୍ୟାଳୟଠାରେ ଏହାର ପ୍ରଥମ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ। ଏଥିରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ।