ଲୋକଙ୍କ ହିତ ପାଇଁ ଆଇଟି ଉପରେ ଫୋକସ ରହିବ: ସାମ ପିଟ୍ରୋଡା

ଭୁବନେଶ୍ୱର: ଲୋକଙ୍କ ହିତ ପାଇଁ ଆଇଟି ବ୍ୟବହାର ଉପରେ ଫୋକସ କରିବୁ। ଆଇଟି ମାଧ୍ୟମରେ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧି ଲାଗି ଚେଷ୍ଟା କରିବୁ। ଏହାସହ ସମସ୍ତଙ୍କ ପାଖରେ ଯେପରି ଯୋଜନାର ସୁଫଳ ପହଞ୍ଚିବ ସେ ନେଇ ଉଦ୍ୟମ କରିବୁ ବୋଲି ଆଜି ରାଜ୍ୟ ସରକାରଙ୍କ ଆଇଟି ବିଭାଗର ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନବନିଯୁକ୍ତ ଆଇଟି ପରାମର୍ଶଦାତା ସାମ ପିଟ୍ରୋଡା କହିଛନ୍ତି।

ପିଟ୍ରୋଡା ଆହୁରି କହିଛନ୍ତି ସବୁ ୟୁନିଭର୍ସିଟି, ସୋସିଆଲ ମିଡିଆ ଓ ପଞ୍ଚାୟତକୁ ସଂଯୋଗ କରାଯିବ। ପ୍ରଥମେ ବର୍ଷିକିଆ ଯୋଜନା କରାଯାଇ ଏହାକୁ ସଫଳ କରାଯିବାକୁ ଚେଷ୍ଟା କରାଯିବ। ଏହାଦ୍ୱାରା ଲୋକଙ୍କ ବିଶ୍ୱାସ ହେବ ଯେ କିଛି ଗୋଟେ ହେଉଛି। ପରେ ୩ ବର୍ଷିଆ ଓ ୧୦ ବର୍ଷିଆ ସ୍କିମ କରାଯିବ ବୋଲି ସେ କହିଛନ୍ତି। ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମ ଥର ପାଇଁ ମନ୍ତ୍ରୀ ଓ ସଚିବଙ୍କ ସହ ପିଟ୍ରୋଡା ଏହି ମାରାଥନ ବୈଠକ କରିଥିଲେ। ଗୋଟିଏ ବର୍ଷକ ଭିତରେ ଲୋକେ ଯେପରି ଆଇଟିର ସୁଫଳ ପାଇବେ ସେ ନେଇ ପିଟ୍ରୋଡା ଯୋଜନା ପ୍ରସ୍ତୁତ କରିଥିଲେ।

ସୂଚନା ପ୍ରଯୁକ୍ତି ସାହାଯ୍ୟରେ ହାତ ପାଅନ୍ତାରେ କେମିତି ଜନ୍ମ ପ୍ରମାଣପତ୍ର ପହଞ୍ଚିବ ତାହାର ବାଟ ପିଟ୍ରୋଡା ବତାଇବେ। ସେହିପରି ହସ୍ପିଟାଲରେ ରୋଗୀ କେମିତି ସହଜରେ ଟେଲି ମେଡିସିନର ସୁବିଧା ପାଇବେ, ବିନା ଶିକ୍ଷକରେ ସ୍କୁଲରେ ପିଲାମାନେ କେମିତି ଗଣିତ ଓ ବିଜ୍ଞାନ ପରି ବିଷୟ ପଢି ପାରିବେ ତାହାର ସୂଚନା ବିଭାଗୀୟ ମନ୍ତ୍ରୀଙ୍କୁ ପିଟ୍ରୋଡା ଦେଇଛନ୍ତି।

ବୈଠକରେ ପଞ୍ଚାୟତିରାଜ, ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁକଲ୍ୟାଣ ଏବଂ କୃଷି ବିଭାଗର ମନ୍ତ୍ରୀ ଯୋଗଦେଇଥିଲେ। ମନ୍ତ୍ରୀମାନେ ସେମାନଙ୍କ ବିଭାଗର ଆଇଟି ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ ପିଟ୍ରୋଡାଙ୍କୁ ଅବଗତ କରିଥିଲେ। ଏହାସହ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଅପରାହ୍ନ ୫ଟାରେ ପିଟ୍ରୋଡା ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବଙ୍କ ସହ ଆଲୋଚନା କରିବେ। ୫ଟା ୪୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବୈଠକ ପରେ ଶକ୍ତି ସଚିବ ପ୍ରଦୀପ ଜେନା କହିଛନ୍ତି, ରାଜ୍ୟ ସରକାର ମାସକ ମଧ୍ୟରେ ଏକ ୱାର୍କିଂ ଗ୍ରୁପ ଗଠନ କରିବେ। ଗ୍ରୁପରେ ସରକାରୀ ଓ ବାହାରର ଆଇଟି ବିଶେଷଜ୍ଞମାନେ ରହିବେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପରି ୧୦ରୁ ୧୨ଟି କ୍ଷେତ୍ରକୁ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯିବ।