ଲୁଲୁଙ୍କ ନୂଆ ଷ୍ଟ୍ରାଟେଜି: ଏଣିକି ଅଣ୍ଡା ମାଡ଼ ନୁହେଁ, ଅଶ୍ଳୀଳ ଆଚରଣ

lulu
ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର

ଭୁବନେଶ୍ୱର: କଟକରେ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ମାଡ଼ ପରେ ବଦଳିଲା ଷ୍ଟ୍ରାଟେଜି।  ଏଣିକି ମନ୍ତ୍ରୀମାନଙ୍କୁ ପ୍ରତିବାଦର ତରିକା ବଦଳିବ। ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରି ରାଜରାସ୍ତାରେ ପ୍ରତିବାଦ କରାଯିବ ବୋଲି ଇସାରା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର।

ଲୁଲୁ କହିଛନ୍ତି, ‘ଅଣ୍ଡା ମାଡ଼ କଲେ ପିଲାମାନଙ୍କ ଉପରେ ଆଇପିସିର ଦଫା ୩୦୭ ଲାଗୁଛି। ଫଳରେ ପିଲାମାନଙ୍କୁ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡୁଛି। ତେଣୁ ଷ୍ଟ୍ରାଟେଜି ବଦଳାଇଛୁ। ୩୦୭କୁ ୨୯୪ (ଅଶ୍ଳୀଳ ଆଚରଣ ପାଇଁ ଲାଗୁଥିବା ଆଇପିସି ଦଫା)ରେ ପରିବର୍ତ୍ତନ କରିବୁ। ସେମାନେ (ବିଜେଡି) ଅଶ୍ଳୀଳ ବ୍ୟବହାର କଲେ ଅଶ୍ଳୀଳ ବ୍ୟବହାର ପାଇବେ। ସେମାନେ (ବିଜେଡି) ଶାରୀରକ ଭାବେ ଅସଦାଚରଣ ଓ ରକ୍ତପାତ କରୁଛନ୍ତି। ତେଣୁ ଏହାର ଜବାବ କିଭଳି ଦିଆଯିବ?’

ସେହିଭଳି ଏ ନିଷ୍ପତ୍ତି ତାଙ୍କର ନାଁ ତାଙ୍କ ଦଳର ବୋଲି ପଚରା ଯିବାରେ ଲୁଲୁ କହିଛନ୍ତି,‘ଦଳ ଭିତରେ ମୁଁ ଜଣେ। ସମସ୍ତଙ୍କୁ କ’ଣ ପଚରାଯାଏ ଦଳ ନିଷ୍ପତ୍ତି କ’ଣ ଓ ବ୍ୟକ୍ତିଗତ ନିଷ୍ପତ୍ତି କ’ଣ? ପିଲା ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ତାହା ପୂରା ଠିକ୍।’

ଅନ୍ୟପକ୍ଷରେ ଲୁଲୁଙ୍କ ମନ୍ତବ୍ୟକୁ ମିଳି ନାହିଁ କଂଗ୍ରେସର ସମର୍ଥନ। ଦଳର ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି, ଅଶ୍ଳୀଳ ପ୍ରତିବାଦକୁ ଦଳ ପ୍ରଶୟ ଦିଏ ନାହିଁ। କଂଗ୍ରେସ କେବେ ଅଶ୍ଳୀଳ ପ୍ରତିବାଦରେ ବିଶ୍ୱାସ କରେ ନାହିଁ। କଂଗ୍ରେସ ପ୍ରତିବାଦରେ ବିଶ୍ୱାସ କରେ। ଆବଶ୍ୟକ ସ୍ଥଳେ ପ୍ରତିରୋଧ କରେ। ଅଶ୍ଳୀଳ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବା ଭଳି ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କଂଗ୍ରେସ ନେଇ ନାହିଁ।

କଂଗ୍ରେସର ଅନ୍ୟତମ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ କିଏ କ’ଣ କହିଛି ସେ ନେଇ ତାଙ୍କ ପାଖରେ ନିର୍ଦ୍ଦିଷ୍ଟ କିଛି ଖବର ନାହିଁ। କଂଗ୍ରେସ ଅଶ୍ଳୀଳତାର ବିରୋଧୀ। କୌଣସି ଅଶ୍ଳୀଳ କାର୍ଯ୍ୟରେ ଦଳର ଅନୁମତି ରହିବ ନାହିଁ।

ଲୁଲୁଙ୍କ ନୂଆ ଷ୍ଟ୍ରାଟେଜିକୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳୀୟ ମୁଖ୍ୟପାତ୍ର ପ୍ରତାପ ଜେନା କହିଛନ୍ତି, ଯଦି ସେମାନେ (ଛାତ୍ର କଂଗ୍ରେସ କର୍ମୀ) କୌଣସି ସ୍ଥାନରେ ଅଶ୍ଳୀଳ ପ୍ରଦର୍ଶନ କରନ୍ତି, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଧାରଣ ଲୋକେ ନିଶ୍ଚିତ ଭାବେ ଅଶ୍ଳୀଳତା ବିରୋଧରେ ସ୍ୱର ଉତ୍ତୋଳନ କରିବେ। ତା’ସହିତ ଲୋକଙ୍କ ମଧ୍ୟରେ ଏନେଇ ଏକ ପ୍ରତିକ୍ରିୟା ସୃଷ୍ଟି ହେବ।

ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ପରେ ଏବେ ଲୁଲୁଙ୍କ ନୂଆ ଷ୍ଟ୍ରାଟେଜି ବିଜେଡିକୁ ଯେତିକି ଅସୁବିଧାରେ ପକାଇବ ତା’ଠାରୁ ଅଧିକ ଅଡୁଆ ସୃଷ୍ଟି କରିପାରେ କଂଗ୍ରେସ ଦଳ ପାଇଁ।