ମହାନଦୀ ବିବାଦ: ବିକଳ୍ପ ବ୍ୟବସ୍ଥା ଲାଗି ରାଜ୍ୟର ସରକାରଙ୍କ ପ୍ରସ୍ତୁତି

mahanadiଭୁବନେଶ୍ୱର: ମହାନଦୀ ସମସ୍ୟାର ସମାଧାନ ପାଇଁ ବସିଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବିଫଳ ହେବା ପରେ ଏବେ ଆଇନଗତ ଓ ରାଜନୈତିକ ଲଢେଇକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପାଖରେ ଏବେ ଦୁଇଟି ବାଟ ରହିଛି। ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟକୁ ଯିବେ ନା ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲକୁ ଯିବେ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ମହାନଦୀ ବିବାଦକୁ ନେଇ କ୍ୟାବିନେଟ୍‌ ବୈଠକରେ ଆଇନଗତ ଦିଗ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ପ୍ରକଳ୍ପ କାମ ବନ୍ଦ ପାଇଁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିପାରିବେ। ଏହାସହ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଗଠନ ଲାଗି କ’ଣ ପ୍ରକ୍ରିୟା ରହିଛି ଓ ପରିବେଶ ଜନିତ କ୍ଷତି ହେଉଥିବା କାରଣରୁ ଟ୍ରିବ୍ୟୁନାଲରେ ମାମଲା ରୁଜୁ ସମ୍ପର୍କରେ ମଧ୍ୟ ସରକାର ବିଚାର କରୁଛନ୍ତି। ତେବେ ଟ୍ରିବ୍ୟୁନାଲ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାରଙ୍କୁ ଆବେଦନ କରିବାକୁ ପଡିବ।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟକୁ ଯିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଯାହାକୁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସମର୍ଥନ କରିଛନ୍ତି।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି,“ବିକଳ୍ପ ବ୍ୟବସ୍ଥା ହେଉଛି ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାରଙ୍କୁ ଆବେଦନ କରିବାକୁ ପଡିବ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରନ୍ତୁ। ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ କଥା କେନ୍ଦ୍ର ସରକାର କହୁଛନ୍ତି, ଅର୍ଥ ଛତିଶଗଡ଼ର ବେଆଇନ କାର୍ଯ୍ୟକୁ ସମର୍ଥନ କରୁଛନ୍ତି।”

ଦିଲ୍ଲୀ ବୈଠକ ବିଫଳ ହେଲା ପରେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ର ରମଣ ସିଂଙ୍କ ଉପରେ ବିଜେଡି କର୍ମୀ ରାଗ ସୁଝାଇଛନ୍ତି। ରାଜଧାନୀରେ ଉଭୟଙ୍କ କୁଶପୁତ୍ତଳିକା ଦାହ କରି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।

ଅନ୍ୟପକ୍ଷରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ତା’ର ପ୍ରତିବାଦକୁ ତୀବ୍ର କରିବ ବୋଲି କହିଛି। ବିଧାନସଭାରୁ ଆରମ୍ଭ କରି ଅକ୍ଟୋବରରେ ହେବାକୁ ଥିବା ପଦଯାତ୍ରାରେ ମହାନଦୀକୁ ମୁଖ୍ୟ ଅସ୍ତ୍ର କରିବ ବୋଲି ଦଳ କହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମହାନଦୀ ହିଁ ମୁଖ୍ୟ ପ୍ରସଙ୍ଗ ହେବ। ଆମେ ଲୋକଙ୍କ ପାଖକୁ ଯିବୁ। ଦିଲ୍ଲୀରେ କ’ଣ ହେଲା ଓଡ଼ିଶାବାସୀଙ୍କର ଜାଣିବାର ଆବଶ୍ୟକତା ରହିଛି।”

ତେବେ ବିଜେଡିର ସଫେଇକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ରଖିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ସରକାରରେ ଥାଇ ମଧ୍ୟ ଓଡ଼ିଶାର ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଛନ୍ତି। ସିଏ କ’ଣ ଆନ୍ଦୋଳନ କରିବେ, ତାଙ୍କ ବିରୋଧରେ ରାଜ୍ୟସାବୀ ଆନ୍ଦୋଳନ କରିବେ।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଆଇନଗତ ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ଏ କଥା ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି। ହେଲେ ମହାନଦୀ ପ୍ରସଙ୍ଗକୁ ନେଇ ସେ ଯେଉଁ ପାଲା ଚଲାଇଛନ୍ତି ରାଜ୍ୟବାସୀ ତାହା ଜାଣିଛନ୍ତି।”