ମହାନଦୀ ବିବାଦ: ସୁଫଳ ମିଳିଲାନି, ଓଡ଼ିଶା ଓ ଛତିଶଗଡ଼ ନିଜ ନିଜ ଜିଦ୍‌ରେ ଅଟଳ

mahanadiନୂଆଦିଲ୍ଲୀ: ଓଡ଼ିଶା- ଛତିଶଗଡ଼ ମହାନଦୀ ଜଳ  ବିବାଦକୁ ନେଇ ଆଜି ନୂଆଦିଲ୍ଲୀରେ ଶ୍ରମଶକ୍ତି ଭବନରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ବିଶେଷ କିଛି ସୁଫଳ ମିଳି ନାହିଁ। ଉଭୟ ରାଜ୍ୟ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମହାନଦୀ ନେଇ ଆମେ ଦୃଢ଼ ଯୁକ୍ତି ଉପସ୍ଥାପନ କଲୁ। ଆମେ କହିଲୁ ମହାନଦୀ ଓଡ଼ିଶାର ଲାଇଫ୍‌ଲାଇନ୍‌। ଓଡ଼ିଶାର ୬୫ ପ୍ରତିଶତ ଲୋକ ଏହା ଉପରେ ନିର୍ଭର କରନ୍ତି। ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ଆମେ ବିରୋଧ କଲୁ। ଏହା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ। ପରିବେଶ ଉପରେ ଏହାର ପ୍ରଭାବ ପଡ଼ିବ। ସାତକୋଶିଆ, ଭିତର କନିକା ଓ ଚିଲିକା ପ୍ରଭାବିତ ହେବ। ସେଥିପାଇଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଆମେ ଦାବି କଲୁ ଏବଂ ଏକ ବିଶେଷଜ୍ଞ କମିଟି ଗଠନ କରି ଏହାର ଅନୁଧ୍ୟାନ କରିବାକୁ ଦାବି କଲୁ। ତେବେ ଆମର ଦାବିଗୁଡ଼ିକ ଗ୍ରହଣ କରିବାକୁ ଛତିଶଗଡ଼ ମନା କରି ଦେଲା।”

ମୁଖ୍ୟମନ୍ତ୍ରୀ କହିଛନ୍ତି,“ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟ କ୍ୟାବିନେଟ୍‌ର ଏକ ବୈଠକ ଡକାଯାଇଛି। ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ରଣନୀତି ପ୍ରସ୍ତୁତ କରାଯିବ।”

ବୈଠକ ପରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ କହିଛନ୍ତି,“ଏକ ସପ୍ତାହ ମଧ୍ୟରେ ଏକ କମିଟି ଗଠନ କରାଯିବ। ଏହି କମିଟି ଉଭୟ ରାଜ୍ୟରେ ହୋଇଥିବା ପ୍ରକଳ୍ପଗୁଡ଼ିକୁ ତର୍ଜମା କରିବ। ତା’ସହିତ ଉଭୟ ରାଜ୍ୟ ଦେଇଥିବା ପ୍ରସ୍ତାବଗୁଡ଼ିକ ଉପରେ ମଧ୍ୟ ଏହି କମିଟି ତର୍ଜମା କରିବ। ଉଭୟ ରାଜ୍ୟ ପ୍ରକଳ୍ପ ନିର୍ମାଣରେ କୌଣସି ନିୟମକୁ ଉଲ୍ଲଘଂନ କରିଛନ୍ତି କି ନାହିଁ ତା’ର ବି ତର୍ଜମା କରାଯିବ। ସପ୍ତାହକ ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସେ କହିଛନ୍ତି,“ଉଭୟ ରାଜ୍ୟଙ୍କୁ ମୁଁ ପରାମର୍ଶ ଦେଇଛି ପରସ୍ପରର ହିତ କାମନା କରିବାକୁ।”

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି,“ଛତିଶଗଡ଼ରୁ ଯେତିକି ପାଣି ଯାଉଛି ସେଥିରେ ହୀରାକୁଦ ୫ ଥର ଭର୍ତ୍ତି ହୋଇଯିବ। ଛତିଶଗଡ଼ ମହାନଦୀର ମାତ୍ର ୧୫ ପ୍ରତିଶତ ଜଳ ବ୍ୟବହାର କରୁଛି। ମହାନଦୀର ୫୭ ପ୍ରତିଶତ ଜଳ ସମୁଦ୍ରକୁ ଚାଲି ଯାଉଛି।”

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ମଧ୍ୟସ୍ଥତା କରିଥିଲେ।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମାଭାରତୀ ଗଣମାଧ୍ୟମରେ ଯେଉଁ ବିବୃତି ରଖିଛନ୍ତି ସେଥିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ। ଯେଉଁ ପାଣି ହୀରାକୁଦକୁ ଆସୁଥିଲା ତାହା ଆସିବ।”

ଏହି ବୈଠକରେ ଓଡ଼ିଶାରୁ ଶିଳ୍ପ  ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ଜଳ ସମ୍ପଦ  ବିଭାଗର ସଚିବ ଉପସ୍ଥିତ ଥିଲେ।