ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଅସମାପ୍ତ, ଆସନ୍ତାକାଲି ପୁଣି ହେବ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆଜି ବିଧାନସଭାରେ ଆଲୋଚନା ସମାପ୍ତ ହୋଇପାରିନି। ଆସନ୍ତାକାଲି ଅପରାହ୍ନରେ ଏ ପ୍ରସଙ୍ଗରେ ପୁଣି ଆଲୋଚନା ହେବ। ଆଜି ୬ ଘଣ୍ଟାରୁ ଅଧିକ ସମୟ ଧରି ଏ ଉପରେ ଆଲୋଚନା ହୋଇଥିଲା।  ଏ ସମ୍ପର୍କରେ ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ମୋସନ୍‌ ଆଣିଥିଲେ। ସେ କହିଛନ୍ତି,“ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ୨୦୦୩ରୁ ୨୦୧୦ ମଧ୍ୟରେ ୧୨ଟିରୁ ଅଧିକ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ କରୁଛି। ଏହି ପ୍ରକଳ୍ପ ଗୁଡ଼ିକୁ ସିଡବ୍ଲ୍ୟୁସି ଅନୁମତି ଦେଇନାହାନ୍ତି। ମହାନଦୀକୁ ନେଇ […]

assemble

assemble

Rakesh Mallick
  • Published: Friday, 23 September 2016
  • Updated: 23 September 2016, 07:59 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆଜି ବିଧାନସଭାରେ ଆଲୋଚନା ସମାପ୍ତ ହୋଇପାରିନି। ଆସନ୍ତାକାଲି ଅପରାହ୍ନରେ ଏ ପ୍ରସଙ୍ଗରେ ପୁଣି ଆଲୋଚନା ହେବ। ଆଜି ୬ ଘଣ୍ଟାରୁ ଅଧିକ ସମୟ ଧରି ଏ ଉପରେ ଆଲୋଚନା ହୋଇଥିଲା।  ଏ ସମ୍ପର୍କରେ ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ ମୋସନ୍‌ ଆଣିଥିଲେ।

ସେ କହିଛନ୍ତି,“ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ୨୦୦୩ରୁ ୨୦୧୦ ମଧ୍ୟରେ ୧୨ଟିରୁ ଅଧିକ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ କରୁଛି। ଏହି ପ୍ରକଳ୍ପ ଗୁଡ଼ିକୁ ସିଡବ୍ଲ୍ୟୁସି ଅନୁମତି ଦେଇନାହାନ୍ତି। ମହାନଦୀକୁ ନେଇ ଛତିଶଗଡ଼ ସରକାର ଦାଦାଗିରି କରୁଛି। ଏହି ବ୍ୟାରେଜ ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାର ଲୋକେ ବେଶୀ ଅସୁବିଧାରେ ପଡ଼ିବେ।”

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ ମସେ ଧରି ମହାନଦୀ ଓ ପୋଲାଭରମ୍‌କୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ହୋଇଥିଲା। ଲୋକଙ୍କ କୋହକୁ ବିଧାୟକମାନେ ସମ୍ଭାଳି ପାରିନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହକୁ ବନ୍ଦ କରିବା ଆମର କୌଣସି ଉଦ୍ଦେଶ୍ୟ ନଥିଲା। ମହାନଦୀ ୮୩୦ କିମି ମଧ୍ୟରୁ ୫୮୦ କିମି ଓଡ଼ିଶାରେ ପ୍ରବାହିତ ହେଉଛି। ସେଥିପାଇଁ ଭାରତ ସରକାର ଓଡ଼ିଶାରେ ହୀରାକୁଦ ଡ୍ୟାମ ତିଆରି କରିଥିଲେ। ଏବେ ଛତିଶଗଡ଼ ସରକାର ଶିଳ୍ପକୁ ପାଣି ଯୋଗାଇବା ପାଇଁ ମହାନଦୀର ଉପରମୁଣ୍ଡରେ ଅନେକ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ କରୁଛନ୍ତି। ଯାହାଦ୍ୱାରା ତଳ ମୁଣ୍ଡକୁ ପାଣି ଆସିବ ନାହିଁ। ଏଥିରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ୍‌ ଭାବେ ବ୍ୟାରେଜ ନିର୍ମାଣ କରିଥିବା ବେଳେ ଓଡ଼ିଶା ସରକାର ବିରୋଧ କଲେ ନାହିଁ। ଯେଉଁ ସମୟରେ ସିଡବ୍ଲ୍ୟୁସି, ଛତିଶଗଡ଼ ସରକାର, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଚିଠି ଲେଖିବା କଥା ତାହା ମଧ୍ୟ କଲେନି। ସେତେବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ଯେତେବେଳେ ନିଦ ଭାଙ୍ଗିଲା ସେତେବେଳକୁ ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ କରିସାରିଥିଲେ। ଏବେ ଓଡ଼ିଶା ସରକାର ବାସ୍ତବରେ ମହାନଦୀର ପାଣିର ସୁରକ୍ଷା ପାଇଁ ଲଢୁଛି ନା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ତାହା ଜଣାପଡ଼ୁନି। ଦୁଇ ଦିନ ଧରି ବିଧାନସଭା ବନ୍ଦ କରିଦେଲେ କ’ଣ ସବୁ ସମାଧାନ ହୋଇଯିବ? ମହାନଦୀ ଜଳ ପାଇଁ ଯେଉଁ ନିୟମରେ ଲଢ଼ିବା କଥା ଆଜି ମଧ୍ୟ ଓଡ଼ିଶା ସରକାର ପ୍ରସ୍ତୁତ କରିନାହାନ୍ତି।”

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି, “ମହାନଦୀରେ ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶାରେ କ୍ଷତି ହେବ ଏକଥା ଆମେ ସ୍ୱୀକାର କରୁଛୁ। ୨୦୧୦ରେ ତାଙ୍କର ଜଣେ ମନ୍ତ୍ରୀ କରୁଛନ୍ତି ମହାନଦୀରୁ ହୀରାକୁଦକୁ ୩ ମିଲିଅନ୍‌ ଏକର ପାଣି ପ୍ରବାହିତ ହେଉଛି। ୨୦୧୫-୧୬ ବେଳକୁ ସରକାରଙ୍କ ନିଦ ଭାଙ୍ଗିଲା। ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଏହି ସରକାର ପାଖରେ ତଥ୍ୟ ଥିଲା। ପଞ୍ଚାୟତ ନିର୍ବାଚନ ଆସିବା ପରେ ରାଜନୈତିକ ଡ୍ରାମା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos