ମହାନଦୀ ପରେ ଇବ୍‌ ଓ ଇନ୍ଦ୍ରାବତୀ-ଜହଁରା ଉପରେ ଛତିଶଗଡର ଆଖି

ଭୁବନେଶ୍ୱର: ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବାହିତ ଇବ୍‌ ଓ ଇନ୍ଦ୍ରାବତୀ-ଜହଁରା ନଦୀରେ ଡ୍ୟାମ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଗୋଟିଏ ପଟେ ଛତିଶଗଡ ସରକାର ସୁନ୍ଦରଗଡ ଜିଲ୍ଲାର ସଦର ମହକୁମାଠାରୁ ୫୩ କିଲୋମିଟର ଦୂର ସମଡଗା ପଞ୍ଚାୟତର ଶାଙ୍କୋଠା ଠାରେ ଇବ୍‌ ନଦୀର ଉପରମୁଣ୍ଡରେ ଆନିକଟ୍‌ ନିର୍ମାଣ ପାଇଁ […]

IBB_RIVER

IBB_RIVER

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 09:35 PM IST

OR photoଭୁବନେଶ୍ୱର: ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବାହିତ ଇବ୍‌ ଓ ଇନ୍ଦ୍ରାବତୀ-ଜହଁରା ନଦୀରେ ଡ୍ୟାମ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି।

ଗୋଟିଏ ପଟେ ଛତିଶଗଡ ସରକାର ସୁନ୍ଦରଗଡ ଜିଲ୍ଲାର ସଦର ମହକୁମାଠାରୁ ୫୩ କିଲୋମିଟର ଦୂର ସମଡଗା ପଞ୍ଚାୟତର ଶାଙ୍କୋଠା ଠାରେ ଇବ୍‌ ନଦୀର ଉପରମୁଣ୍ଡରେ ଆନିକଟ୍‌ ନିର୍ମାଣ ପାଇଁ ଛତିଶଗଡ ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲା ସୁଟିପଦରରେ ଇନ୍ଦ୍ରାବତୀ ଓ ଜହଁରାନଦୀରେ ବ୍ୟାରେଜ ସମ୍ପୂର୍ଣ୍ଣ କରି ନିଜ ରାଜ୍ୟକୁ ପାଣି ଟାଣିବା ଲାଗି ପ୍ରୟାସ ଚଳାଇଛି।ଏହାକୁ ନେଇ ଆଶଙ୍କାରେ କୋଟପାଡ ବ୍ଲକର ୫ରୁ ୭ଟି ଗ୍ରାମପଞ୍ଚାୟତର ହଜାର ହଜାର ପରିବାର।

ସୁନ୍ଦରଗଡ ଜିଲ୍ଲା ଇବ୍‌ ନଦୀରେ ଛତିଶଗଡ ସରକାର ଆନିକଟ ନିର୍ମାଣ ପାଇଁ ୧୪, ୮୪, ୬୩,୦୦୦ ଟଙ୍କା ବ୍ୟାୟ ବରାଦ ଅଟକଳ କରିଥିବା ବେଳେ ଏହି ଆନିକଟ ନିର୍ମାଣ ପାଇଁ ଗତବର୍ଷ ଡିସେମ୍ବରରେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ଶେଷ ହୋଇଛି।

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି,“ଇବ୍‌ ନଦୀରେ ଛତିଶଗଡ ସରକାର ଆନିକଟ ନିର୍ମାଣ କରୁଥିବା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ। ଗଣମାଧ୍ୟମରୁ ଖବର ପାଇବା ଆମେ ପରେ ଜଳ ସମ୍ପଦ ବିଭାଗରୁ ଏକ ବିଷୟରେ ତଥ୍ୟ ସଂଗ୍ରହ କରିବୁ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନେବୁ।”

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ସୁଟିପଦରରେ ଇନ୍ଦ୍ରାବତୀ ଓ ଜହଁରା ନଦୀ ସଙ୍ଗମ ସ୍ଥଳରେ ଛତିଶଗଡ ସରକାରଙ୍କ ଦ୍ୱାରା ନିର୍ମିତ ଏକ ଡ୍ୟାମ୍‌କୁ ନେଇ ଚିନ୍ତାରେ ଅଛନ୍ତି ଜିଲ୍ଲାର ୫/୭ଟି ଗ୍ରାମ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ। ଏହି ପ୍ରକଳ୍ପ ଓଡ଼ିଶାରେ ତିଆରି ହୋଉଥିଲେ ମଧ୍ୟ ଏହାର ପାଣି ଛତିଶଗଡ ନେବ। ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ଛତିଶଗଡ ସରକାରଙ୍କ ଅର୍ଥରେ ନିର୍ମିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ୨ ମାସ ତଳେ ଶେଷ ହୋଇଛି।

କୋଟପାଡ ବାସିନ୍ଦା ସୁଧୀର ମହାନ୍ତି କହିଛନ୍ତି,“ସୁଟିପଦରରେ ଇନ୍ଦ୍ରାବତୀ ଓ ଜହଁରା ନଦୀ ସଙ୍ଗମ ସ୍ଥଳରେ ଛତିଶଗଡ ସରକାରଙ୍କ ଦ୍ୱାରା ନିର୍ମିତ ଏହି ଡ୍ୟାମ୍‌ରେ ଆମର କିଛି ଲାଭ ହେବ ନାହିଁ। ଏହଦ୍ୱାରା ଛତିଶଗଡ ସରକାରଙ୍କ ଉପକାର ହେବ। ଏଥିରେ ଆମର ୫/୭ଟି ପଞ୍ଚାୟତର ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହେବେ। ବର୍ଷାଦିନେ ଏହି ଅଞ୍ଚଳରେ ପାଣିରେ ବୁଡି ରହିବା ବେଳେ ଖରାଦିନେ ପାଣିର ଘୋର ଅଭାବ ଦେଖାଦେବ।”

କୋଟପାଡ ତହସିଲଦାର ସୁବାସ ଚନ୍ଦ୍ର ରଇତ କହିଛନ୍ତି,“ଇନ୍ଦ୍ରାବତୀ ଓ ଜହଁରା ନଦୀ ସଙ୍ଗମ ସ୍ଥଳରେ ଛତିଶଗଡ ସରକାରଙ୍କ ଅର୍ଥରେ ନିର୍ମିତ ଏହି ଡ୍ୟାମ୍‌ ଉଭୟ ରାଜ୍ୟ ମଧ୍ୟରେ ଚୁକ୍ତି ମୁତାବକ ନିର୍ମାଣ ହୋଇଛି। ଯଦି ଏହି ଡ୍ୟାମ୍‌ରୁ ଛତିଶଗଡକୁ ଅଧିକ ପାଣି ଯାଏ ତେବେ ଏହି ଅଞ୍ଚଳରେ ଖରାଦିନିଆ କରାଯାଉଥିବା ଚାଷରେ ବହୁ ସମସ୍ୟା ଦେଖା ଦେଇପାରେ। ଏହି ପ୍ରକଳ୍ପ ତ ଚଳିତ ବର୍ଷ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦେଖିବା କ’ଣ ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos