ମହାନଦୀ ପ୍ରସଙ୍ଗ: ୨୦୧୫ରୁ ଛତିଶଗଡ଼କୁ ମିଳିଛି ପରିବେଶ ମଞ୍ଜୁରୀ, ଓଡ଼ିଶା ପାଖରେ ଖବର ନାହିଁ

mahanadiଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଅର୍ପା-ଭାଇନସାଂଝର ପ୍ରକଳ୍ପକୁ ୨୦୧୫ ମେ ୮ ତାରିଖରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ମଞ୍ଜୁରୀ ଦେଇସାରିଛି। ଏବେ ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଓଡ଼ିଶା ସରକାର ଏତେଦିନ ହେଲା କିପରି ଏ ବିଷୟରେ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ପ୍ରକଳ୍ପ ପାଇଁ ଛତିଶଗଡ଼ ସରକାରଙ୍କୁ ସର୍ତ୍ତମୂଳକ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଏତେଦୂର ଆଗେଇ ସାରିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଖବର ନ ଥିଲା। ଏହା ଜଣାପଡିବା ପରେ ଏବେ ବିବାଦୀୟ ସ୍ଥିତି ଉପୁଜିଛି। ଚଳିତମାସ ଶେଷ ସପ୍ତାହରେ ଛତିଶଗଡ଼, ଓଡ଼ିଶା ଓ ସିଡବ୍ଲ୍ୟୁସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ପ୍ରକଳ୍ପକୁ ନେଇ ସବିଶେଷ ଆଲୋଚନା ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାନଦୀ ମାମଲାରେ ଚୁକ୍ତି ଅନୁସାରେ ଓଡିଶା ସରକାର ଛତିଶଗଡ ସହ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ୧୯୮୩ ମସିହାର ଚୁକ୍ତି ଆଧାରରେ ବୋର୍ଡ ଗଠନ ନ ହେବା ଆଜିର ସମସ୍ୟାକୁ ଜନ୍ମ ଦେଇଛି। ସମସ୍ୟାର ସମାଧାନ ନ ହେଲେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରୀୟ ଜଳ କମିଶନ ମଧ୍ୟସ୍ଥତା ଲୋଡନ୍ତୁ।”

ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବନ୍ଧ ନିର୍ମାଣ ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ସହ କୌଣସି ମତେ ସାଲିସ କରାଯିବ ନାହିଁ। ଦୀର୍ଘଦିନରୁ ଓଡିଶା ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ମହାନଦୀ ନେଇ

ଦୁଇ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ୧୯୮୩ରେ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ମଧ୍ୟରେ ମହାନଦୀ ଜଳ ସମସ୍ୟା ନେଇ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। କେନ୍ଦ୍ରୀୟ ଜଳ କମିଶନଙ୍କ

ମଧ୍ୟସ୍ଥତାରେ ଅନୁଷ୍ଠିତ ଏହି ବୁଝାମଣା ଅନୁସାରେ ମହାନଦୀ ଜଳକୁ ନେଇ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ସ୍ଥାପନା କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଦୀର୍ଘଦିନ ଧରି ଓଡିଶା ଏହି ବୋର୍ଡ ଗଠନ ପାଇଁ କୌଣସି ପଦକ୍ଷେପ ନେଇନାହିଁ। ଚୁକ୍ତି ଅନୁସାରେ ଓଡିଶା ସରକାର ଏହି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ ଓ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ଜଳ କମିଶନଙ୍କ ମଧ୍ୟସ୍ଥତା ପାଇଁ ସହାୟତା ନିଅନ୍ତୁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡକିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ରାଜ୍ୟର ସ୍ୱାର୍ଥ ରକ୍ଷା ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ଯଦି ଆପଣ (ମୁଖ୍ୟମନ୍ତ୍ରୀ) ବୈଠକ ଡାକିବେ ନାହିଁ, ମୁଁ ଡାକିବାକୁ ପ୍ରସ୍ତୁତ ଅଛି।”

ଅନ୍ୟପକ୍ଷରେ ମହାନଦୀ ଉପରେ ଥିବା ରାମସାଗର ଜଳଭଣ୍ଡାର ପ୍ରକଳ୍ପରୁ ତନ୍ଦୁଲା ଡ୍ୟାମକୁ ୫୪ କି.ମି.ର କେନାଲ କରି ୮୫ ନିୟୁତ କ୍ୟୁବିକ ଲିଟର ପାଣି ନେବାକୁ ଛତିଶଗଡ଼ ସରକାର ଚାହୁଁଛି। ଏହାକୁ ମଧ୍ୟ ଓଡ଼ିଶା ସରକାର ବିରୋଧ କରୁଛନ୍ତି। ମହାନଦୀରେ ୩୦ରୁ ୪୦ କି.ମି. ଭିତରେ ଛତିଶଗଡ଼ ସରକାର ସାଲଡିହ ଓ କାଲମା ଭଳି ୬ଟି ବ୍ୟାରେଜ କରିଥିବାରୁ ମହାନଦୀର ଜଳ ପ୍ରବାହ କମୁଛି।

ପରିବେଶବିତ ରମେଶ ଅଗ୍ରୱାଲ କହିଛନ୍ତି, “ପ୍ରଭାବିତ ପକ୍ଷ କେନ୍ଦ୍ରକୁ ନିଜ ସମସ୍ୟା କଥା ଜଣାଇବା କଥା। ଓଡ଼ିଶା ସରକାର କେନ୍ଦ୍ର ପାଖକୁ ଗଲେ ସେ ଏହାକୁ ଅନୁଧ୍ୟାନ କରିବେ। ହୀରାକୁଦ ଜଳଭଣ୍ଡାର ଉପରେ ଏହାର କି ପ୍ରଭାବ ପଡିବ ତାର ଅନୁଧ୍ୟାନ ହେବାର ଆବଶ୍ୟକତା ରହିଛି।”

ଏହି ପ୍ରକଳ୍ପକୁ ନେଇ ଛତିଶଗଡ଼ ସରକାରଙ୍କୁ ବିଜେଡି ପୁଣି ଟାର୍ଗେଟ କରିଛି। ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି, “ଛତିଶଗଡ଼ ସରକାର ଯେତିକି ଦାୟୀ, କେନ୍ଦ୍ର ଜଳ ଆୟୋଗ ତା’ଠାରୁ ଅଧିକ ଦାୟୀ। ଏହି ପ୍ରକଳ୍ପ ଦ୍ୱାରା ହୀରାକୁଦ ଡ୍ୟାମ୍‌ର ବ୍ୟାପକ କ୍ଷତି ହେବ। ତୁରନ୍ତ ବ୍ୟାରେଜ କାମ ବନ୍ଦ କରାଯିବା ସହ ହୋଇଥିବା ନିର୍ମାଣ ଭଙ୍ଗାଯାଉ।”

ଏପରି ସ୍ଥିତି ଉପୁଜିବା ପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପି ବିଧାୟକ ରାଧାରାଣୀ ପଣ୍ଡ କହିଛନ୍ତି, “ଛତିଶଗଡ଼ ସରକାର ତା’ ରାଜ୍ୟର ଚାଷୀଙ୍କ ପାଇଁ ବ୍ୟାରେଜ ତିଆରି କଲା। ଓଡ଼ିଶା ସରକାର କେଉଁଠି ଶୋଇଥିଲେ। ମୁଁ ନିଜେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଥିଲି, ସରକାର କିଛି ଉତ୍ତର ନ ଦେଇ ଚୁପ ରହିଲେ। ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି।”