ମହାନଦୀ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ଫ୍ୟାକ୍ଟ ଫାଇଡିଂ ଟିମ୍‌

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶଗଡ଼ ଯାଇଥିବା ବିଜେଡି ଫ୍ୟାକ୍ଟ ଫାଇଡିଂ ଟିମ୍‌ ୨୫ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ଦେବା ପରେ ଟିମ୍‌ ମୁଖ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ଛତିଶଗଡ଼ର ପ୍ରକଳ୍ପ ହେଲେ ଓଡ଼ିଶାର ବ୍ୟାପକ କ୍ଷତି ଘଟିବ।” ଛତିଶଗଡ଼ ପ୍ରକଳ୍ପ ନିର୍ମାଣ କରିବାରେ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି ବୋଲି ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଛତିଶଗଡ଼ ସରକାର ଜଳସେଚନ […]

mahanadi

mahanadi

Rakesh Mallick
  • Published: Sunday, 11 September 2016
  • Updated: 11 September 2016, 10:01 PM IST

Sports

Latest News

mahanadiଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶଗଡ଼ ଯାଇଥିବା ବିଜେଡି ଫ୍ୟାକ୍ଟ ଫାଇଡିଂ ଟିମ୍‌ ୨୫ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ଦେବା ପରେ ଟିମ୍‌ ମୁଖ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ଛତିଶଗଡ଼ର ପ୍ରକଳ୍ପ ହେଲେ ଓଡ଼ିଶାର ବ୍ୟାପକ କ୍ଷତି ଘଟିବ।”

ଛତିଶଗଡ଼ ପ୍ରକଳ୍ପ ନିର୍ମାଣ କରିବାରେ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି ବୋଲି ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଛତିଶଗଡ଼ ସରକାର ଜଳସେଚନ ନାଁରେ ପିପିପି ମୋଡରେ ପ୍ରକଳ୍ପ କରି ଶିଳ୍ପକୁ ପାଣି ଦେବାକୁ ଯୋଜନା କରିଛନ୍ତି। କେନ୍ଦ୍ର ଜଳ ଆୟୋଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ବିନା ଅନୁମତିରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଏପରିକି ଏଥିପାଇଁ ଓଡ଼ିଶାର ମତାମତ ନିଆଯାଇ ନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସେହିପରି ଛତିଶଗଡ଼ ସରକାର ପରିବେଶ ନିୟମ ଉଲ୍ଲଂଘନ କରିବା ଏବଂ ମହାନଦୀ ବେସିନରେ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଲୁଚାଇଥିବା ଏଥିରେ ଦର୍ଶାଯାଇଛି। ଛତିଶଗଡ଼ର ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ଗୁରୁତର ପ୍ରଭାବିତ ହେବ ବୋଲି ଟିମ୍‌ କହିଛି।

ମହାନଦୀକୁ ନେଇ ସମସ୍ୟା ଦେଖା ଦେଇଛି ଏଥିପାଇଁ ଆଚାର୍ଯ୍ୟ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ହେଲେ ଓଡ଼ିଶାର ବ୍ୟାପକ କ୍ଷତି ଘଟିବ। ଏହି ପ୍ରକଳ୍ପ ନିର୍ମାଣ ବେଳେ ଓଡ଼ିଶାର ସ୍ୱାର୍ଥକୁ ବଳି ଦିଆଯାଇଛି। ଏହା କେନ୍ଦ୍ର ସରକାର, ଛତିଶଗଡ଼ ସରକାର ଏବଂ ରାଜ୍ୟ ବିଜେପିର ମିଳିତ ଚକ୍ରାନ୍ତ।”

ସେ ଆହୁରି କହିଛନ୍ତି,“ମହାନଦୀକୁ ନେଇ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀଙ୍କ ବୟାନ ବିପଜ୍ଜନକ। ୧୭ ତାରିଖରେ ହେବାକୁ ଥିବା ବୈଠକକୁ ଭଣ୍ଡୁର କରିବାକୁ ଛତିଶଗଡ଼ ମନ୍ତ୍ରୀ ପ୍ରୟାସ କରୁଛନ୍ତି।”

ସେ କହିଛନ୍ତି, “ତଳମୁଣ୍ଡର ରାଜ୍ୟ ଭାବେ ଓଡ଼ିଶାର ଅଧିକାରକୁ କିପରି କ୍ଷୁର୍ଣ୍ଣ କରାଯାଉଛି ଓ ଏକ ସଂଘୀୟ ବ୍ୟବସ୍ଥାରେ ଥିବା ବିଧିବ୍ୟବସ୍ଥା ଓ ନିୟମକୁ କିପରି ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି, ସେ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଛି।”

ଅନ୍ୟପକ୍ଷରେ ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଚାଷୀଙ୍କ ସ୍ୱାର୍ଥ ପାଇଁ ଯେଉଁ ସରକାର ସମର୍ପିତ ନୁହେଁ, ସେ ଏପରି କାର୍ଯ୍ୟ କରୁଥିବ। ମହାନଦୀ ହେଉ କି ପୋଲାଭରମ୍‌ ପ୍ରସଙ୍ଗ, ଏ ସରକାର କେବଳ ଭୋଟ୍‌ ରାଜନୀତି କରୁଛି। ଲୋକଙ୍କ ଉନ୍ନତି ଓ ଓଡ଼ିଶାର ବିକାଶ କଥା ଚିନ୍ତା କରୁନାହାନ୍ତି।”

ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ରର ତ୍ରିପାକ୍ଷିକ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲିକୁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ବୈଠକରେ ଓଡ଼ିଶା ପକ୍ଷରୁ କ’ଣ ପକ୍ଷ ରଖାଯିବ ସେ ନେଇ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଡାକିଛନ୍ତି। ଆମ ପାଖରେ ଛତିଶଗଡ଼ର କିଛି ଲିଖିତ କାଗଜ ନ ଥିଲେ ମଧ୍ୟ ଯାହା ସୂଚନା ରହିଛି ତାକୁ ନେଇ ଆସନ୍ତାକାଲି ବୈଠକରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ତାହାକୁ ଆଧାର କରି କେନ୍ଦ୍ର ଡାକିଥିବା ବୈଠକକୁ ଯିବୁ।”

ଅନ୍ୟପକ୍ଷରେ ଉପରମୁଣ୍ଡରେ ଛତିଶଗଡ଼ର ୮ଟି ପ୍ରକଳ୍ପ ପରେ ମହାନଦୀକୁ ଜଳ ପ୍ରବାହ କମିଥିବା ଜଣାପଡିଛି। ଆରଟିଆଇ ଆଧାରରେ ଛତିଶଗଡ଼ ଜଳ ସମ୍ପଦ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ମହାନଦୀ କାଶଡଲ ଜିଡି ସାଇଟ୍‌ରେ ଜଳ ପ୍ରବାହ ହ୍ରାସ ପାଇଛି। ୨୦୦୧ରୁ ୨୦୧୫-୧୬ ତଥ୍ୟରୁ ଏହା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos