ଭୁବନେଶ୍ୱର: ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭା ବେଳେ ମହିଳାଙ୍କ କଳା ଓଢଣି ଖୋଲାଯିବା ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦଳ ପକ୍ଷରୁ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିକ୍ଷୋଭ ଚାଲିଛି।
ଭୁବନେଶ୍ୱରରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରା କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ। ମାଆକୁ ଅସମ୍ମାନ ଓଡ଼ିଆ ଜାତିକୁ ଅସମ୍ମାନ ବୋଲି ଦଳ ଅଭିଯୋଗ କରିଛି।
ଗତକାଲି ଏହି ଘଟଣାକୁ ନେଇ ଗୃହରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରାଜ୍ୟର ସବୁ ବ୍ଲକ୍ ଓ ପୌରାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ଦେଇଥିଲେ। ସେ କହିଥିଲେ,“ଦୁଃଶାସନମୁଖୀ ପୋଲିସ୍ ମହିଳାଙ୍କୁ ଉଲଗ୍ନ କରିବାକୁ ଚେଷ୍ଟା କରିଛି। ପୂର୍ବରୁ ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମଧ୍ୟ ଏଭଳି କରାଯାଇଥିଲା। ମହିଳାଙ୍କୁ କଳା ସାୟାର ଖୋଲି ଦେବାକୁ କୁହାଯାଇଥିଲା। ଏହା ବିକୃତ ମାନସିକତା। ମହିଳାଙ୍କ ସ୍ୱାଭିମାନକୁ ଅପମାନିତ କରାଯାଇଛି। ମାନବାଧିକାରର ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏସବୁ କରାଯାଇଛି। ଏ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ମା’ ଓ ଭଉଣୀଙ୍କୁ କ୍ଷମା ମାଗିବା ଉଚିତ୍। ଯେଉଁମାନଙ୍କ ମାଧ୍ୟମରେ ଏ କାର୍ଯ୍ୟ କରାଯାଇଛି ସେମାନଙ୍କୁ ରାଜ୍ୟ ସରକାର ଦଣ୍ଡିତ କରିବା ଉଚିତ୍।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।