ମାଲକାନଗିରି: ୫ ମାଓବାଦୀଙ୍କ ଆତ୍ମସମର୍ପଣ

5-mao-surrenderମାଲକାନଗିରି: ମାଲକାନଗିରିରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନିଙ୍କ ନିକଟରେ ଆଜି ପୁଣି ୩ ଜଣ ମାଓବାଦୀର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦରଭା ଡିଭିଜନ ଏରିଆ କମାଣ୍ଡର ରାଜୁ ସୋଢି। ରାଜଜୁ ନାଁରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଆତ୍ମସମର୍ପଣ କରିଥିବା ଅନ୍ୟ ୨ ଜଣ ହେଲେ ଲକ୍ଷ୍ମଣ ମାଡକାମୀ ଓ ଦେବ ବେଟୀ।

ଅନ୍ୟପକ୍ଷରେ ଆଜି ସକାଳେ ଏକ ହାର୍ଡକୋର ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ। ତାଙ୍କୁ ମିଶାଇ ମୋଟ ଆଜି ୫ ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି।

ସେମାନେ ହେଲେ ଶୁକଦେବ ଓ ରୁକ୍ମିଣୀ। ସେମାନେ ପତିପତ୍ନୀ। ଶୁକଦେବ କାଲିମେଳା ଡିଭିଜନର ଏରିଆ କମାଣ୍ଡର ଥିଲେ। ରୁକ୍ମିଣୀ ବୈପାରିଗୁଡ଼ା ଡିଭିଜନରେ କାର୍ଯ୍ୟ କରୁଥିଲେ। ଶୁକଦେବଙ୍କ ନାଁରେ ପ୍ରାୟ ୧୦୦ ମାମଲା ରହିଥିବା ବେଳେ ରୁକ୍ମିଣୀଙ୍କ ନାଁରେ ପ୍ରାୟ ୫୦ ମାମଲା ରହିଥିଲା। ଗତ କିଛି ବର୍ଷ ମଧ୍ୟରେ ମାଲକାନଗିରିରେ ଘଟଥିବା ପ୍ରାୟ ସବୁ ବଡ଼ ଘଟଣାରେ ଏମାନେ ସଂପୃକ୍ତ ଥିଲେ। ଚିତ୍ରକୋଣ୍ଡା ଆକ୍ରମଣ, ପୂର୍ବତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କୁ ଅପହରଣ, ଏମ୍‌ଭି ୧୨୬ରେ ଆଣ୍ଟିଲ୍ୟାଣ୍ଡମାଇନ୍ ଗାଡ଼ି ବିସ୍ଫୋରଣ ଭଳି ଘଟଣାରେ ଏ ଦୁଇ ଜଣଙ୍କ ସଂପୃକ୍ତି ରହିଥିଲା। ଉଭୟ ୧୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ।

ଶୁକଦେବଙ୍କୁ ଧରାଇ ଦେଲେ ୫ ଲକ୍ଷ ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଥିଲା। ସେହିପରି ରୁକ୍ମିଣୀଙ୍କୁ ଧରାଇ ଦେଲେ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।