ହତୋତ୍ସାହିତ ହୋଇ ନିରୀହ ଲୋକଙ୍କୁ ମାରୁଥିବା ମାଓବାଦୀଙ୍କୁ ଦିଆଯିବ ଦୃଢ଼ ଜବାବ: ଡିଜିପି

dgpକୋରାପୁଟ: ସ୍ଥିତି ଓ ସମର୍ଥନ ହରାଇ ମାଓବାଦୀମାନେ ହତୋତ୍ସାହିତ ହୋଇ ପଡ଼ିଛନ୍ତି। ହତୋତ୍ସାହିତ ହୋଇ ସେମାନେ ନିରୀହ ଲୋକଙ୍କୁ ମାରୁଛନ୍ତି। ଏହାର ଦୃଢ଼ ଜବାବ ଦିଆଯିବ। ମାଓବାଦୀ ବିରୋଧୀ ଅପରେସନକୁ ଜୋରଦାର କରାଯିବ। ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ ଏ କଥା କହିଛନ୍ତି। ଶୁକ୍ରବାର କୋରାପୁଟଠାରେ ମାଓବାଦୀ କାର୍ଯ୍ୟକଳାପ ସଂପର୍କିତ ସମୀକ୍ଷା ବୈଠକରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି।

ସମୀକ୍ଷା ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଡିଜିପି କେ.ବି ସିଂହ କହିଥିଲେ ଯେ କୋରାପୁଟ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଓ ପୋଲିସର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ସେ ଆସିଥିଲେ। ୨୦୧୫ରେ ପୋଲିସକୁ ବେଶ୍ ସଫଳତା ମିଳିଛି। ମାଓବାଦୀମାନେ ନିଜର ସ୍ଥିତି ହରାଉଛନ୍ତି। ସେମାନଙ୍କୁ ଆଉ ସମର୍ଥନ ମିଳୁ ନାହିଁ। ସେମାନେ ବର୍ତ୍ତମାନ ହତୋତ୍ସାହିତ ହୋଇ ପଡ଼ିଛନ୍ତି। ହତୋତ୍ସାହିତ ହୋଇ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି।

ଡିଜିପି କହିଥିଲେ ଯେ ଅର୍ଦ୍ଧସାମରିକ ବଳ ସହିତ ପୋଲିସର ଭଲ ସଂପର୍କ ଓ ସମନ୍ୱୟ ରହିଛି।  ଉଭୟ ମିଳିତ ଭାବେ ଭଲ କାର୍ଯ୍ୟ କରୁଛନ୍ତି।

ସମୀକ୍ଷା ବୈଠକରେ ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ, ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ। ବୈଠକରେ ମାଓ ପ୍ରଭାବିତ ୫ଟି ଜିଲ୍ଲାର ଏସପିମାନେ ମଧ୍ୟ ଯୋଗ ଦେଇଥିଲେ।