ଅନୁଗୋଳ-ଦେବଗଡ଼ ସୀମାନ୍ତରେ ଗୁଳି ବିନିମୟ, ୨ ମାଓବାଦୀ ମୃତ

ଭୁବନେଶ୍ୱର: ଅନୁଗୋଳ-ଦେବଗଡ଼ ସୀମାନ୍ତରେ ଆଜି ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ସୁଶୀଲ ଓ ତାଙ୍କ ପତ୍ନୀ ସୋନୀ। ମାଓ ନେତା ସୁଶୀଲ କଳିଙ୍ଗନଗର ଡିଭିଜନାଲ କମିଟି ସଦସ୍ୟ ବୋଲି ଜଣାପଡିଛି।

ଏ ସମ୍ପର୍କରେ ପୋଲିସ ଡିଜି କେ.ବି. ସିଂ କହିଛନ୍ତି, ସୁଶୀଲ ତେଲେଙ୍ଗାନାର ୱାରଙ୍ଗଲ ଅଞ୍ଚଳ ବାସିନ୍ଦା। ସେ ୩୦ ହତ୍ୟା ସମେତ ୭୮ଟି ମାମଲାରେ ସମ୍ପୃକ୍ତ। ଦୈତାରୀ ଥାନା, କାଳିଆହାଟ ଫାଣ୍ଡି ବିସ୍ଫୋରଣରେ ମଧ୍ୟ ସମ୍ପୃକ୍ତ ଥିଲା। ସୁଶୀଲ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଅନୁଗୋଳ-ଦେବଗଡ଼-ମୟୂରଭଞ୍ଜ ମାଓ କରିଡର ଯୋଜନା କରୁଥିଲା।

ସେହିପରି ସୋନୀ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଘଟଣା ସ୍ଥଳରୁ ଇନସାସ ରାଇଫଲ, ବିପୁଳ ବିସ୍ଫୋରକ ଜବତ କରାଯାଇଥିବା ପୋଲିସ ଡିଜି ସିଂ କହିଛନ୍ତି।

ଆଜି ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳି ମାଡ କରାଯାଇଥିଲା। ଏହାର ଜବାବରେ ସୁରକ୍ଷା କର୍ମୀ ପଲଟା ଆକ୍ରମଣ କରିଥିଲେ। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।