ମରୁଡ଼ି ନେଇ ରାଜ୍ୟ ସରକାର କେନ୍ଦ୍ରକୁ ମେମୋରେଣ୍ଡମ୍ ପଠାଉ ନାହାଁନ୍ତି କାହିଁକି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ଓ ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରି ଥିବା ବେଳେ ଗତକାଲି ବରଗଡ଼ ଜିଲ୍ଲାର ସୋହେଲାରେ ଅନୁଷ୍ଠିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ଅବହେଳା କଥା କହିଥିଲେ। ଆଉ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହୁଥିବା ରାଜ୍ୟର ବିଜେଡି ସରକାର ମରୁଡ଼ି ନେଇ କାହିଁକି ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ […]

dharmendra

dharmendra

Rakesh Mallick
  • Published: Friday, 20 November 2015
  • Updated: 20 November 2015, 01:52 PM IST

Sports

Latest News

dharmendraଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ଓ ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରି ଥିବା ବେଳେ ଗତକାଲି ବରଗଡ଼ ଜିଲ୍ଲାର ସୋହେଲାରେ ଅନୁଷ୍ଠିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ଅବହେଳା କଥା କହିଥିଲେ। ଆଉ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହୁଥିବା ରାଜ୍ୟର ବିଜେଡି ସରକାର ମରୁଡ଼ି ନେଇ କାହିଁକି ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେଇ ନାହାନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ମରୁଡ଼ି ସ୍ଥିତି ଉପୁଜିଛି। ମରୁଡ଼ି ସହାୟତା ପାଇବା ପାଇଁ ସେଠିକାର ସରକାରମାନେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପଠାଇ ସାରିଛନ୍ତି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମହାରାଷ୍ଟ୍ର ସରକାର ମରୁଡ଼ି ସହାୟତା ଟଙ୍କା ପାଇ ସାରିଲେଣି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ସରକାର ଖୁବଶୀଘ୍ର ପଇସା ପାଇବେ। କିନ୍ତୁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ମରୁଡ଼ି ନେଇ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପଠାଇ ନାହାନ୍ତି। ଏଥିରୁ ବୁଝାପଡୁଛି ରାଜ୍ୟର ଚାଷୀମାନଙ୍କ ପାଇଁ ସରକାରଙ୍କର କେତେ ଦରଦ ଅଛି। ରାଜ୍ୟକୁ ତା’ର ହକ୍ ଦେବା ପାଇଁ ମଧ୍ୟ ରାଜ୍ୟ ସରକାର କୁଣ୍ଠାବୋଧ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମରୁଡ଼ି ସହାୟତା ପାଇବା ପାଇଁ ରହିଥିବା ବ୍ୟବସ୍ଥା ଓ ପ୍ରକ୍ରିୟା ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଅନଭିଜ୍ଞ ନଥିବେ ନିଶ୍ଚୟ। ରାଜ୍ୟଗୁଡ଼ିକ କୌଣସି ସଂଗୀତ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଲେ ସହାୟତା ପାଇଁ ଏନଡିଆରଏଫ୍ ନିକଟରେ ଦାବି ଜଣାନ୍ତି। ଏନଡିଆରଏଫ୍ ବିଗତ କିଛି ଦଶନ୍ଧିର ବ୍ୟବସ୍ଥା। ୧୫ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହି ସାରିଥିବା ନବୀନ ପଟ୍ଟନାୟକ ଏହା ଅଜଣା ନଥିବ। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ସରକାର କେନ୍ଦ୍ର କୃଷି ବିଭାଗକୁ ଏକ ସ୍ମାରକପତ୍ର ପଠାଇବେ। ତା’ରି ଅନୁସାରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସି ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନିତ ମରୁଡ଼ି ଅଞ୍ଚଳଗସ୍ତ କରିବେ। ଏହି ଗସ୍ତ ବେଳେ ରାଜ୍ୟ ସରକାରଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ରୀୟ ଟିମର ରିପୋର୍ଟ ଆଧାରରେ ଗୃହ ବିଭାଗ ରାଜ୍ୟକୁ ଅର୍ଥ ଦେବେ। ଏହା ନକରି ରାଜ୍ୟ ସରକାର ଅଭିଯୋଗ କରୁଛନ୍ତି ଯେ କେନ୍ଦ୍ର ଅବହେଳା କରୁଛି। ସରକାର ଏ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ରାଜ୍ୟରେ ସୃଷ୍ଟି ହୋଇଥିବା ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବେ କି ନାହିଁ। ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଚିଠି ଲେଖିପାରିବେ। କିନ୍ତୁ ମରୁଡ଼ି ନେଇ ସେ କୃଷି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇ ନାହାନ୍ତି କାହିଁକି?

ଧର୍ମେନ୍ଦ୍ର ତାଙ୍କ ଆକ୍ରମଣକୁ ଆହୁରି ଜୋରଦାର କରି କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଆଗାମୀ ୫ ବର୍ଷରେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଚାଷୀ ତ ଆଜି ସମସ୍ୟା ଦେଇ ଗତି କରୁଛି। ତା’ର ତୁରନ୍ତ ସାହାଯ୍ୟ ଦରକାର। ସେହିପରି ଧାନ ଉପରେ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ଧାନ ହୋଇଥିଲେ ତ ବୋନସ୍ ମିଳିବ। ଏଠିତ ମୂଳରୁ ଧାନ ହୋଇ ନାହିଁ। ମରୁଡ଼ି ଯୋଗୁଁ ଚାଷୀର ଚାଷ ଉଜୁଡ଼ି ଯାଇଛି। ତେଣୁ ବୋନସ୍ ପାଇବ କେମିତି? ତେଣୁ ସରକାରଙ୍କ ଏ ଘୋଷଣା ଖାଲି ପ୍ରହେଳିକା।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଦଳକୁ ସରକାର ତାତ୍ସଲ୍ୟ କରିପାରିବେ। ସେ ଅଧିକାର ତାଙ୍କର କିଛ ମାତ୍ରାରେ ରହିଛି। ତେବେ ରାଜ୍ୟର ବିଜେଡି ସରକାର ଭୁଲି ନଯିବା ଉଚିତ୍ ଯେ ସେମାନେ ଏକ ନିର୍ବାଚିତ ସରକାର ନେତୃତ୍ୱ ନେଉଛନ୍ତି। ରାଜ୍ୟବାସୀଙ୍କୁ ସେମାନଙ୍କର ହକ୍ ଦେବା ପାଇଁ ସେମାନେ ବାଧ୍ୟ। କିନ୍ତୁ ରାଜ୍ୟ ସରକାର ସେମିତି କରୁ ନାହାନ୍ତି।

ଅନ୍ୟପକ୍ଷରେ ବିଜେଡି ମୁଖ୍ୟପାତ୍ର ପ୍ରତାପ ଦେବ କହିଛନ୍ତି ଯେ କେନ୍ଦ୍ରୀୟ ଟିମ୍ ପଠାଇ ମରୁଡ଼ି ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ର ସରକାର ପ୍ରହେଳିକା କରୁଥିଲେ। କେନ୍ଦ୍ରୀୟ ଟିମ୍ ପଠାଇଥିଲେ, କିନ୍ତୁ ସହାୟତା ପଠାଇଲେ ନାହିଁ। ସାରା ଦେଶରେ ପ୍ରାୟ ୧୦ ହଜାର ଚାଷୀଙ୍କ ମୃତ୍ୟୁ ଅଭିଯୋଗ ଆସିଲା। କେନ୍ଦ୍ର ସରକାର କ’ଣ କରୁଛନ୍ତି? ମୋଦି ସରକାରଙ୍କର କଥା ଅଧିକ, କାମ କମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos