ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ; ରେଗୁଲାର ପାସ୍ ହାର ୮୫.୨୦%

debi-mishraକଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ରେଗୁଲାର ପାସ୍ ହାର ୮୫.୨୦ ପ୍ରତିଶତ ରହିଛି। ରେଗୁଲାରରେ ମୋଟ ୫,୯୬,୫୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୪,୮୯,୭୨୨ ଜଣ। ଗ୍ରେଡେସନ୍ ଅନୁଯାୟୀ ଏ ଗ୍ରେଡ୍‌ରେ ୧,୭୩୩, ଏ୨ରେ ୧୮,୮୬୩, ବି୧ରେ ୫୩,୦୭୦, ବି୨ରେ ୯୨,୭୨୨, ସିରେ ୧,୧୯,୯୨୪ ଓ ଡି ଗ୍ରେଡ୍‌ରେ ୧,୨୮,୭୬୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୩୧.୨୭ ପ୍ରତିଶତ ଛାତ୍ରଛାତ୍ରୀ ୬୦% ବା ତା’ଠାରୁ ଅଧିକ ନମ୍ବର ରଖିଥିବା ବେଳେ ଏଥର ୩୩.୯୭ ପ୍ରତିଶତ ଛାତ୍ରଛାତ୍ରୀ ୬୦% ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ଗତଥର ମୋଟ ୧,୪୭,୮୭୭ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ବା ତା’ଠାରୁ ଅଧିକ ନମ୍ବର ରଖିଥିବା ବେଳେ ଏଥର ୧,୬୬,୩୮୮ ଜଣ ୬୦% ବା ଏହାଠୁ ଅଧିକ ନମ୍ବର ରଖିଛନ୍ତି।

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସକାଳ ୯ଟା ବେଳେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଥିଲେ। ଗଣଶିକ୍ଷା ବିଭାଗ ସଚିବ ରଞ୍ଜନ ଚୋପ୍ରା ଓ ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ମଧ୍ୟ ଉପସ୍ଥିତ ଥିଲେ।

ପରୀକ୍ଷା ଫଳ ଘୋଷଣା କରି ଦେବୀ ମିଶ୍ର କହିଥିଲେ,“ଗତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେଗୁଲାର ପାସ୍ ହାର ୮୨.୫୬% ରହିଥିବା ବେଳେ ଏଥର ଏହି ହାର ୮୫.୨୦% ରହିଛି। ତେବେ କେବଳ ପାସ୍ ହାର ବଢ଼ି ନାହିଁ ତା’ସହିତ ୬୦% ବା ତା’ଠାରୁ ଅଧିକ ନମ୍ବର ରଖିଥିବା ପିଲାଙ୍କ ସଂଖ୍ୟାରେ ବି ବୃଦ୍ଧି ହୋଇଛି। ଗତ ବର୍ଷ ୩୧.୨୭ ପ୍ରତିଶତ ପିଲା ୬୦%ରୁ ଅଧିକ ନମ୍ବର ରଖିଥିବା ବେଳେ ଏଥର ଏହି ହାର ୩୩.୯୭% ରହିଛି। ଗତଥର ୧୪୭୩ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍ ପାଇଥିବା ବେଳେ ଏଥର ଏହି ସଂଖ୍ୟା ୧୭୩୩କୁ ବୃଦ୍ଧି ପାଇଛି।”

ପୁଅଙ୍କ ତୁଳନାରେ ଝିଅମାନଙ୍କ ପାସ୍ ହାର ଅଧିକ ରହିଛି। ପାସ୍ କରିଥିବା ମୋଟ୍ ୪,୮୯,୭୨୨ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨,୪୩,୪୮୨ ଜଣ ପୁଅ ଥିବା ବେଳେ ଝିଅଙ୍କ ସଂଖ୍ୟା ରହିଛି ୨,୪୬,୨୪୦।

ପାସ୍‌ ହାରରେ ବାଲେଶ୍ୱର ଜିଲ୍ଲା ସର୍ବାଗ୍ରେ ରହିଛି। ଏହି ଜିଲ୍ଲାରେ ୯୨.୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଲେଶ୍ୱର ଉଭୟ ୨୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା ଓ ୨୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା ମଧ୍ୟରେ ପାସ୍‌ ହାରରେ ସର୍ବାଗ୍ରେ ରହିଛି। ୨୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପାସ୍ ହାରରେ ବାଲେଶ୍ୱର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି କଳାହାଣ୍ଡି। ଏହି ଜିଲ୍ଲାରେ ୯୦.୩୫ ପ୍ରତିଶତ ପିଲା ପାସ୍ କରିଛନ୍ତି। ସେହିପରି ଏହି ବର୍ଗରେ ୯୦.୧୯ ପ୍ରତିଶତ ପାସ୍ ହାର ସହିତ ତୃତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା।

୨୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ପାସ୍ ହାରରେ ସର୍ବାଗ୍ରେ ରହିଛି ଦେବଗଡ଼ ଜିଲ୍ଲା। ଏହି ଜିଲ୍ଲାରେ ପାସ୍ ହାର ୯୫.୭୨ ପ୍ରତିଶତ ରହିଛି। ଏହି ବର୍ଗରେ କୋରାପୁଟ ଓ ନୂଆପଡ଼ା ଯଥାକ୍ରମେ ୯୪.୪୦ ଓ ୯୨.୩୬ ପାସ୍ ହାର ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ପରୀକ୍ଷା ଫଳ ଘୋଷଣା କରି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ,“ଏଥର ୭୧୫ଟି ସ୍କୁଲ୍‌ରେ ସବୁ ପିଲା ପାସ୍ କରିଛନ୍ତି। ସେହିପରି ୨୧ଟି ସ୍କୁଲ୍‌ରେ କୌଣସି ପିଲା ପାସ୍ କରିପାରି ନାହାନ୍ତି। ସେଠାରେ କାହିଁକି କୌଣସି ପିଲା ପାସ୍ କରିପାରିଲେ ନାହିଁ ତା’ର ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ।”

ପରୀକ୍ଷା ବେଳେ କପି କରି ୧୫୭୨ ଜଣ ଧରାପଡ଼ିଥିଲେ ବୋଲି ମନ୍ତ୍ରୀ କହିଥିଲେ।

ମଧ୍ୟମାରେ ପରୀକ୍ଷା ଦେବା ପାଇଁ ମୋଟ ୫,୩୮୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୮୪୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୩୦୪ ଜଣ ପାସ୍ କରିଛନ୍ତି। ମଧ୍ୟମାରେ ପାସ୍ ହାର ୮୮.୯୧ ରହିଛି।

ପରୀକ୍ଷା ଫଳ ସକାଳ ୧୦ଟାରୁ www.bseodisha.nic.com ଓ www.indiaresults.com ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି।

ଗତବର୍ଷ ମେ’ ୬ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ଏଥର ବହୁ ପୂର୍ବରୁ ଏପ୍ରିଲ୍ ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଛି ଯାହା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଏବଂ ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।

ପରୀକ୍ଷା ଫଳ ପ୍ରକାଶ ହେବା ପରେ ବୋର୍ଡ ପକ୍ଷରୁ ଏକ  କଣ୍ଟ୍ରୋଲ୍‌ ରୁମ୍ ଖୋଲା ଯାଇଛି। ଏଠାରେ ପରୀକ୍ଷା ଫଳ ସଂପର୍କିତ ତଥ୍ୟ ଦିଆଯିବା ସହିତ ପରାମର୍ଶ ଦିଆଯାଉଛି। ପରାମର୍ଶ ଦେବା ପାଇଁ ଉପସ୍ଥିତ ଅଛନ୍ତି ମନସ୍ତତ୍ତ୍ୱବିତ୍ ଓ କର୍ମଚାରୀ।