ମୀନାକ୍ଷୀ ବେହେରା କଟକର ନୂଆ ମେୟର

କଟକ: କଟକ ମହାନଗର ନିଗମ ମେୟରକୁ ନେଇ ଲାଗି ରହିଥିବା ସବୁ ଟଣାଓଟରାର ଅନ୍ତ ଘଟିଛି। ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ମୀନାକ୍ଷୀ ବେହେରା ହୋଇଛନ୍ତି କଟକ ମହାନଗରର ନୂଆ ମେୟର। ବିଜେଡି ପକ୍ଷରୁ ଏକମାତ୍ର ପ୍ରାର୍ଥୀ ଭାବେ ମୀନାକ୍ଷୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି। ସିଏମସି ନିର୍ଦ୍ଦେଶକ ସଞ୍ଜୟ ମିଶ୍ର ଏହା ଘୋଷଣା କରିଛନ୍ତି।

ମେୟର ପଦ ଲାଗି ୪୫ ନମ୍ବର ୱାର୍ଡର କର୍ପୋରେଟର ମୀନାକ୍ଷୀ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ପୂର୍ବରୁ କଂଗ୍ରେସ ନିର୍ବାଚନକୁ ବର୍ଜନ କରିଥିଲା। ତେବେ ନିର୍ଦ୍ଧାରିତ ସମୟରେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ ନ କରିବାକୁ ମୀନାକ୍ଷୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ଫଳରେ ୩ଟାରେ ହେବାକୁ ଥିବା ଭୋଟ ଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା।

ମେୟର ଭାବେ ନିର୍ବାଚିତ ହେବା ପରେ ମୀନାକ୍ଷୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କୁ ବାଛି ଥିବାରୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରିବି। କଟକର ୩ ବିଧାୟକ ଓ ସମସ୍ତ କର୍ପୋରେଟରଙ୍କୁ ନେଇ ମହାନଗର ନିଗମର ଉନ୍ନତି ପାଇଁ କାମ କରିବି।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ କଟକର ତିନି ବିଧାୟକ ଆଲୋଚନା କରିଥିଲେ। ଆଜି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ବିଜେଡିର ସମସ୍ତ କର୍ପୋରେଟରଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମିନାକ୍ଷୀ ଦଳ ପକ୍ଷରୁ ପ୍ରାର୍ଥୀ ହେବା ସ୍ଥିର ହୋଇଥିଲା।

କଂଗ୍ରେସ ପକ୍ଷରୁ ବିଜେଡିର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଯାଇଛି। କଂଗ୍ରେସର ଜଣେ କର୍ପୋରେଟର କହିଛନ୍ତି ଅନିତା ବେହେରା ଯେଉଁ କାରଣରୁ ନିଜ ପଦ ଓ ଆସନ ହରେଇଲେ ସେହି ଅଭିଯୋଗ ନୂଆ ମେୟରଙ୍କ ନାମରେ ବି ରହିଛି। ଏହି ଦଳର ସବୁ ଯୋଗ୍ୟ ଆଶାୟୀଙ୍କ ନାମରେ ରାସନକାର୍ଡ ଅଭିଯୋଗ ରହିଛି। ମହାନଗରରେ ବି ଏମେତି ଦୁଇଜଣ ଯୋଗ୍ୟ କର୍ପୋରେଟର ଥିଲେ, ଯେଉଁମାନଙ୍କ ନାଁ ରାସନ କାର୍ଡ ତାଲିକାରେ ନ ଥିଲା। ବିଜେଡି ଯଦି ସ୍ୱଚ୍ଛ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ହେବାରେ ସମର୍ଥନ କଲେ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ଆଜି ନିର୍ବାଚନକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିଲା। ସମସ୍ତଙ୍କ ନଜର ଥିଲା କିଏ ହେବ ସେମାନଙ୍କ ପରବର୍ତ୍ତୀ ମେୟର। ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ତାଖଲ, ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଯାଞ୍ଚ, ୩ଟାକୁ ଭୋଟ ଗ୍ରହଣ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା। ଏ ନେଇ ଗତ ୧୪ ତାରିଖରୁ ସିଏମସିର ସମସ୍ତ ୫୮ ଜଣ କର୍ପୋରେଟରଙ୍କୁ ନୋଟିସ ଜାରି କରାଯାଇଥିଲା।