ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମ୍ମୁଖରେ ଆଜି ସକାଳେ ଗଣ ଶିକ୍ଷାବିଭାଗ ଅଧୀନରେ କାର୍ଯ୍ୟକରୁଥିବା ମୃତ କର୍ମଚାରୀଙ୍କ ପରିବାର ସଦସ୍ୟ ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଭିନ୍ନ ଦାବି ନେଇ ସେମାନେ ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨୦ରୁ ଅଧିକ ଜଣଙ୍କୁ ଥାନାରେ ଅଟକ ରଖିଛି।

ଓଡ଼ିଶା ସିଭିଲ ସର୍ଭିସ ରି-ହାବିଲିଟେଶନ ନିୟମ ଅନୁଯାୟୀ ୧୯୯୦ରୁ ରାଜ୍ୟ ସରକାରଙ୍କ ଅଧୀନରେ ନିୟୁକ୍ତି ଥିବା କର୍ମଚାରୀ କାର୍ଯ୍ୟକାଳ ସମୟରେ ମୃତ୍ୟୁବରଣ କଲେ ସମ୍ପୃକ୍ତ ଯୋଗ୍ୟତା ଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥାଏ। କିନ୍ତୁ ୨୦୧୩ରେ ଶିକ୍ଷା ବିଭାଗ ପକ୍ଷରୁ ୫୯୫ ଜଣଙ୍କୁ ନିୟମିତ ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।

ପ୍ରଥମେ ତୃତୀୟ ଓ ଚତୁର୍ଥ ପଦବୀରେ କାମ କରୁଥିବା କର୍ମଚାରୀଙ୍କ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ନିଯୁକ୍ତି ଗ୍ରୁପ-ସି ଓ ଡିରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଶେଷରେ ଚୁକ୍ତି ଭିତ୍ତିକରେ ଚାକିରି ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ମୃତ କର୍ମଚାରୀ ସଂଘ ବିରୋଧ କରିଛି। ଚୁକ୍ତିଭିତ୍ତିକ ହଟାଇ ସ୍ଥାୟୀ ନିଯୁକ୍ତି ପାଇଁ ସଂଘ ଦାବି କରିଛି।