ରାଜ୍ୟ ଯୋଜନା ବୋର୍ଡ, ଜିଲ୍ଲା ଯୋଜନା କମିଟି ଓ ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ହୋଇପାରିବେ ବିଧାୟକ

aditya-padhiଭୁବନେଶ୍ୱର: ଏଣିକି ବିଧାୟକମାନେ ରାଜ୍ୟ ଯୋଜନା ବୋର୍ଡ ଓ  ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୋଇପାରିବେ। ସେହିଭଳି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଅବା ଉପାଧ୍ୟକ୍ଷ ପଦବୀରେ ମଧ୍ୟ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇପାରିବ। ବିଧାୟକମାନେ ଏହି ସବୁ ପଦବୀରେ ଅବସ୍ଥାପିତ ହେଲେ ସେମାନଙ୍କୁ ଆଉ ଅଫିସ୍ ଅଫ୍ ପ୍ରଫିଟ୍ ଆଧାରରେ ବିଧାନସଭା ସଭ୍ୟ ପଦରୁ ଅପସାରଣ କରାଯାଇ ପାରିବ ନାହିଁ। କାରଣ ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟ ୧୯୬୧ରେ ଏ ନେଇ ଆସିଥିବା ସଂଶୋଧନ ପ୍ରସ୍ତାବକୁ ଶନିବାର ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଏ ନେଇ ସରକାର ଖୁବଶୀଘ୍ର ଅଧ୍ୟାଦେଶ ଜାରି କରିବେ। ଅଧ୍ୟାଦେଶଟିକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଆଜି ସଚିବାଳୟରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟରେ ସଂଶୋଧନ ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବ ଉପରେ ଆଜି କ୍ୟାବିନେଟ୍ ମୋହର ବାଜିଛି। ଗତ ଡିସେମ୍ବର ମାସରେ ବିଧାନସଭା ଅଧିବେଶନରେ ଜିଲ୍ଲା ଯୋଜନା କମିଟି ଆକ୍ଟରେ ସଂଶୋଧନ କରାଯାଇଥିଲା। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ କେବଳ ମନ୍ତ୍ରୀମାନେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରହୁଥିଲେ। କିନ୍ତୁ ସଂଶୋଧିତ ନିୟମ ଅନୁଯାୟୀ ବିଧାୟକମାନେ ମଧ୍ୟ ସେମାନଙ୍କ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୋଇପାରିବେ। ଆଉ ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟରେ ସଂଶୋଧନ ହେଉଛି ତା’ର ଏକ ସିକ୍ୱେଲ୍। ଏ ନେଇ ଅଧ୍ୟାଦେଶ ଜାରି କରାଯିବ। ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ଆଉ କୌଣସି ପ୍ରତିବନ୍ଧକ ରହିବନି।  ଏଣିକି ବିଧାୟକମାନେ ରାଜ୍ୟ ଯୋଜନା ବୋର୍ଡ,  ଜିଲ୍ଲା ଯୋଜନା କମିଟି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୋଇପାରିବେ।

ମୁଖ୍ୟ ଶାସନ ସଚିବ କହିଥିଲେ, ୭ଟି ବେସରକାରୀ ପୂର୍ଣ୍ଣଅନୁଦାନ ପ୍ରାପ୍ତ ହାଇସ୍କୁଲର ପରିଚାଳନା ଭାର ସରକାର ନିଜ ହାତକୁ ନେବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ୭ଟି ଯାକ ସ୍କୁଲ୍ ହେଉଛି ପୋଲିସ୍ ହାଇସ୍କୁଲ୍। ଏବେ ଏଗୁଡ଼ିକ ସରକାରୀ ସ୍କୁଲ୍ ହୋଇଯିବେ। ଯେଉଁଦିନଠାରୁ ବିଜ୍ଞପ୍ତି ପ୍ରକାଶ ପାଇବ ସେହି ଦିନଠାରୁ ଏଗୁଡ଼ିକ ସରକାରୀ ହାଇସ୍କୁଲ୍ ହୋଇଯିବ। ଏଗୁଡ଼ିକ ହେଉଛି- ପୋଲିସ୍ ହାଇସ୍କୁଲ୍ ବାଲେଶ୍ୱର, ପୋଲିସ୍ ଟ୍ରେନିଂ କଲେଜ ଅନୁଗୋଳ, ପୋଲିସ୍ ହାଇସ୍କୁଲ୍ ରାଉରକେଲା, ପୋଲିସ୍ ହାଇସ୍କୁଲ୍ ବାରିପଦା, ଏମ୍.ଏସ୍ ପୋଲିସ୍ ହାଇସ୍କୁଲ୍ କେନ୍ଦୁଝର, ପୋଲିସ୍ ହାଇସ୍କୁଲ ତୁଳସୀପୁର (କଟକ) ଓ ପୋଲିସ୍ ହାଇସ୍କୁଲ୍ ପୁରୀ। ଏଥିପାଇଁ ବାର୍ଷିକ ୧୦ ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ସ୍କୁଲଗୁଡ଼ିକୁ ସରକାରୀ କରିବା ପାଇଁ ୨୦୧୪ ମସିହାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶା ଚାଇଲ୍ଡ ଆଣ୍ଡ୍ ଓମ୍ୟାନ୍ ୱେଲଫେୟାର ସର୍ଭିସ୍ ରୁଲ୍ସ (ସଂଶୋଧନ) ପ୍ରସ୍ତାବକୁ ମଧ୍ୟ ମିଳିଛି କ୍ୟାବିନେଟ୍ ମଂଜୁରୀ। ଏହି ସଂଶୋଧନ ଅନୁଯାୟୀ ଏଣିକି ଆଇସିଡିଏସ୍ ସୁପରଭାଇଜରମାନଙ୍କର ନିଯୁକ୍ତି ଆଉ ଜିଲ୍ଲା ସ୍ତରରେ ହେବ ନାହିଁ। ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଟି ଏହି ନିଯୁକ୍ତି କରିବ। ସେହିଭଳି ପୂର୍ବରୁ ବାର୍ଷିକ ଖାଲିପଡୁଥିବା ପଦ ଅନୁଯାୟୀ ଏହି ନିଯୁକ୍ତି ହେଉଥିଲା। କିନ୍ତୁ ଏବେ କ୍ୟାଡର୍ ଷ୍ଟ୍ରେନ୍ଥ ଅନୁଯାୟୀ ଏହି ନିଯୁକ୍ତି କରାଯିବ। ଏ ସଂପର୍କରେ ସୂଚନା ଦେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ କହିଥିଲେ, ଆଇସିଡିଏସ୍ ସୁପରଭାଇଜର ପଦବୀର ମାନ ବୃଦ୍ଧି କରିବା ନେଇ ଏହି ସଂଶୋଧନ କରାଯାଇଛି। ଏଥିରେ ଆଇସିଡିଏସ୍ ସୁପରଭାଇଜରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜିଲ୍ଲା ସ୍ତରରେ ଏମାନଙ୍କର ନିଯୁକ୍ତି ହେଉଥିଲା। ୩୦ ପ୍ରତିଶତ ସିଧାସଳଖ ଆଇସିଡିଏସ୍ ସୁପରଭାଇଜର ଭାବେ ନିଯୁକ୍ତି ପାଉଥିବା ବେଳେ ୪୦ ପ୍ରତିଶତ ଭିଏଲଡବ୍ଲ୍ୟୁ ପଦୋନ୍ନତି ପାଇ ଆସୁଥିଲେ। ବାକି ୩୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଇ ଆଇସିଡିଏସ୍ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଉଥିଲେ। କିନ୍ତୁ ସଂଶୋଧିତ ନିୟମ ଅନୁଯାୟୀ ଏଣିକି ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଟି ଏମାନଙ୍କୁ ନିଯୁକ୍ତି ଦେବ।

ସେହିପରି ଓଡ଼ିଶା ଟ୍ରାନ୍ସପୋର୍ଟ ମିନିଷ୍ଟ୍ରିଆଲ୍ ସର୍ଭିସେସ୍ ରୁଲ୍ସରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ, ଓଡ଼ିଶା ଟ୍ରାନସପୋର୍ଟ କମିଶନଙ୍କ କାର୍ଯ୍ୟାଳୟରେ କିରାଣୀ ଓ ଅନ୍ୟ ପଦବି ଲାଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜରିଆରେ ପରୀକ୍ଷା କରିବା ଲାଗି ଆସିଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପୂର୍ବରୁ କିରାଣୀ ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ଟାଇପ୍ ରାଇଟର ଟେଷ୍ଟ୍ ଦେବାକୁ ପଡୁଥିଲା। ଏବେ ସେମାନଙ୍କୁ କଂପ୍ୟୁଟର୍ ଟେଷ୍ଟ୍ ଦେବାକୁ ପଡ଼ିବ।

ଏହା ସହିତ ରାସିଓନାଲାଇଜେସନ୍ ଅଫ୍ ଭାଟ୍ ରେଟ୍ ସଂପର୍କିତ ଏକ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ବାଜିଛି। ଏ ଅନୁଯାୟୀ ଆବଶ୍ୟକ ସ୍ଥଳରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁଥିବା ଭାଟକୁ ସଂଶୋଧନ କରାଯାଇପାରିବ। ଏ ନେଇ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗକୁ ଏକ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ଥର ଅର୍ଥ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ଆଜି ସେହି କାର୍ଯ୍ୟକାରୀ କରାଯାଇଥିବା ନିର୍ଦ୍ଦେଶଟି ମଧ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରି ଥିଲା।

ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟ ୧୯୬୧ରେ ସଂଶୋଧନ କରାଯାଇ ବିଧାୟକମାନଙ୍କୁ ରାଜ୍ୟ ଯୋଜନା ବୋର୍ଡ, ଜିଲ୍ଲା ଯୋଜନା କମିଟି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ଉପାଧ୍ୟକ୍ଷ ଆଦି ପଦବୀ ପାଇଁ ଯୋଗ୍ୟ କରିବା ନେଇ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡିରେ ଏବେ ଅନ୍ତଃକନ୍ଦଳ ରହିଛି। ଏହାର ସମାଧାନ କରିବାକୁ ଯାଇ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି। ନିଜ ଦଳର ବିଧାୟକମାନଙ୍କୁ ଥଇଥାନ କରିବାକୁ ଚେଷ୍ଟା କରୁଛନ୍ତି ସରକାର। ଯେଉଁମାନେ ମନ୍ତ୍ରୀ ହୋଇପାରିନାହାନ୍ତି ସରକାର ସେମାନଙ୍କୁ ଥଇଥାନ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ବିଜେଡିରେ ଅସନ୍ତୋଷ ରହିଛି। ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଥଇଥାନ କରିବା ପାଇଁ ସରକାର ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍ ‌ଆକ୍ଟ ୧୯୬୧ରେ ସଂଶୋଧନ ଆଣିଛନ୍ତି। ତେବେ ଏହା ଫଳପ୍ରଦ ହେବ ନାହିଁ। ରାଜ୍ୟ ଏଥିରୁ କୌଣସି ପ୍ରକାରେ ଉପକୃତ ହେବ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିର ଏହି ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିରୋଧୀ ସବୁବେଳେ ନକାରାତ୍ମକ ଚିନ୍ତା ପୋଷଣ କରୁଛନ୍ତି। ବିଧାୟକମାନେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରହିଲେ ଯୋଜନା ଓ ଯୋଜନାର କାର୍ଯ୍ୟକାରିତା ଭଲ ଭାବେ ହୋଇପାରିବ। ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ଜଣେ ବିଧାୟକ ସେହି ସ୍ତରରେ ରହିଲେ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହେବ। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ବିଧାୟକ ରହିଲେ ଜିଲ୍ଲାପାଳଙ୍କ ସହିତ ସମନ୍ୱୟ ବି ଭଲ ରହିବ।