ମହାନଦୀରେ ବ୍ୟାରେଜ୍‌ ହେଲେ ଓଡ଼ିଶାରେ ଜଳ ଅଭାବ ହେବ ନାହିଁ: ଛତିଶଗଡ଼ ସର୍ବୋଚ୍ଚ ଯନ୍ତ୍ରୀ  

ବିଳାସପୁର (ଛତିଶଗଡ଼): ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହେଲେ ଓଡ଼ିଶାକୁ ଜଳ ଅଭାବ ହେବ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହା ଠିକ୍ ନୁହେଁ। କାରଣ ମୌସୁମୀ ବାୟୁ ପ୍ରବାହ ସମୟରେ ଛତିଶଗଡ଼ରୁ ହୀରାକୁଦକୁ ୫ରୁ ୬ ଗୁଣା ପାଣି ଛଡ଼ା ଯାଉଛି। ଛତିଶଗଡ଼ର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏଚ୍‌.ଆର.କୁଟ୍ଟାରୀ ଏ କଥା କହିଛନ୍ତି। ମହାନଦୀ ପ୍ରସଙ୍ଗରେ ବିଜେଡି ଟିମ୍ ସହିତ ସମୀକ୍ଷା ବୈଠକ ଅବସରରେ ସେ ଏ କଥା କହିଥିଲେ।

ସେ କହିଥିଲେ,“ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଜଏଣ୍ଟ କଣ୍ଟ୍ରୋଲ୍ ବୋର୍ଡ ଗଠନ ହେବା ଜରୁରୀ। ଏ ନେଇ ଛତିଶଗଡ଼ ସରକାରଙ୍କ ପକ୍ଷରୁ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲ୍ୟୁସି)କୁ ଜଣାଇ ଦିଆଯାଇଛି।”

କୁଟ୍ଟାରୀ ଆହୁରି କହିଥିଲେ,“କେଲୋ ପ୍ରକଳ୍ପ ନେଇ ପୂର୍ବରୁ ଓଡ଼ିଶା ସରକାରଙ୍କୁ ତଥ୍ୟ ଦିଆଯାଇଥିଲା।”

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଳାସପୁରରେ ଆଜି ବିଜେଡିର ୧୨ ଜଣିଆ ଟିମ୍‌ ସହିତ ଅନୁଷ୍ଠିତ ସମୀକ୍ଷା ବୈଠକରେ କୁଟ୍ଟାରୀଙ୍କ ବ୍ୟତିତ ଛତିଶଗଡ଼ ବୃହତ ଓ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଜଳ ସଂପଦ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକ ପରେ ବିଜେଡି ଟିମ୍ ମହାନଦୀ ଉପରେ ନିର୍ମାଣାଧୀନ ବସନ୍ତପୁର ଓ କଲମା ବ୍ୟାରେଜ ପରିଦର୍ଶନ କରିଥିଲେ। ଆସନ୍ତା ୧୨ ତାରିଖରେ ବିଜେଡି ଟିମ୍‌ର ବୈଠକ ବସିବ। ଏହାପରେ ଟିମ୍‌ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ।