ଆଣ୍ଡାମାନ୍‌ରେ ମୌସୁମୀର ନରମ ସ୍ପର୍ଶ, ଏପଟେ ଗରମରେ ସିଝୁଛି ଓଡ଼ିଶା

ଭୁବନେଶ୍ୱର: ଆଣ୍ଡାମାନ ନିକୋବର ଦ୍ୱୀପକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ  ସମୟର ୩ ଦିନ ପୂର୍ବରୁ ସମଗ୍ର ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଆଜି ମୌସୁମୀର  ପ୍ରଭାବ ଅନୁଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଏହାସହ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ମଧ୍ୟ ଆଗୁଆ ପହଞ୍ଚିଛି  ମୌସୁମୀ ।

ଆସନ୍ତା ଜୁନ୍ ପହିଲାରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।  କେରଳ ଛୁଇଁବା ପରେ ଏହାର ଗତିବିଧି ସ୍ପଷ୍ଟ ହେବ।  ତେବେ ମୌସୁମୀ ଆଗମନ ପାଇଁ  ଅନୁକୂଳ ବାତାବରଣ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ଓଡ଼ିଶାରେ ତାତି ଖସିବାର ନାଁ ନେଉନି।  ଆଜି  ବି ରାଜ୍ୟର ଅଧିକାଂଶ ସହରରେ  ଭୟଙ୍କର ତାତି ଅନୁଭୂତ ହୋଇଥିଲା। ରାଜ୍ୟର ୧୦ଟି ସହରରେ ଆଜି ପାରଦ ୪୧  ଡିଗ୍ରୀ ଉପରେ ରହିଥିଲା ।  ୪୫.୨ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠୁ  ଉତ୍ତପ୍ତ ସହର ଥିଲା।

ତା’ପଛକୁ ଟିଟିଲାଗଡ଼ରେ ପାରଦ ଥିଲା ୪୫ ଡିଗ୍ରୀ  ସେଲସିୟସ୍ । ସମ୍ବଲପୁରରେ ୪୪ ଦଶମିକ ୮ ଡିଗ୍ରୀ ସେଲସିୟସ୍ ରେକର୍ଡ  କରାଯାଇଥିବାବେଳେ ହୀରାକୁଦରେ ୪୪ .୧, ଝାରସୁଗୁଡ଼ା ଏବଂ ଅନୁଗୁଳରେ  ୪୩ .୯, ଭବାନୀପାଟଣାରେ ୪୩. ୫, ସୁନ୍ଦରଗଡ଼ ଏବଂ  ସୋନପୁରରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।