ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

biswaନୂଆଦିଲ୍ଲୀ: ଓଡ଼ିଶାରେ ଦୁଇଟି ନୂଆ ରେଳ ପ୍ରକଳ୍ପ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ରେଳ ଭବନରେ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ମଧ୍ୟରେ ରେଳ ଲାଇନ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି।

ଜୟପୁର ଓ ମାଲକାନଗିରି ମଧ୍ୟରେ ୧୩୦ କିଲୋମିଟର ଲମ୍ବର ରେଳ ଲାଇନ୍ ନିର୍ମାଣ କରାଯିବ। ଏଥି ମଧ୍ୟରେ ୧୨ଟି ଷ୍ଟେସନ୍‌, ୯୮ଟି ସେତୁ ଓ ୪ଟି ଟନେଲ୍ ନିର୍ମାଣ କରାଯିବ। ୩ଟି ପାସେଞ୍ଜର ହଲ୍ଟ ମଧ୍ୟ ରହିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ଅଟ୍ଟକଳ ୨୪୫୬ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ହେବାକୁ ଥିବା ଖର୍ଚ୍ଚର ୨୫ ପ୍ରତିଶତ ରାଜ୍ୟ ସରକାର ବହନ କରିବେ। ଏହି ପ୍ରକଳ୍ପକୁ ୫ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଜୟପୁର ଓ ନବରଙ୍ଗପୁର ମଧ୍ୟରେ ହେବାକୁ ଥିବା ରେଳ ଲାଇନ୍‌ର ଦୈର୍ଘ୍ୟ ୩୮ କିଲୋମିଟର ରହିଛି। ଏଥିପାଇଁ ୭୪୭ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି।ଏଥି ମଧ୍ୟରେ ୫ଟି ଷ୍ଟେସନ୍ ଓ ୨ଟି ପାସେଞ୍ଜର ହଲ୍ଟ ରହିବ। ଏହି ରେଳ ଲାଇନ ପାଇଁ ୬୦ଟି ସେତୁ ନିର୍ମାଣ କରାଯିବ।  ଏହି ପ୍ରକଳ୍ପ ପାଇଁ ସମଗ୍ର ଜମି ଅଧିଗ୍ରହଣ ଖର୍ଚ୍ଚ ଓ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ। ଏହି ପ୍ରକଳ୍ପକୁ ୩ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଏମ୍‌ଓୟୁ ସ୍ୱାକ୍ଷର ଅବସରରେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ,“କଳାହାଣ୍ଡିରେ ଗୋଟିଏ ପିରିଓଡିକ୍ ଓଭରହାଓଲିଂ ଫ୍ୟାକ୍ଟ୍ରି ସ୍ଥାପନ କରାଯିବ। ଓଡ଼ିଶାର ୧୧ଟି ରେଳ ଷ୍ଟେସନ୍‌ର ବିକାଶ କରାଯିବ।”

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝୀ ଉପସ୍ଥିତ ଥିଲେ। କୋରାପୁଟ ସାଂସଦ ଝିନ ହିକକା ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ଉପସ୍ଥିତ ଥିଲେ।

ନୂଆ ରେଳ ପ୍ରକଳ୍ପ ନେଇ ଏମ୍‌ଓୟୁ ହେବା ପରେ ନବରଙ୍ଗପୁର ସହରରେ ଲୋକେ ଖୁସିରେ ବାଣ ଫୁଟାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬-୧୭ ରେଳ ବଜେଟ୍‌ରେ ଏହି ଦୁଇ ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ଘୋଷଣା ହୋଇଥିଲା।