ଦଳ ବଦଳାଇଲେ ରଦ୍ଦ ହେବ ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସିପାଲିଟି ଓ ଏନ୍ଏସି କାଉନସିଲରଙ୍କ ସଦସ୍ୟତା

chief-secretaryଭୁବନେଶ୍ୱର: ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସିପାଲିଟି ଓ ଏନ୍ଏସିର କାଉନସିଲରମାନଙ୍କ କ୍ଷେତ୍ରରେ ଲାଗୁ ହେବ ଦଳବଦଳ ଆଇନ। ନୂଆ ନିୟମ ଅନୁସାରେ ନିର୍ବାଚନରେ ଜିତିଥିବା ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସିପାଲିଟି ଓ ଏନ୍ଏସିର କାଉନସିଲରମାନେ ଦଳବଦଳ କଲେ ସେମାନଙ୍କ ସଦସ୍ୟତା ରଦ୍ଦ ହେବ। ସେହିପରି ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟମାନେ ମଧ୍ୟ ଜିତିବା ପରେ କୌଣସି ଦଳରେ ଯୋଗଦେଲେ ସେମାନଙ୍କ ସଦସ୍ୟତା ରଦ୍ଦ ହେବ। ରାଜ୍ୟ କ୍ୟାବିନେଟ୍ ଗୁରୁବାର ଏହି ପ୍ରସ୍ତାବ ଉପରେ ମୋହର ମାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟଠାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମିଶାଇ ମୋଟ ୨୩ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତରାଜ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂହ କହିଥିଲେ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେବଳ ଜିଲ୍ଲା ପରିଷଦ ନିର୍ବାଚନ ବେଳେ ଦଳଗୁଡ଼ିକ ପ୍ରାର୍ଥୀ ଦେଇ ଥାଆନ୍ତି। ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ନ୍ତି। କିନ୍ତୁ ଏହି ପ୍ରାର୍ଥୀମାନେ ନିର୍ବାଚନରେ ବିଜୟୀ ହୋଇ ସାରିବା ପରେ ଅନ୍ୟ ଦଳକୁ ଚାଲିଗଲେ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ବର୍ତ୍ତମାନର ଜିଲ୍ଲା ପରିଷଦ ଆଇନରେ କୌଣସି ନିୟମ ନାହିଁ। ତେଣୁ ସରକାର ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ଆଣିଛନ୍ତି ଓ ଧାରା ୩୩ରେ ୩୩ ବି, ୩୩ ସି, ୩୩ ଡି ଓ ୩୩ (୪) ନାଁରେ କିଛି ନୂଆ ନିୟମ ଭର୍ତ୍ତି କରିଛନ୍ତି। ଏହି ନିୟମ ଅନୁଯାୟୀ ଏଣିକି ଜିଲ୍ଲା ପରିଷଦ ସଭ୍ୟ ଭାବେ ଗୋଟିଏ ଦଳର ଟିକେଟ୍ ପାଇ ଜିତି ଥିବା ପ୍ରାର୍ଥୀ ଅନ୍ୟ ଦଳକୁ ଡେଇଁଲେ ତାଙ୍କର ସଦସ୍ୟତା ରଦ୍ଦ ହୋଇଯିବ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା କୌଣସି ଷ୍ଟାଣ୍ଡିଂ କମିଟି ପାଇଁ ସଦସ୍ୟ ଚୟନ ବେଳେ ଦଳୀୟ ସଭାପତି ବା ଦଳର ନିଷ୍ପତ୍ତି ବିରୋଧରେ ଗଲେ ମଧ୍ୟ ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ସଦସ୍ୟତା ହରାଇବେ।

ଜଣେ ବ୍ୟକ୍ତି ସ୍ୱାଧୀନପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦକୁ ନିର୍ବାଚନ ହେବା ପରେ କୌଣସି ଦଳରେ ସାମିଲ ହେଲେ ତାଙ୍କର ସଦସ୍ୟତା ରଦ୍ଦ ହୋଇଯିବ। ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। ଏମାନଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅଧିକାର ଦେବାକୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରି ଦେଇଛନ୍ତି। ବର୍ତ୍ତମାନ ଏସବୁ ସଂଶୋଧନଗୁଡ଼ିକୁ ବିଧାନସଭା ଅଧିବେଶନରେ ପାରିତ ହେବା ପାଇଁ ଉପସ୍ଥାପିତ କରାଯିବ।

ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଲାଗୁ ହୋଇଥିବା ଏହି ଦଳବଦଳ ଆଇନ୍ ମ୍ୟୁନିସିପାଲିଟି ଓ ଏନଏସି କାଉନସିଲରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି।

ଜଳସେଚନ ବିଭାଗର ୩ଟି ମେଗା ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ଏ ସଂପର୍କରେ ସବିଶେଷ ସୂଚନା ଦେଇ ଜଳ ସେଚନ ବିଭାଗ ସଚିବ ପି.କେ ଜେନା କହିଥିଲେ ଯେ କଟକରେ ୧୬,୭୫୦ ହେକ୍ଟର ଜମିକୁ ଜଳ ସେଚନ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଉଠା ଜଳସେଚନ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥିପାଇଁ ୩୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏଲଏନଟି ଏହାକୁ ୩୮୨.୯୫ କୋଟିରେ ଟେଣ୍ଡର ନେଇଛି। ଏହି ଟେଣ୍ଡରକୁ କ୍ୟାବିନେଟଙ୍କ ମଂଜୁରୀ ମିଳିଛି। ସେହିପରି ଦେବଗଡ଼, ଅନୁଗୋଳ ଓ ସୁନ୍ଦରଗଡ଼ରେ ୧୬୨୦୦ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ପ୍ରସ୍ତାବିତ ପ୍ରକଳ୍ପକୁ ମଂଜୁରୀ ମିଳିଛି। ଏଥିପାଇଁ ୩୮୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାକୁ ଏଲଏନଟି ୩୮୪ କୋଟି ଟଙ୍କାରେ ଟେଣ୍ଡର ନେଇଛି। ଏହାକୁ ବି କ୍ୟାବିନେଟର ଅନୁମୋଦନ ମିଳିଛି। ସେହିପରି ତୃତୀୟ ପ୍ରକଳ୍ପଟି ହେବ ଯାଜପୁର ଓ କେନ୍ଦ୍ରାପଡ଼ାର ୧୫୫୯୩ ହେକ୍ଟର ଜମିକୁ ଜଳ ସେଚନ କରିବା ପାଇଁ। ଏହି କାମକୁ ବି ଏଲଏନଟି ନେଇଛି। ଏଥିପାଇଁ ଖର୍ଚ୍ଚ ହେବ ୩୨୫.୯୮ କୋଟି। ଏହି ସବୁ ପ୍ରକଳ୍ପ କାମ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଟାର୍ଗେଟ୍ ରଖାଯାଇଛି।

ସେହିପରି ସ୍ୱାସ୍ଥ୍ୟ ବିଭାଗର ୨ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ପୁରୀ ଶ୍ରୀମନ୍ଦିରର ସବୁ ସେବାୟତଙ୍କୁ ପରିଚୟ ପତ୍ର ମିଳିବ ଏବଂ ପାରମାଣିକ ଦର୍ଶନ ଉପରେ କଟକଣା ଲାଗୁ କରାଯିବ। ଜିଲ୍ଲା ଯୋଜନା କମିଟି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। କମିଟିର ଅଧ୍ୟକ୍ଷ କିମ୍ୱା ଉପାଧ୍ୟକ୍ଷ ଜଣେ ମହିଳା ରହିବେ।

କ୍ୟାବିନେଟ୍ରେ ଅନୁମୋଦନ ପାଇଥିବା ଅନ୍ୟ ପ୍ରମୁଖ ପ୍ରସ୍ତାବ ଭିତରେ ରହିଛି ବଲାଙ୍ଗିରର ନିରତାରରେ ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ରାଜସ୍ୱ ବିଭାଗ ମାଗଣାରେ ଜମି ଯୋଗାଇ ଦେବ। ସେହିପରି ରାଉରକେଲାରେ ସଫ୍ଟୱେୟାର ଟେକ୍ନୋଲଜି ପାର୍କ ଓ ଆଇଟି ସହ ସମ୍ପୃକ୍ତ ଶିଳ୍ପ ପାଇଁ ୩.୫୫ ଏକର ଜମି ଦିଆଯିବ। କେନ୍ଦୁଝର ଓ ଚାନ୍ଦବାଲିରେ ପାଣିପାଗ କେନ୍ଦ୍ର ପାଇଁ ଆଇଏମଡିକୁ ମାଗଣାରେ ଜମି ଦିଆଯିବ। ବିଜୁ ଗ୍ରାମଜ୍ୟୋତି ଓ ସହରାଞ୍ଚଳ ବିଦ୍ୟୁତକରଣ ଯୋଜନାରେ ସଂଶୋଧନ ଆଣି ବିପିଏଲ ପରିବାରକୁ ବିଜୁଳି ସଂଯୋଗ ପାଇଁ ଆୟସୀମାକୁ ୨୨ଶହରୁ ୩ ହଜାରକୁ ବୃଦ୍ଧି କରାଯାଇଛି। ୩ଟି ବୃହତ୍ ଜଳସେଚନ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ୩୦ ମାସ ମଧ୍ୟରେ ଏହି ୩ଟି ଯାକ ମେଗା ପ୍ରକଳ୍ପ ସରିବା ନେଇ ନିଷ୍ପତ୍ତି ହୋଇଛି। ବୁର୍ଲା ମେଡିକାଲ କଲେଜରେ ନିଯୁକ୍ତି ପାଇଁ ଓଡ଼ିଶା ଭେଷଜ ଶିକ୍ଷା ସେବା ଅନ୍ତର୍ଗତ ସମସ୍ତ ଶିକ୍ଷକଙ୍କଠାରୁ ଆବେଦନ ଗ୍ରହଣ କରାଯିବ। ୨୦୧୦ ଅଗଷ୍ଟ ୨୩ରେ କଟକ ବାଗଲପୁରରେ ହୋଇଥିବା ପୋଲିସ ଗୁଳିକାଣ୍ତର ତଦନ୍ତ କମିଶନ ରିପୋର୍ଟ କ୍ୟାବିନେଟରେ ଉପସ୍ଥାପନ କରାଯାଇଛି। ଅବକାରୀ ବିଭାଗରେ ଥଇଥାନ ନିଯୁକ୍ତି ପାଇଁ ନୂଆ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି।

କ୍ୟାବିନେଟ୍ ବୈଠକ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା। ଏଥିରେ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆସିବାକୁ ଥିବା ଅତିରିକ୍ତ ବଜେଟର ରୂପରେଖ ନେଇ ଆଲୋଚନା ହୋଇଥିଲା।