ନବ ନିର୍ମାଣ କୃଷକ ସଂଗଠନର ଜେଲ୍‌ଭରୋ ଆନ୍ଦୋଳନ: ଚାଷୀ- ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: କୃଷକଙ୍କୁ ପ୍ରାଇଜ୍‌, ପ୍ରେସଟିଜ୍‌ ଓ ପେନସନ୍‌ ଦେବା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଜେଲ୍‌ଭରୋ ଆନ୍ଦୋଳନ କରାଯାଇଛି। ସଂଗଠନର ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ରାଲିରେ ବାହାରି ରାଜମହଲ ଛକ  ହୋଇ ବିଧାନସଭା ଅଭିମୁଖେ ବାହାରିଥିଲେ। ଇଡକଲ୍ ଅଡିଟୋରିୟମରୁ ବିଧାନସଭା ଆଡ଼କୁ ରାଲି ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ପ୍ରତିରୋଧ କରିଥିଲା। ଏହାକୁ ନେଇ ସେଠାରେ ଆନ୍ଦୋଳନକାରୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେଠାରେ ପୋଲିସ ଶତାଧିକ ଚାଷୀଙ୍କୁ ଅଟକ ରଖିଥିଲା। ଖବର ପାଇ ପୋଲିସ କମିଶନର ୱାଇ.ବି. ଖୁରାନିଆ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ରବି ଦାସ କହିଛନ୍ତି, “ଚାଷୀଙ୍କର ଦାବି ସରକାର ପୂରଣ କରନ୍ତୁ। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୧୨ ଦିନ ଧାରଣାରେ ବସିବା ପରେ ଆଜିର ଦିନରେ ଜେଲ୍‌ଭରୋ ଆନ୍ଦୋଳନ ଡାକରା ଦେଇଥିଲେ। ଶତାଧିକ ଚାଷୀ ସ୍ୱଇଚ୍ଛାରେ ଜେଲ୍‌କୁ ଯାଇଛନ୍ତି। ଗତକାଲି ବିଧାୟକମାନେ ଆସି ଆଲୋଚନା କରିଥିଲେ। ଚାଷୀ ୫୦୦୦ ଟଙ୍କାର ପେନସନ ଦାବି କରିଛନ୍ତି। ସରକାର ୫୦୦୦ ନ ହେଲେ ବି ଯଦି ୧୦୦୦ ଟଙ୍କା ଦେବାକୁ ଘୋଷଣା କରନ୍ତି ତେବେ ଏହା ଚାଷୀଙ୍କ ପାଇଁ ସହାୟକ ହୋଇପାରିବ। ସରକାର ଚାଷୀଙ୍କ କଥା ନ ବୁଝିଲେ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଆନ୍ଦୋଳନକୁ ଜୋରଦାର କରାଯିବ।”

‘ଆମ ଓଡ଼ିଶା’ ସଭାପତି ତଥା ସଂଗଠନ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏହି ଆଇନ ଅମାନ୍ୟ ଆନ୍ଦୋଳନ ସଫଳ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଚାଷୀ ସଂଗଠନ ବୋଲି ଗୋଟେ କିଛି ଅଛି ସରକାର ଜାଣିଲେ। ଏବେ ଏହାକୁ ସ୍ୱୀକୃତି ଦେବାକୁ ବାଧ୍ୟ ହେବେ। ବେଳ ହୁଁ ସରକାର ସାବଧାନ ହୋଇଯାଆନ୍ତୁ। ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଆଗେଇ ଆସନ୍ତୁ ଓ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ। ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଇବେ ଅଥଚ ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିବେ ଏହା ଶୁଣିବାକୁ ସୁନ୍ଦର ଲାଗୁନାହିଁ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁଛନ୍ତି। ଆମ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ସ୍ୱୀକାର କରିବାକୁ ଲାଜ ଲାଗୁଛି ? ଏହା ଅହଂକାର ଛଡା ଅନ୍ୟ କିଛି ନୁହେଁ। ନିର୍ବାଚନ ଜିତିବାର କୌଶଳ ହାତେଇଛନ୍ତି ଓ ଜିତୁଛନ୍ତି। ଏବେ ସମୟ ଆସିଯାଇଛି ବୁଝିବା ଦରକାର ଚାଷୀ ଯେଭଳି ସଂଗଠିତ ହେଲେଣି ଏହା ତାଙ୍କ ପାଇଁ ଭବିଷ୍ୟତରେ କାଳ ହେବ।”

ଗତକାଲି ଧାରଣା ସ୍ଥଳକୁ ୭ଜଣ ବିଜେଡି ବିଧାୟକ ଆସି ଅନଶନରତ ନବ ନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିଥିଲେ। ତେବେ ସଂଗଠନ ପକ୍ଷରୁ ସରକାରଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ସଂଗଠନ ଆନ୍ଦୋଳନରୁ ଓହରି ଯିବ ବୋଲି କହିଥିଲା।