ନବରଙ୍ଗପୁରରେ ପୁଣି ୮ ଦିନର ଶିଶୁକୁ ଚେଙ୍କ, ଏସଏନସିୟୁରେ ଭର୍ତ୍ତି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ଥମିବାର ନାଁ ନେଉ ନାହିଁ। ଚେଙ୍କ ଯୋଗୁଁ ଚାରି ଦିନ ତଳେ ଗୋଟିଏ ୯ ଦିନର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ପୁଣି ଏକ ୮ ଦିନର ଶିଶୁପୁତ୍ରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଜିଲ୍ଲାର ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଡାବିରିଗୁଡ଼ା ଗାଁର ମୁକୁନ୍ଦ ଭତରା ଓ କସୁମା ଭତରାଙ୍କ ଏହି ଶିଶୁପୁତ୍ର ଗତ ୨୨ ତାରିଖରେ ଜନ୍ମ ହୋଇଥିଲା। ଜନ୍ମର ୪ ଦିନ ପରେ ତା’ର ପେଟରେ ସମସ୍ୟା ଦେଖାଗଲା। ଶିଶୁଟିର ଶରୀର ଶିରାଗୁଡ଼ିକ ମଧ୍ୟ ଟାଣି ହେଉଥିଲା। କିନ୍ତୁ ଡାକ୍ତରଙ୍କ ପାଖକୁ ନେବା ବଦଳରେ ମୁକୁନ୍ଦ ଓ କସୁମା ଶିଶୁଟିକୁ ଗାଁ ଦିଶାରୀ ପାଖକୁ ଯାଇଥିଲେ। ଦିଶାରୀ ଶିଶୁଟିର ପେଟରେ ୮ଟି ଚେଙ୍କ ଦେଇଥିଲା।

ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ ଧରଣୀଧର ଶତପଥୀ କହିଛନ୍ତି, ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ଶିଶୁଟି କାନ୍ଦୁଛି ଓ ମା’ଠାରୁ କ୍ଷୀର ଖାଉଛି। ଏସଏନସିୟୁରେ ତା’ର ଚିକିତ୍ସା ଚାଲିଛି। ପିଲାଟି ଖୁବଶୀଘ୍ର ଭଲ ହୋଇଯିବ ବୋଲି ଆଶା।

ଗତ ୨୫ ତାରିଖରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଏକ ୯ ଦିନର ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ଜିଲ୍ଲାର ଝରିଗାଁ ବ୍ଲକ୍ ଗାରମ୍ଭା ଗାଁର ଏହି ଶିଶୁଟିର ପେଟରେ ସମାସ୍ୟା ଦେଖାଯିବା ଯୋଗୁଁ ତା’ ଦେହରେ ୧୦ ରୁ ୧୨ଟି ଚେଙ୍କ ଦିଆଯାଇଥିଲା। ଏହି ଘଟଣାରେ ଶିଶୁର ପିତାମାତାଙ୍କ ଅଭିଯୋଗକ୍ରମେ ପୋଲିସ ଜଣେ ମହିଳା ଦିଶାରୀଙ୍କୁ ଗିରଫ କରିଛି।

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରୁ ବାରମ୍ବାର ଏହି ଚେଙ୍କ ଚିକିତ୍ସା ଖବର ଆସୁଛି। ଏହା ପୂର୍ବରୁ ଜାନୁଆରୀ ୯ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଝୋଡିଗୁଡ଼ା ଗାଁରେ ଏକ ୨୨ ଦିନର ଶିଶୁକୁ ଚେଙ୍କ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ଡିସେମ୍ବର ମାସରେ ନବରଙ୍ଗପୁର ଜିଲ୍ଲା ବୁଟିପଦର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ କିର୍ସାନୀଙ୍କ ୨୭ ଦିନର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା। ପିଲାଟିର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ତା’ ପେଟ ବି ଫୁଲିଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରୀକୁ ଡକାଇଥିଲେ। ଦିଶାରୀ ପିଲାଟିକୁ ଚେଙ୍କ ଦେବା ପରେ ତା’ ଅବସ୍ଥା ଗୁରୁତର ହୋଇଥିଲା। ପରେ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତା’ପୂର୍ବରୁ ମାଲକାନଗିରି ଜିଲ୍ଲାର ଗୁମ୍ମାଝରଣ ଗାଁରେ ଏକ ୧୫ଦିନର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା। ପିଲାଟିର  ପେଟ ଫୁଲି ଯାଇଥିଲା। ତେବେ ଡାକ୍ତରଖାନା ନେବା ପରିବର୍ତ୍ତେ ପରିବାର ଲୋକେ ତାକୁ ଗୁଣିଆ ପାଖକୁ ନେଇ ଯାଇଥିଲେ। ଚେଙ୍କ ଦିଆଯିବା ପରେ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।