ନବରଙ୍ଗପୁର: ଚେଙ୍କ ଦିଆଯାଇଥିବା ୯ ଦିନର ଶିଶୁକନ୍ୟାର ମୃତ୍ୟୁ, ଦିଶାରୀ ଗିରଫ  

child deadନବରଙ୍ଗପୁର: ଚେଙ୍କ ନେଲା ୯ ଦିନର ଶିଶୁ କନ୍ୟାର ଜୀବନ। ଚେଙ୍କ ଯୋଗୁଁ ଗୁରୁତର ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି ହୋଇଥିବା ଏହି୯ ଦିନର ଶିଶୁ କନ୍ୟାର ଆଜି ମୃତ୍ୟୁ ହୋଇଯାଇଛି। ତା’ଘର  ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଗାରମ୍ଭାରେ। ପେଟ ରୋଗ ପାଇଁ ତା’ ଶରୀରରେ ଚେଙ୍କ ଦିଆଯାଇଥିଲା। ମୃତ ଶିଶୁଟିକୁ ଆଜି ତା’ ବାପାମା’କୁ ହସ୍ତାନ୍ତର କରାଯାଇଛି।

ମୃତ ଶିଶୁର ବାପା ଥାନାରେ ଏତଲା ଦେବା ପରେ ଉମରକୋଟ ପୋଲିସ୍ ଲୁହା ଚେଙ୍କ ଦେଇଥିବା ମହିଳା ଦିଶାରୀ ସୁକୁମତିଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରିବା ପାଇଁ ଜିଲ୍ଲାପାଳ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି ଟିମ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁରୋଗ ବିଶେଷଜ୍ଞ ଧରଣୀଧର ଶତପଥୀ କହିଛନ୍ତି, ଶିଶୁଟଇର ପେଟରେ ୧୦ରୁ ୧୨ଟି ଚେଙ୍କ ଦାଗ ଥିଲା। ଜନ୍ମର ୬ଦିନ ପରେ ଏହି ଚେଙ୍କ ଦିଆଯାଇଥିଲା। ଚେଙ୍କ ଦିଆଯିବାର ୭ଦିନ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳକୁ ସଂକ୍ରମଣ ହୋଇଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି, ଯେତେ ସବୁ ଦିଶାରୀ ଅଛନ୍ତି ତା’ର ଗୋଟେ ସର୍ଭେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।ଆଇନ ଅନୁସାରେ କ’ଣ ଠିକ ସେ ବିଷୟରେ ସେମାନଙ୍କୁ ସଚେତନ କରାଇବୁ।

୯ ଦିନର ଏହି ଶିଶୁଟିର ପେଟରେ ସମସ୍ୟା ଦେଖାଯିବାରୁ ତା’ ବାପା ବୁଦୁ କଲାର ଓ ମା’ ବିନ୍ଦୁ କଲାର ତାକୁ ଗାଁ ଦିଶାରୀଙ୍କ ନିକଟକୁ ନେଇ ଯାଇଥିଲେ। ଦିଶାରୀ ଛୁଆଟିକୁ ଚେଙ୍କ ଦେଇଥିଲେ। କିନ୍ତୁ ଚେଙ୍କ ଦେବା ପରେ ଛୁଆଟି ସୁସ୍ଥ ହୋଇ ନ ଥିଲା। ବରଂ ତା’ ଦେହ ଅଧିକ ବିଗିଡ଼ି ଯାଇଥିଲା। ତେଣୁ ବୁନ୍ଦୁ ଓ ବିନ୍ଦୁ ତାକୁ ଗତକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ଛୁଆଟିକୁ ସେପଟିସେମିଆରେ ଆକ୍ରାନ୍ତ ହୋଇଥିବା ନେଇ ଏସଏନସିୟୁର ଡାକ୍ତର ଯୁଗଳ ବେହେରା ସୂଚନା ଦେଇଥିଲେ। ଶିଶୁଟିର ଅବସ୍ଥା ଗୁରୁତର ଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ।

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରୁ ବାରମ୍ବାର ଏହି ଚେଙ୍କ ଚିକିତ୍ସା ଖବର ଆସୁଛି। ଏହା ପୂର୍ବରୁ ଜାନୁଆରୀ ୯ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଝୋଡିଗୁଡ଼ା ଗାଁରେ ଏକ ୨୨ ଦିନର ଶିଶୁକୁ ଚେଙ୍କ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ଡିସେମ୍ବର ମାସରେ ନବରଙ୍ଗପୁର ଜିଲ୍ଲା ବୁଟିପଦର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ କିର୍ସାନୀଙ୍କ ୨୭ ଦିନର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା। ପିଲାଟିର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ତା’ ପେଟ ବି ଫୁଲିଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରୀକୁ ଡକାଇଥିଲେ। ଦିଶାରୀ ପିଲାଟିକୁ ଚେଙ୍କ ଦେବା ପରେ ତା’ ଅବସ୍ଥା ଗୁରୁତର ହୋଇଥିଲା। ପରେ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତା’ପୂର୍ବରୁ ମାଲକାନଗିରି ଜିଲ୍ଲାର ଗୁମ୍ମାଝରଣ ଗାଁରେ ଏକ ୧୫ଦିନର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିଲା। ପିଲାଟିର  ପେଟ ଫୁଲି ଯାଇଥିଲା। ତେବେ ଡାକ୍ତରଖାନା ନେବା ପରିବର୍ତ୍ତେ ପରିବାର ଲୋକେ ତାକୁ ଗୁଣିଆ ପାଖକୁ ନେଇ ଯାଇଥିଲେ। ଚେଙ୍କ ଦିଆଯିବା ପରେ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।