ଚମ୍ପୁଆ ଓ ବାଲିଗୁଡ଼ା ଏନ୍ଏସି ଦଖଲ କଲା ବିଜେଡି

କେନ୍ଦୁଝର/କନ୍ଧମାଳ: କନ୍ଧମାଳର ବାଲିଗୁଡା ଓ କେନ୍ଦୁଝରର ଚମ୍ପୁଆ ଏନଏସି ବିଜେଡି ଦଖଲକୁ ଯାଇଛି। ଉଭୟ ଏନଏସିରେ ଦଳ ୯ଟି ଲେଖାଏଁ ୱାର୍ଡରେ ବିଜୟୀ ହୋଇଛି। ବାଲିଗୁଡ଼ା ଏନଏସିରେ କଂଗ୍ରେସ ୩ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ଗୋଟିଏ ଆସନ। ସେହିପରି ଚମ୍ପୁଆରେ ସ୍ୱାଧୀନ ପ୍ରାର୍ଥୀ ୪ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ଏହି ଏନଏସିରେ ଉଭୟ କଂଗ୍ରେସ ଓ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି।

୧୩ଟି ଲେଖାଏଁ ୱାର୍ଡ ବିଶିଷ୍ଟ ଏହି ଦୁଇ ଏନଏସିରେ ଗତ ୧୯ ତାରିଖରେ ନିର୍ବାଚନ ହୋଇଥିଲା। ଚମ୍ପୁଆରେ ୮୩ ପ୍ରତିଶତ ଓ ବାଲିଗୁଡ଼ାରେ ୭୪ ପ୍ରତିଶତ ମତଦାନ ହୋଇଥିଲା। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା।

ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚମ୍ପୁଆ ଓ ବାଲିଗୁଡ଼ା ନିର୍ବାଚନର ଫଳାଫଳକୁ ଆମେ ବିନର୍ମତାର ସହ ଗ୍ରହଣ କରୁଛୁ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କରୁଛୁ। ଆଗାମୀ ଦିନରେ ଏହାର ସମୀକ୍ଷା କରିବୁ। ଏହି ଫଳାଫଳରେ କୌଣସି ନୂତନତ୍ୱ ନାହିଁ, ଏହା ପୁରୁଣା ଧାରା। ଓଡ଼ିଶା ସରକାର ଏପର୍ଯ୍ୟନ୍ତ ମୃତ ଚାଷୀଙ୍କ ପାଇଁ କିଛି କରିନାହାନ୍ତି। ରାସନକାର୍ଡ କେଳେଙ୍କାରୀ ବ୍ୟାପକ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କିଛି କରିନାହାନ୍ତି। ଏ ସରକାର ଭୋଟ ଓ ନିର୍ବାଚନ ସର୍ବୋସ ସରକାର, ଏଥିରେ କୌଣସି ସନ୍ଦେହ ନାହିଁ। ଅଧିକ ସ୍ୱାଧୀନ ପ୍ରାର୍ଥୀ ଜିତିବା ସମ୍ପର୍କରେ ସେ କହିଛନ୍ତି, ଲୋକେ ଭଲ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ବିଜେପି ତା’ର ସାଧ୍ୟ ମତେ ପ୍ରାର୍ଥୀ ଦେଇଥିଲା ବୋଲି ସେ କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଚମ୍ପୁଆରେ ୭ଜଣ ମନ୍ତ୍ରୀ, ୨୭ଜଣ ବିଧାୟକ ଡେରା ପକାଇଥିଲେ। ସେଠାରେ ଧନ ବଳ, ବାହୁ ବଳ ସହ ସରକାରୀ ଦଳ ଜୋରଜାର ଚଳାଇଲେ। ଏପରି ସ୍ଥିତିରେ କେହି ଜିତି ପାରିବେ ନାହିଁ। ସେଠାରେ ଯେଉଁ ମାଇନ୍ସ ଲଢେଇ ଚାଲିଛି କଂଗ୍ରେସ କ’ଣ ସରକାରରେ ନ ଥିବା କୌଣସି ଦଳ ଜିତି ପାରିବ ନାହିଁ। ବିଧାୟକ ସନାତନ ମହାକୁଡ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ହେଲେ ତାଙ୍କ ଉପରେ ବିଭିନ୍ନ ଉପାୟରେ ଚାପ ପକାଯାଇ ହଇରାଣ କରାଗଲା। ଭୟରେ ସେ ବିଜେଡିକୁ ସମର୍ଥନ କରିଗଲେ। ବାଲିଗୁଡ଼ାରେ ଖଣ୍ଡେ ଖଣ୍ଡେ ଭୋଟ ଲାଗି ୩ହଜାର ପର୍ଯ୍ୟନ୍ତ ଟଙ୍କା ବଣ୍ଟା ଯାଇଛି। ଲୋକଙ୍କୁ ଯେପରି ନିର୍ଯାତନା ଦିଆଯାଇଛି, ଆଗାମୀ ସାଧାରଣ ନିର୍ବାଚନରେ ନବୀନ ବାବୁ ସଫା ହୋଇଯିବେ।

କଂଗ୍ରେସ ମୁଖପାତ୍ର ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, ଏନଏସି ନିର୍ବାଚନରେ ବିଜେଡି ଯେପରି ଲଢିଲା ତାହା ଅତ୍ୟନ୍ତ ଲଜ୍ଜ୍ୟା ଜନକ। ୪ଜଣ ମନ୍ତ୍ରୀ ନିର୍ବାଚନ ଦାୟିତ୍ୱରେ ଥିଲେ। ସରକାରୀ କଳ ଓ କଳା ଟଙ୍କା ଯୋଗୁଁ କଂଗ୍ରେସକୁ ପରାଜିତ ହେବାକୁ ପଡିଛି। ତଥାପି ଲୋକମତକୁ ସମ୍ମାନ ହେଉଛୁ।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ବିଜେପି ଓ କଂଗ୍ରେସ ଚଳାଇଥିବା ଅପପ୍ରଚାରର ଉତ୍ତର ଦୁଇ ଏନଏସିର ଲୋକେ ଦେଇଛନ୍ତି। ବିଜେଡିକୁ ଜିତାଇ ଥିବାରୁ ଦଳ ତରଫରୁ ଚମ୍ପୁଆ ଓ ବାଲିଗୁଡା ଏନଏସିବାସୀଙ୍କୁ ଧନ୍ୟବାଦ ଜଣାଉଛି।

ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସ କହିଛନ୍ତି, କଂଗ୍ରେସ ସବୁବେଳେ ଅଭିଯୋଗ କରୁଛି। ଏହାର ଏନଏସିର ଲୋକେ ଏହାର ଜବାବ ଦେଇଛନ୍ତି। ସାଧାରଣ ଲୋକେ ନବୀନ ପଟ୍ଟନାୟକଙ୍କ ସହ ସବୁବେଳେ ଥିଲେ ଆଗକୁ ବି ରହିବେ। ତାରା ବାବୁ ୨୦୦୦ ମସିହାରୁ ଅର୍ଥ ବଳ, ବାହୁ ବଳ ସରକାରୀ କଳ କଥା କହୁଛନ୍ତି। ସେ କେତେବେଳେ କ’ଣ କହୁଛନ୍ତି ତାହାର କିଛି ଠିକ ଠିକଣା ନାହିଁ। ଲୋକେ ସରକାରଙ୍କ କାର୍ଯ୍ୟରେ ସନ୍ତୁଷ୍ଠ ଅଛନ୍ତି, ତେଣୁ ଭୋଟ ଦେଉଛନ୍ତି।

ଏହି ଦୁଇ ଏନଏସିକୁ ହାତେଇବାକୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରୟାସ କରିଥିଲେ। ତିନି ଦଳର ପ୍ରମୁଖ ନେତା ମଇଦାନକୁ ଓହ୍ଲାଇ ଜୋରଦାର ପ୍ରଚାର କରିଥିଲେ। ବିଜେଡି ପକ୍ଷରୁ ପ୍ରଦୀପ ଅମାତ, ବିକ୍ରମକେଶରୀ ଆରୁଖ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀଙ୍କ ସହ ୫ଜଣ ବିଧାୟକ ବାଲିଗୁଡ଼ାରେ ପ୍ରଚାର କରିଥିଲେ। ଚମ୍ପୁଆରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଚାର ମଙ୍ଗ ଧରିଥିଲେ।

ବାଲିଗୁଡାରେ କଂଗ୍ରେସ ପକ୍ଷରୁ ଖୋଦ ପିସିସି ସଭାପତି ପ୍ରସାଦ ହରିଚନ୍ଦ, ମହମ୍ମଦ ମୋକିମ୍, ବାପି ସର୍ଖେଲ୍, ରମେଶ ଜେନା ପ୍ରମୁଖ ପ୍ରଚାର କରିଥିଲା।

ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ବାଲିଗୁଡାରେ ପ୍ରଚାର କରିଥିଲେ। ଚମ୍ପୁଆରେ ଦଳର ପୂର୍ବତନ ସାଂସଦ ରୁଦ୍ର ପାଣି ଓ ଷ୍ଟାର କ୍ୟାମ୍ପେନର୍ ପିଙ୍କି ପ୍ରଧାନ ପ୍ରଚାରର ମଙ୍ଗ ଧରିଥିଲେ।

ବିଶେଷ କରି କେନ୍ଦୁଝର ପୌରାଧ୍ୟକ୍ଷା ପଦ ହରାଇବା ପରେ ଚମ୍ପୁଆ ଏନ୍ଏସି ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଥିଲା। ତେଣୁ ମନ୍ତ୍ରୀଠାରୁ ବିଧାୟକମାନେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାତିଦିନ ଏକ୍ କରିଦେଇଥିଲେ।