ନଗଡ଼ା ଅପପୁଷ୍ଟି ଘଟଣା: ସ୍ୱତନ୍ତ୍ର କ୍ୟାମ୍ପରେ ଚାଲିଛି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ାରେ ଅପପୁଷ୍ଟି ଯୋଗୁଁ ୧୮ ଜଣ ଶିଶୁଙ୍କ ଜୀବନ ଯିବା ଅଭିଯୋଗ ଆସିବା ପରେ ପ୍ରଶାସନର ଚେତା ପଶିଛି। ଆଜି ଦେଓଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାସହ ଗାଁ ଲୋକଙ୍କୁ ରାସନକାର୍ଡ ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଅପପୁଷ୍ଟି ଯୋଗୁଁ ଶିଶୁ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ କ୍ୟାମ୍ପକୁ ପିଲାଙ୍କୁ ଧରି ମାଆ ମାନେ ଆଜି ଆସିଥିଲେ। ଏଠାରେ ଜନ୍ମରୁ ୫ ବର୍ଷ ପିଲାମାନଙ୍କ ଓଜନ ପରୀକ୍ଷା କରାଯିବା ସହ କ’ଣ ଖାଉଛନ୍ତି, କି କି ଟିକା ନେଇଛନ୍ତି ସେ ନେଇ ସ୍ୱାସ୍ଥ୍ୟ କର୍ମୀ ତଥ୍ୟ ସଂଗ୍ରହ କରିଛନ୍ତି।

କ୍ୟାମ୍ପରେ ଘରର ମୁଖିଆଙ୍କୁ ରାସନକାର୍ଡ ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାସହ ଆଧାରକାର୍ଡ ପାଇଁ ନାମ ପଞ୍ଜିକରଣ କରାଯାଇ ଫଟୋ ଉଠାଯାଉଛି।

ଆଧାରକାର୍ଡ କର୍ମଚାରୀ କହିଛନ୍ତି, “କେଉଁମାନଙ୍କ ଆଧାର କାର୍ଡ ହୋଇଛି ଓ କେଉଁମାନଙ୍କର ହୋଇନାହିଁ ତାହା ଯାଞ୍ଚ କରାଯାଉଛି। ବହୁ ଲୋକ ନିଜ ନାଁ କି ନିଜ ବାପାଙ୍କ ନାଁ ଠିକ୍‌ରେ ଜାଣି ନାହାନ୍ତି। ଏହି ସ୍ୱତନ୍ତ୍ର କ୍ୟାମ୍ପରେ ଆଉ ଥରେ ସମସ୍ତଙ୍କ ଆଧାରକାର୍ଡ କରାଯିବାକୁ ପଦକ୍ଷେପ ନିଆଯାଉଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।