ନର୍ଲା ପ୍ରକଳ୍ପକୁ ସ୍ୱୀକୃତି ମିଳି ନ ଥିଲା: ମନୋଜ ସିହ୍ନା

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାରେ ୱାଗନ ମରାମତି କାରଖାନା ପ୍ରସ୍ତାବକୁ ସ୍ୱୀକୃତି ମିଳି ନ ଥିଲା ବୋଲି କହିଛନ୍ତି ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା। ରବିବାର ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସେବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ। ମନୋଜ କହିଥିଲେ,“ନର୍ଲା ୱାଗନ ମରାମତି କାରଖାନାକୁ ନେଇ ବହୁ କଥା ଶୁଣିବାକୁ ମିଳୁଛି। କିନ୍ତୁ ପ୍ରକୃତ କଥା ହେଉଛି ଏହି ପ୍ରକଳ୍ପକୁ କେବେ ବି ସ୍ୱୀକୃତି ମିଳି ନ […]

manoj-sinha

manoj-sinha

Rakesh Mallick
  • Published: Sunday, 17 April 2016
  • Updated: 17 April 2016, 05:43 PM IST

manoj-sinhaଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ନର୍ଲାରେ ୱାଗନ ମରାମତି କାରଖାନା ପ୍ରସ୍ତାବକୁ ସ୍ୱୀକୃତି ମିଳି ନ ଥିଲା ବୋଲି କହିଛନ୍ତି ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା। ରବିବାର ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସେବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।

ମନୋଜ କହିଥିଲେ,“ନର୍ଲା ୱାଗନ ମରାମତି କାରଖାନାକୁ ନେଇ ବହୁ କଥା ଶୁଣିବାକୁ ମିଳୁଛି। କିନ୍ତୁ ପ୍ରକୃତ କଥା ହେଉଛି ଏହି ପ୍ରକଳ୍ପକୁ କେବେ ବି ସ୍ୱୀକୃତି ମିଳି ନ ଥିଲା। ମୁଁ ପୂରା ଦାୟିତ୍ୱର ସହିତ ଏ କଥା କହୁଛି। କେହି ଜଣେ ଆସି ଏଠାରେ (ଓଡ଼ିଶାରେ) ଘୋଷଣା କରି ଦେଲା ଯେ ନର୍ଲାରେ କାରଖାନା ହେବ। ଯେଉଁ ପ୍ରକଳ୍ପଗୁଡ଼ିକୁ ରେଳବାଇ ଅନୁମୋଦନ ଦିଏ, ସେଗୁଡ଼ିକୁ ପିଙ୍କ୍‌ ବୁକ୍‌ରେ ଉଲ୍ଲେଖ କରାଯାଏ। କିନ୍ତୁ ରେଳବାଇର କୌଣସି ପିଙ୍କ୍‌ ବୁକ୍‌ରେ ନର୍ଲା କାରଖାନା ସଂପର୍କରେ ଉଲ୍ଲେଖ ନାହିଁ।”

ପୂର୍ବର ୟୁପିଏ ସରକାରଙ୍କୁ ଇଙ୍ଗିତ କରି ସେ କହିଥିଲେ,“ଆମ ସରକାର ଘୋଷଣାରେ ବିଶ୍ୱାସ କରେ ନାହିଁ। ଆମେ ଯାହା କରୁ ତାହା କହୁ। ଆଉ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥାଉ ତାକୁ କରିବାରେ ବିଶ୍ୱାସ କରୁ।”

ରେଳ ରାଷ୍ଟ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ,“ନର୍ଲା ପ୍ରସଙ୍ଗରେ ଗତକାଲି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହୋଇଛି। ନର୍ଲାରେ କିଛି ନା କିଛି କାରଖାନା ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି।”

ସେ ଆହୁରି ମଧ୍ୟ କହିଥିଲେ,“ଓଡ଼ିଶାକୁ ଆଗାମୀ ଦିନରେ ରେଳବାଇର ଆହୁରି ଅନେକ ପ୍ରକଳ୍ପ କରାଯିବ। ତେବେ କେଉଁ ପ୍ରକଳ୍ପ କରାଯିବ, କେଉଁଠାରେ କରାଯିବ ସେ ନେଇ ସବିଶେଷ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ନିଆଯିବ।”

ଓଡ଼ିଶାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଯୁକ୍ତି ବାଢ଼ି ମନୋଜ କହିଥିଲେ,“ଓଡ଼ିଶା ସରକାର ରେଳ ବଜେଟ୍‌ରେ ଯେତିକି ଅର୍ଥ ଆଶା କରି ଥିଲେ ତା’ଠାରୁ ଅଧିକ ଅର୍ଥ ଦେଇଛି ରେଳବାଇ। ରାଜ୍ୟ ସରକାର ୫୦୦୦ କୋଟି ମାଗିଥିଲେ। ଆଉ କେନ୍ଦ୍ର ସରକାର ପ୍ରାୟ ୪,୭୦୦ କୋଟି ଦେଇଛନ୍ତି। ବର୍ଷ ଶେଷ ବେଳକୁ ଏହି ଅର୍ଥ ୫୦୦୦ କୋଟିର ଲକ୍ଷ୍ୟକୁ ଅତିକ୍ରମ କରିଯିବ।”

ସେହିପରି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଏହି ଅବସରରେ ନର୍ଲା ପ୍ରସଙ୍ଗ ଉଠାଇ ଥିଲେ ଓ ୟୁପିଏ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସୁରେଶ କହିଥିଲେ,“ଘୋଷଣା କରି ଦେଲେ କିଛି ହୁଏ ନାହିଁ। ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା କରିବାକୁ ପଡ଼େ। କିନ୍ତୁ ଏନେଇ (ନର୍ଲା ୱାଗନ ମରାମତି କାରଖାନା) ବଜେଟ୍‌ରେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ତେବେ ଗତକାଲି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଏନେଇ ଆଲୋଚନା କରିଛି। ନର୍ଲା କେଉଁ ପ୍ରକାର କାରଖାନା ପ୍ରତିଷ୍ଠା କରାଯାଇ ପାରିବ ସେ ନେଇ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରେଳବାଇର ମହାପ୍ରବନ୍ଧକ ମିଳିତ ଭାବେ ନର୍ଲାରେ କ’ଣ କାରଖାନା ପ୍ରତିଷ୍ଠା କରାଯାଇପାରିବ ସେ ନେଇ ପରାମର୍ଶ ଦେବେ। ଆର୍ଥିକ ଦୃଷ୍ଟିରୁ ସମ୍ଭବ ଓ ବାଣିଜ୍ୟିକ ଦୃଷ୍ଟିରୁ ଲାଭଦାୟକ ହୋଇପାରୁ ଥିବା ଯେକୌଣସି କାରଖାନା ସେଠାରେ ପ୍ରତିଷ୍ଠା କରାଯିବ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମନ୍ତ୍ରୀ କହିଥିବା କଥା ଯଦି ସତ୍ୟ, ତେବେ ଏହା କେନ୍ଦ୍ରର ଓଡ଼ିଶା ପ୍ରତି ଆଉ ଏକ ଉପହାସ। କେନ୍ଦ୍ର ଓଡ଼ିଶାବାସୀଙ୍କୁ ଭୁତାଇବାରେ ଲାଗିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ଏଆଇସିସି ମୁଖପାତ୍ର ଭକ୍ତଚରଣ  କହିଛନ୍ତି, “ଏହା ରେଲୱେ ବଜେଟ୍‌। ଯୁପିଏ ହେଉ ବା ଏନ୍‌ଡିଏ ସରକାର କିଛି ଯାଏ ଆସେ ନାହିଁ। ପିଙ୍କ ବୁକ୍‌ରେ ନ ଥିଲା, ଏହା କେବଳ ବାହାନା ମାତ୍ର। ଏମିତି ରାଜନୀତି କଥା କହି ଦେଇ ସରକାର ନିଜ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା ନ କରନ୍ତୁ।”

ସୂଚନାଯୋଗ୍ୟ, ଭୁବନେଶ୍ୱର ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସେବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସ ପକ୍ଷରୁ ନର୍ଲା ପ୍ରସଙ୍ଗରେ ରେଳ ମନ୍ତ୍ରୀଙ୍କୁ ବିରୋଧ କରି ଷ୍ଟେସନରେ କଳା ପତକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଏକ ରାଲିରେ ଷ୍ଟେସନ ଆଡ଼କୁ ଯାଇଥିଲେ। ସେମାନେ ଷ୍ଟେସନ ଅଞ୍ଚଳକୁ ଧଶି ପଶିବା ବେଳେ ପୋଲିସ୍ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲି ୧୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos