ନରସିଂହଙ୍କ ଉପରେ ବର୍ଷିଲେ ଅରୁଣ, କିନ୍ତୁ ୮ କୋଟି ଟଙ୍କା ସଂପର୍କରେ କିଛି କହିଲେନି

ଭୁବନେଶ୍ୱର: ବିଜେଡି ଆକାଉଣ୍ଟରେ ୮ କୋଟି ଟଙ୍କା ପ୍ରସଙ୍ଗକୁ ନେଇ ଆଜି ଗୃହରେ ଓ ଗୃହ ବାହାରେ ସରକାରୀ ଦଳ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲେ ହେଁ ଗୋଟିଏ ଦିନରେ ଦଳର ଆକାଉଣ୍ଟକୁ ୮ କୋଟି ଟଙ୍କା କେଉଁଠୁ ଓ କେମିତି ଆସିଲା ସେ ନେଇ ନୀରବ ରହିଛନ୍ତି। ଅନ୍ୟପକ୍ଷରେ ଏହି ୮ କୋଟି ଟଙ୍କା ନେଇ ଖୋଳତାଡ଼ ଆରମ୍ଭ କରି ଦେଇଛି ଆୟକର ବିଭାଗ। ଆଜି ଗୃହରେ […]

aruna

aruna

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 05:16 PM IST

Sports

Latest News

arunaଭୁବନେଶ୍ୱର: ବିଜେଡି ଆକାଉଣ୍ଟରେ ୮ କୋଟି ଟଙ୍କା ପ୍ରସଙ୍ଗକୁ ନେଇ ଆଜି ଗୃହରେ ଓ ଗୃହ ବାହାରେ ସରକାରୀ ଦଳ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲେ ହେଁ ଗୋଟିଏ ଦିନରେ ଦଳର ଆକାଉଣ୍ଟକୁ ୮ କୋଟି ଟଙ୍କା କେଉଁଠୁ ଓ କେମିତି ଆସିଲା ସେ ନେଇ ନୀରବ ରହିଛନ୍ତି। ଅନ୍ୟପକ୍ଷରେ ଏହି ୮ କୋଟି ଟଙ୍କା ନେଇ ଖୋଳତାଡ଼ ଆରମ୍ଭ କରି ଦେଇଛି ଆୟକର ବିଭାଗ।

ଆଜି ଗୃହରେ ଏ ସଂପର୍କରେ ବିବୃତି ରଖିଥିବା ଆଇନ ମନ୍ତ୍ରୀ ଅରୁଣ ସାହୁ ଗୃହ ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ,“ ମାନ୍ୟବର ବିରୋଧୀ ଦଳ ନେତା ଆଜି ନୁହେଁ, ବାରମ୍ବାର ସମଗ୍ର ଓଡ଼ିଶା ଓ ଗୃହକୁ ମିଥ୍ୟା ବା ଅସତ୍ୟ କଥା କହି ବିଭ୍ରାନ୍ତ କରିଛନ୍ତି। ପ୍ରଥମେ କହିଲେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଗୃହ କାର୍ଯ୍ୟକୁ ବନ୍ଦ କଲେ ଓ ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା କଲେ। ତା’ପରେ କହିଲେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ କମିଶନରେଟ୍ ପୋଲିସ୍ ନୋଟିସ୍ କରିଛି। ସେଥିପାଇଁ ଗୃହକୁ ଅଚଳ କଲେ। ପରବର୍ତ୍ତୀ ସମୟରେ ସେ ଭୁଲ୍ କହିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ଗତକାଲି ମଧ୍ୟ ସେ ପବିତ୍ର ଗୃହରେ ଅସତ୍ୟ କଥା କହି ସେ ଗୃହ ସହିତ ପୂରା ଓଡ଼ିଶାକୁ ବିଭ୍ରାନ୍ତ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। ତଥ୍ୟ ଉପରେ ଆଧାରିତ କଥା କହୁ ନ ଥିବାରୁ ଆମେ ତାଙ୍କର ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରୁଛୁ।”

ସେ କହିଥିଲେ,“ ବିରୋଧୀ ଦଳ ନେତା ଯେଉଁ ଶ୍ରୀକୃଷ୍ଣ ପାଢ଼ୀଙ୍କ କଥା କହୁଛନ୍ତି ଯାହାଙ୍କ ବାପାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ତାଙ୍କ ଘର ହେଉଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଢ଼ାରେ। ସେ ଏବେ ଜେଲ୍‌ରେ ଅଛନ୍ତି। ବିଜେଡିରେ ଯେଉଁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଅଛନ୍ତି ତାଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଥସାହିରେ। ତାଙ୍କ ବାପାଙ୍କ ନାଁ ସ୍ୱର୍ଗତ କପିଳ ପାଢ଼ୀ। କିନ୍ତୁ ବିରୋଧୀ ଦଳ ନେତା ଭାବି ନେଲେ ଯେ ଏ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ହେଉଛନ୍ତି ଜେଲ୍‌ରେ ଥିବା ପୂର୍ଣ୍ଣଚନ୍ଦ୍ର ପାଢ଼ୀ। କେଉଁଠୁ ଏକ କାଗଜ ପାଇ ସେ କଳ୍ପନା କରି ଗୃହକୁ ଏଭଳି ମିଥ୍ୟା ତଥ୍ୟ ଦେଇଛନ୍ତି। ତେଣୁ ଆମେ କହୁଛୁ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁଁ ମତିଭ୍ରମ ଘଟି ସେ ଏହି ମନ୍ତବ୍ୟ ଦେଇଛନ୍ତି।”

ଅରୁଣ କହିଥିଲେ,“ ଦେଶର ଜେନେରାଲ୍ ଇଲେକ୍‌ଟୋରାଲ୍ ଟ୍ରଷ୍ଠ ଗଠନ ହେବା ପରଠାରୁ କଂଗ୍ରେସ ଏଥିରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ସାରିଲାଣି। ସେହିପରି ବିଜେପି ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଛି। ଆସୋସିଏସନ୍‌ ଫର୍ ଡେମୋକ୍ରାଟିକ୍ ରିଫମର୍ସର ୱେବ୍‌ସାଇଟ୍‌ (ଏଡିଆର)ରେ ଏହା ଉପଲବ୍ଧ।”

ତେବେ ଗୋଟିଏ ଦିନରେ ବିଜୁ ଜନତା ଦଳ ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିବା ନେଇ ବିଧାନସଭାରେ ବା ବିଧାନସଭା ବାହାରେ ମନ୍ତ୍ରୀ ଅରୁଣ ସାହୁ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନାହାନ୍ତି। ସେ କେବଳ କହିଥିଲେ,“ ବିଜୁ ଜନତା ଦଳର ଆକାଉଣ୍ଟ୍ ଜନସାଧାରଣଙ୍କ ସମ୍ମୁଖରେ ଅଛି। ଦଳ ଆୟକର ଦାଖଲ କରିଛି। ଅଡିଟ୍ ବି କରାଯାଇଛି। ଏଡିଆର୍ ୱେବ୍‌ସାଇଟ୍‌ରେ ଏହା ଉପଲବ୍ଧ ରହିଛି।”

ଅନ୍ୟପକ୍ଷରେ ବିରୋଧୀ ଦଳ ନେତାଙ୍କର ବାର୍ଦ୍ଧକ୍ୟ ଜନିତ ମତିଭ୍ରମ ହୋଇଥିବା ନେଇ ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି,“ଅନଙ୍ଗ ଉଦୟ ସିଂହଦେଓ ବି ଦିନେ ବଲାଙ୍ଗିର ମେଡିକାଲ୍ କଲେଜ ପ୍ରସଙ୍ଗରେ ନରସିଂହ ମିଶ୍ର ବୁଢ଼ା ହୋଇଗଲେଣି ବୋଲି କହିଥିଲେ। କିନ୍ତୁ ନିର୍ବାଚନରେ ଜଣାପଡ଼ିଗଲା କିଏ ବୁଢ଼ା ହୋଇଯାଇଛନ୍ତି। ଏଣୁ ଦିନ ଏମିତି ଆସିବ ଯେତେବେଳେ ମନ୍ତ୍ରୀ ଅରୁଣ ସାହୁ ଯୁବାବସ୍ଥାରେ ବାର୍ଦ୍ଧକ୍ୟର ଶିକାର ହେବେ।”

ତାରା ଆହୁରି ମଧ୍ୟ କହିଛନ୍ତି,“ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇ ମୁଖ୍ୟମନ୍ତ୍ରୀଙ୍କୁ ବ୍ରେନ୍‌ ଡେଡ୍‌ ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।”

ବିଜେଡି ଭୁଲ୍ ତଥ୍ୟ ଉପସ୍ଥାପନ କରୁଛି ବୋଲି ଅଭିଯୋଗ କରି ସେ କହିଛନ୍ତି,“ବିଜେଡି ମୁଖପାତ୍ର ଓଟିଭିକୁ କହିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡି ଆକାଉଣ୍ଟ୍ ପ୍ରସଙ୍ଗରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ଗତ ବିଧାନସଭାରେ ପ୍ରସାଦ ହରିଚନ୍ଦନ ମଧ୍ୟ ସେହି କଥା ଉଠାଇଥିଲେ। କିନ୍ତୁ ଏହା ମିଛ। ପ୍ରସାଦ ହରିଚନ୍ଦନ ମୋତେ ଫୋନ୍ କରି କହିଛନ୍ତି ଯେ ସେ କୌଣସି ପରିସ୍ଥିତିରେ କୌଣସି ସ୍ଥାନରେ ଏଭଳି ମନ୍ତବ୍ୟ ଦେଇ ନାହାନ୍ତି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଆଇନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ମୁଁ ବୁଢା ହୋଇ ଗଲିଣି, ମତି ଭ୍ରମ ହୋଇଛି। ମୁଁ ଅଜ୍ଞାନୀ, ଯାହା ବିବୃତ୍ତି ଦେଇଥିଲି ତାହା ମିଥ୍ୟା। ଏପରି ବକ୍ତବ୍ୟ ସମ୍ପର୍କରେ ମୋର କିଛି କହିବାର ନାହିଁ। ତାଙ୍କ ଉପରେ ମୋର ଦୟା ଆସୁଛି। ତୃତୀୟ ମହଲାରୁ ମୋ ବିରୋଧରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଛି। ଯେଉଁମାନଙ୍କ ନିର୍ଦ୍ଦେଶରେ ବିଜେଡିର ଦୁଇ ସଦସ୍ୟ ମୋ ବିରୋଧରେ ବକ୍ତବ୍ୟ ରଖିଛନ୍ତି, ତାଙ୍କୁ ମୁଁ ପ୍ରଶ୍ନ କରୁଛି, ମୁଁ ବକ୍ତବ୍ୟ ଦେବା ସମୟରେ ବାଧା ସୃଷ୍ଟି କରି ଗୃହକୁ ଅଚଳ କରିବା କେଉଁ ପରମ୍ପରା ଉପରେ ଆଧାରିତ। ଏହା ଗଣତନ୍ତ୍ର ବିରୋଧୀ ନୁହେଁ କି? ଯେଉଁ ଦଳ ବିରୋଧୀଙ୍କୁ ଆକ୍ଷେପ କରି କହୁଛି ପ୍ରଶ୍ନକାଳ ବାତିଲ କରିବା ଉଚିତ ନୁହେଁ, ଦୁଇଦିନ ହେବ ପ୍ରଶ୍ନକାଳରେ କାହିଁକି ନିଜେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି।”

ସେ କଟାକ୍ଷ କରି କହିଛନ୍ତି, “ମୋର ବୟସ ୭୬ ବର୍ଷ ହେଲାଣି। ହେଲେ ଆଇନମନ୍ତ୍ରୀ ଯେଉଁ ଦଳରେ ଅଛନ୍ତି ତାଙ୍କ ନେତା ବୟସରେ ମୋଠାରୁ ସାନ ହୋଇଥିଲେ ବି ୧୦ ମିଟର ଚାଲି ପାରୁନାହାନ୍ତି, ଗାଡିରେ ଯିବାକୁ ପଡୁଛି। ସେ ଯେଉଁଦିନ ୧୦୦ ମିଟର ଚାଲି ନ ପାରି ଗାଡିରେ ଯାଇଥିଲେ, ମୁଁ ସେଦିନ ୪ କି.ମି. ଚାଲିକି ଯାଇଥିଲେ।

ଅନ୍ୟପକ୍ଷରେ ଏସବୁ ଦୋଷ ଲଦାଲଦି ମଧ୍ୟରେ ବିଜେଡି ଆକାଉଣ୍ଟରେ ୮ କୋଟି ଟଙ୍କା ପ୍ରସଙ୍ଗରେ ଖୋଳତାଡ଼ ଆରମ୍ଭ କରି ଦେଇଛି ଆୟକର ବିଭାଗ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ବିଜେଡିର ଉକ୍ତ ଆକାଉଣ୍ଟର ଜମା ରାଶି ଓ ନେଣଦେଣର ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି।

ଗତକାଲି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ଏସ୍‌ବିଆଇ ମେନ୍ ବ୍ରାଞ୍ଚରେ ୧୦୦୯୧୭୫୫୨୪୬ ନମ୍ବରରେ ଏକ ଆକାଉଣ୍ଟ ରହିଛି। ଏହା ବିଜେଡିର ଆକାଉଣ୍ଟ କି ନୁହେଁ, ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ଚିଟ୍‌ଫଣ୍ଡ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢୀ ଏବଂ ତାଙ୍କ ବାପା ପୂର୍ଣ୍ଣ ପାଢୀଙ୍କ ଆକାଉଣ୍ଟରୁ ଏହି ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି।  ଏଟି ଲିଙ୍କ୍‌ ଅଭିଯୋଗରେ ଶ୍ରୀକୃଷ୍ଣ ପାଢୀ ଏବେ ଜେଲରେ ଅଛନ୍ତି। ବାପପୁଅଙ୍କ ଆକାଉଣ୍ଟରୁ ଏସ୍‌ବିଆଇ ମେନ୍‌ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ଆସିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ? ଗୋଟିଏ ଦିନରେ ଏହି ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିଛି। ଏହି ଟଙ୍କା କେଉଁଠୁ ଆସିଲା ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos