ଜାତୀୟ ପତାକା ଅବମାନନା ପ୍ରସଙ୍ଗ: ନରସିଂହ କହିଲେ ଭୁଲ୍ ଉଦ୍ଦେଶ୍ୟମୂଳକ ନ ଥିଲା

ଭୁବନେଶ୍ୱର: ବିରୋଧର ଦଳ ନେତା ନରସିଂହ ମିଶ୍ରଙ୍କ ଗାଡ଼ିର ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଥିବା ନେଇ ଗତକାଲି ବିଧାନସଭାରେ ଅଭିଯୋଗ ହୋଇଥିବା ବେଳେ ସେ ଆଜି ଗୃହରେ ଏହାର ଉତ୍ତର ରଖିଛନ୍ତି।

ନରସିଂହ କହିଥିଲେ,“ମୁଁ  ଉଦ୍ଦେଶ୍ୟମୂଳକ ଭାବେ ଭୁଲ୍ କରିନାହିଁ। ଜାତୀୟ ପତାକା ଗାଡ଼ିର ବାଁ ପାର୍ଶ୍ୱରେ ଲାଗିବା ଆଇନର ଉଲ୍ଲଂଘନ ନୁହେଁ କି ଦଣ୍ଡନୀୟ ନୁହେଁ। ମୁଁ କୌଣସି ଆଇନର ଉଲ୍ଲଂଘନ କରିନାହିଁ।”

ସେ କହିଥିଲେ,“ମୋତେ ସରକାର ଗାଡ଼ି ଯୋଗାଇ ଦେଇଛନ୍ତି। ଏଣୁ ଭବିଷ୍ୟତରେ ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ଆଶା।”

ଏ ପ୍ରସଙ୍ଗ ଗତକାଲି ବିଧାନସଭାରେ ଉଠାଇ ଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ସେ କାହାରି ନାମ ନ ନେଇ କହିଥିଲେ,“ଜଣେ ମନ୍ତ୍ରୀଙ୍କ ଗାଡ଼ିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଛି। ଏହା ଜାତୀୟ ପତାକା ପ୍ରତି ଅବମାନନା। ମନ୍ତ୍ରୀଙ୍କ ଗାଡ଼ି ନମ୍ବର ହେଉଛି OD-O2AG-6699।”

କିନ୍ତୁ ପରେ ଜଣାପଡ଼ିଲା ଏହି ଗାଡ଼ି ଚଢୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଲ’ ବୁକ୍ ମଗାଇ ତର୍ଜମା କଲା ପରେ ସେ ଉତ୍ତର ରଖିବେ ବୋଲି କହିଥିଲେ।