କାର୍‌ ଉପରେ ସୁଝାଇଲେ ମହିଳା ସ୍ୱେଚ୍ଛାସେବୀଙ୍କ ଉପରେ ଥିବା ରାଗ: ଅଶ୍ଳୀଳ କଥା ଲେଖିଲେ, ଚକରୁ ପମ୍ପ ଖୋଲିଲେ

ନୟାଗଡ଼: ସ୍ୱେଚ୍ଛାସେବୀଙ୍କ ଉପରେ ଥିଲା ରାଗ। ମାତ୍ର କାର୍‌ ଉପରେ ସୁଝାଇଲେ ରାଗ। ଆଜିର ସଭ୍ୟ ସମାଜରେ ଏପରି ନିନ୍ଦନୀୟ ଘଟଣା ଘଟିଛି ରାଜଧାନୀଠାରୁ ଅଳ୍ପ ଦୂରରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ୱେଚ୍ଛାସେବୀ ଲିଙ୍କନ ଗତକାଲି ନିଜ ଗାଁ ନୟାଗଡ଼ ଜିଲ୍ଲା ଆଙ୍ଗିସିଙ୍ଗିକୁ ଆସିଥିଲେ। ରାତିରେ ବାହାରେ କାର୍‌ ପାର୍କିଂ କରି ଘରେ ଏକାକୀ ଥିଲେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ କର୍‌ ୪ଟି ଚକା ଲିକ୍‌ କରିଦେଇଥିଲେ। ଏପରିକି କାର୍‌ ଆଗ, ପଛ ଓ ସାଇଡ୍‌ରେ ଲିଙ୍କନଙ୍କ ନାଁରେ ଅଶ୍ଳୀଳ ଭାଷାରେ ଲେଖିଥିଲେ। ଆଜି ସକାଳେ କାର୍‌ର ଏପରି ଅବସ୍ଥା ଦେଖି ଲିଙ୍କନ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ(ଲିଙ୍କନ) ଜୀବନ ପ୍ରତି ବିପଦ ରହିଥିବା ନେଇ ମଧ୍ୟ ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ କିଛି ଦିନ ହେବ ଲିଙ୍କନ ନିଜୁ ଗାଁ ଆଙ୍ଗିସିଙ୍ଗି ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ସମାଜସେବୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତାଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହେଉଛି।

ଲିଙ୍କନ ସୁବୁଦ୍ଧି କହିଛନ୍ତି-“ମୁଁ କଛି ଦିନ ହେବ ଏହି ଅଞ୍ଚଳରେ ମହିଳା, ଶିଶୁ ଓ ମଦ ବିରୋଧରେ ବିଭିନ୍ନ ସାମାଜିକ କାମ କରୁଛି। ତେବେ ଏଥିରେ ଅସାମାଜିକ ଲୋକେ ଭୟଭୀତ ହୋଇ ମୋ କାମରେ ବାଧା ଦେବା ପାଇଁ ଏପରି କାର୍ଯ୍ୟ କରିଛନ୍ତି।”

ଶରଣକୁଳ ଏସ୍‌ଡିପିଓ ଟି.ଜେ ରେଡ୍ଡୀ କହିଛନ୍ତି-“ଲିଙ୍କନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ସେ ନୟାଗଡ଼ ଆସିବା ପୂର୍ବରୁ ପୋଲିସ୍‌କୁ ସୂଚନା ଦେଲେ ତାଙ୍କୁ ସୁରକ୍ଷା ଯୋଗାଇଦିଆଯିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।