ଏନ୍‌ଡିଏ ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଛତିଶଗଡ଼କୁ ମଞ୍ଜୁରୀ ଦେଇଛନ୍ତି: ଶ୍ରୀକାନ୍ତ

ଭୁବନେଶ୍ୱର: “ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୬ଟି ପ୍ରକଳ୍ପ ପାଇଁ ୟୁପିଏ ସରକାର ନୁହେଁ ଏନ୍‌ଡିଏ ସରକାର ପରିବେଶ ମଞ୍ଜୁରୀ ଦେଇଥିଲେ। ତତ୍‌କାଳୀନ ୟୁପିଏ ସରକାର ଅମଳରେ ଛତିଶଗଡ଼ ବିନା ପରିବେଶ ମଞ୍ଜୁରୀରେ ବ୍ୟାରେଜ ନିର୍ମାଣ କରୁ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ତାଗିଦ କରିଥିଲା” ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ସେ କହିଛନ୍ତି,“ଛତିଶଗଡ଼ ସରକାର ୨୦୦୯ ମସିହାରେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରିଥିଲେ। ହେଲେ ୟୁପିଏ […]

shreekanta

shreekanta

Rakesh Mallick
  • Published: Friday, 19 August 2016
  • Updated: 19 August 2016, 02:42 PM IST

shreekantaଭୁବନେଶ୍ୱର: “ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୬ଟି ପ୍ରକଳ୍ପ ପାଇଁ ୟୁପିଏ ସରକାର ନୁହେଁ ଏନ୍‌ଡିଏ ସରକାର ପରିବେଶ ମଞ୍ଜୁରୀ ଦେଇଥିଲେ। ତତ୍‌କାଳୀନ ୟୁପିଏ ସରକାର ଅମଳରେ ଛତିଶଗଡ଼ ବିନା ପରିବେଶ ମଞ୍ଜୁରୀରେ ବ୍ୟାରେଜ ନିର୍ମାଣ କରୁ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ତାଗିଦ କରିଥିଲା” ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।

ସେ କହିଛନ୍ତି,“ଛତିଶଗଡ଼ ସରକାର ୨୦୦୯ ମସିହାରେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରିଥିଲେ। ହେଲେ ୟୁପିଏ ସରକାର ଏଥିପାଇଁ ଅନୁମତି ଦେଇ ନ ଥିଲେ। ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ୨୦୧୪ ମେ’ ୨୨ ତାରିଖରେ ଛତିଶଗଡ଼କୁ ପରିବେଶ ମଞ୍ଜୁରୀ ଦିଆଯାଇଛି। କିନ୍ତୁ ୟୁପିଏ ସରକାର ଅମଳରେ ପରିବେଶ ମଞ୍ଜୁରୀ ଦିଆଯାଇଥିବା କହି ଉଭୟ ବିଜେଡି ଓ ବିଜେପି ଅପପ୍ରଚାର କରୁଛନ୍ତି।”

ସେ ଆହୁରି କହିଛନ୍ତି,“ନିଜ ଦୋଷ ଲୁଚାଇବାକୁ ବିଜେପି ଓ ବିଜେଡି ୟୁପିଏ ସରକାର ଉପରେ ଦୋଷ ଲଦୁଛନ୍ତି। ଶିଳ୍ପପତିଙ୍କ ଅର୍ଥରେ ପ୍ରକଳ୍ପଗୁଡିକ ନିର୍ମାଣ ହେଉଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଏମାନଙ୍କ ଶିଳ୍ପସଂସ୍ଥା ରହିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଶିଳ୍ପପତିମାନେ ପକେଟସ୍ଥ କରି ମହାନଦୀକୁ ନିଜ ଅକ୍ତିଆରରେ ରଖିଛନ୍ତି। ପ୍ରକଳ୍ପ ନିର୍ମାଣ ହୋଇଯିବା ପରେ ଶିଳ୍ପପତିମାନେ ପାଣି ନେବେ, ଚାଷୀ ବୁନ୍ଦାଏ ପାଣି ପାଇବେ ନାହିଁ।”

ସେ କହିଛନ୍ତି,“ଚିଠି ଲେଖା ଯାଇ ତଥ୍ୟ ମଗା ଯାଉଥିବା କୁହାଯାଉଛି। ଇଣ୍ଟରନେଟ୍‌ ଯୁଗରେ ଏମାନେ ଚିଠି କ’ଣ ପାଇଁ ଲେଖୁଛନ୍ତି? ଇଣ୍ଟରନେଟ୍‌ରେ ସବୁ ତଥ୍ୟ ଥୁଆ ହୋଇଛି, ତଥ୍ୟ ପାଉ ନାହୁଁ କହି ଲୋକଙ୍କୁ ଭୁତାଇବାକୁ ଚେଷ୍ଟା କରୁଛନ୍ତି। ଅଫିସରମାନଙ୍କ ବ୍ୟବହାର ଗ୍ରହଣୀୟ ନୁହେଁ। ସେମାନେ କ’ଣ ଭାବୁଛନ୍ତି ଏ ରାଜ୍ୟରେ ସମସ୍ତେ ବୋକା? ଏଥିରୁ ସେମାନେ କ୍ଷାନ୍ତ ହୁଅନ୍ତୁ ଓ ନିଜ ଭୁଲ ସ୍ୱୀକାର କରନ୍ତୁ।”

“ଦିଲ୍ଲୀରେ ଓଡ଼ିଶା ଜଳ ସେଚନ ବିଭାଗର ଅଫିସ ଅଛି। ସେଠାରେ ବହୁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ପ୍ରତିଦିନ କେନ୍ତ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)କୁ ଯାଇଥାନ୍ତି। ହେଲେ ଏ ସମ୍ପର୍କରେ ଜାଣି ପାରିଲେ ନାହିଁ କେମିତି? ଯେତେବେଳେ ପରିବେଶ ମଞ୍ଜୁରୀ ମିଳିଲା ମାସେ ସମୟ ଥିଲା, ସେମାନେ ଗ୍ରୀନ୍‌ ଟ୍ରିବ୍ୟୁନାଲକୁ କାହିଁକି ଗଲେ ନାହିଁ” ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ଶ୍ରୀକାନ୍ତ ବିଜେଡି ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଅର୍ଜୁନ ବାବୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିଲେ। ଏବେ ଯେଉଁ କେଲୋ ପ୍ରକଳ୍ପ କଥା ଉଠୁଛି ସେ ସମ୍ପର୍କରେ ତାଙ୍କୁ ପଚରାଯାଉ। କେଲୋ ପ୍ରକଳ୍ପର କିଛି ଫାଇଲରେ ସେ ଦସ୍ତଖତ କରିଛନ୍ତି କି ନାହିଁ ତାଙ୍କୁ ପଚରା ଗଲେ ସବୁ ସତ୍ୟ କଥା ପଦାକୁ ଆସିଯିବ। କେନ୍ଦ୍ର ଓ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଆମ ଉପରେ ଲଦୁଛନ୍ତି। ମହାନଦୀ ପ୍ରସଙ୍ଗ ନେଇ ପବ୍ଲିକ ଡିବେଟ୍‌ କରାଯାଉ। ଯଦି ସାହାସ ଅଛି ବିଜେପି ଓ ବିଜେଡି ଏହି ପବ୍ଲିକ ଡିବେଟ୍‌କୁ ଆସନ୍ତୁ।”

ଶ୍ରୀକାନ୍ତଙ୍କ ମନ୍ତବ୍ୟ ଉପରେ ଉଭୟ ବିଜେପି ଓ ବିଜେଡି ପ୍ରତିକ୍ରିୟା ରଖିଛନ୍ତି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ସେ (ଶ୍ରୀକାନ୍ତ ଜେନା) ଯେଉଁ ପ୍ରକଳ୍ପଗୁଡିକ କଥା କହୁଛନ୍ତି ସେଗୁଡିକୁ କେନ୍ଦ୍ରୀୟ ମଞ୍ଜୁରୀ ୨୦୦୮ରୁ ୧୩ ମଧ୍ୟରେ ମିଳିଛି। ସେ ମନେ ପକାଇବା ଦରକାର ୨୦୧୪ ମେ ୨୨ରେ କେନ୍ଦ୍ରରେ ଏନ୍‌ଡିଏ ସରକାର ହୋଇ ନ ଥିଲା। ମେ ୨୬ରେ ନରେନ୍ଦ୍ର ମୋଦିଙ୍କ ସରକାର ଶପଥ ଗ୍ରହଣ କରିଥିଲା।”

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଓ ପୋଲାଭରମ୍‌ ଇସ୍ୟୁରେ ରାଜ୍ୟ ସ୍ୱାର୍ଥରକ୍ଷା କରିବାରେ ଶ୍ରୀକାନ୍ତ ଜେନା ବିଫଳ ହୋଇଛନ୍ତି। ନିଜର ଅସଫଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ସେ ଏଭଳି ବିଭ୍ରାନ୍ତିକର ବିବୃତ୍ତି ଦେଉଛନ୍ତି। ଓଡ଼ିଶା ଓ ଛତିଶଗଡ଼ ସରକାର ମଧ୍ୟରେ ସାଲିସ ହୋଇଥିବାର କିଛି ତଥ୍ୟ ଯଦି ତାଙ୍କ ପାଖରେ ଅଛି ସେ ଦେଖାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos