ଭୁବନେଶ୍ୱର-କଟକକୁ ଦେଶର ସର୍ବଶ୍ରେଷ୍ଠ କମିଶନରେଟ୍ କରାଯିବ: ନୂଆ ପୋଲିସ୍ କମିଶନର ୱାଇ.ବି ଖୁରାନିଆ

newcpଭୁବନେଶ୍ୱର: ଭୁବନେଶ୍ୱର-କଟକ ଟୁଇନ୍ ସିଟିର ନୂଆ ପୋଲିସ୍ କମିଶନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଯୋଗେଶ ବାହାଦୂର ଖୁରାନିଆ। ପୂର୍ବତନ ପୋଲିସ୍ କମିଶନର ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ସେ ଆଜି ଭୁବନେଶ୍ୱର ସ୍ଥିତ କମିଶନରେଟ୍ ପୋଲିସ୍ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବନି ଯାଇଛନ୍ତି ଟୁଇନ୍ ସିଟିର ପଞ୍ଚମ ପୋଲିସ କମିଶନର।

ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୁରାନିଆ କହିଛନ୍ତି ଯେ ପୋଲିସର ମୌଳିକ କର୍ତ୍ତବ୍ୟ ହେଉଛି ଆଇନଶୃଙ୍ଖଳା ରକ୍ଷା କରିବା ଓ ଧନଜୀବନକୁ ସୁରକ୍ଷା ଦେବ। ସେ ଏହାକୁ ଗୁରୁତ୍ୱ ଦେବ। ଅପରାଧିକ ଓ ଅସାମାଜିକତତ୍ତ୍ୱଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ। ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ପ୍ରତି କମିଶନରେଟ୍ ପୋଲିସ୍ ସମ୍ବେଦନଶୀଳ ରହିବ। ସେମାନଙ୍କ ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ।

ସେ କହିଛନ୍ତି ଯେ ଭୁବନେଶ୍ୱର-କଟକ ପୋଲିସ୍ କମିଶନରେଟକୁ ଦେଶର ସର୍ବଶ୍ରେଷ୍ଠ କମିଶନରେଟ୍ କରିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି। ଏଥିପାଇଁ ୨୦୨୦ ନାଁରେ ଏକ ଭିଜନ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯିବ। କମିଶନରେଟ୍ ପୋଲିସରେ ମାନବସମ୍ବଳର ଅଭାବ ରହିଛି। ସରକାର ଓ ରାଜ୍ୟ ପୋଲିସ୍ ମୁଖ୍ୟାଳୟଙ୍କ ସହାୟତାରେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବାକୁ ଚେଷ୍ଟା କରାଯିବ। ସେହିପରି ନୂଆ ଟେକନିକ୍ ଓ ଇକ୍ୟୁପମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ନୂଆ ପୋଲିସ୍ କମିଶନର କହିଥିଲେ, କଟକ ଓ ଭୁବନେଶ୍ୱରରେ ଏବେ ଟ୍ରାଫିକ୍ ଓ ପାର୍କିଂ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ସହିତ ମିଶି ଏହାକୁ ଦୂର କରିବାକୁ କମିଶନରେଟ୍ ପୋଲିସ୍ କାର୍ଯ୍ୟ କରିବ। ସେହିଭଳି ଅନେକ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି। ଉକ୍ତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେଠାରେ ସଡ଼କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ପୋଲିସରେ ବର୍ତ୍ତମାନ ସ୍ପେଶିଆଲାଇଜେସନର ସମୟ ଆସି ଯାଇଛି ବୋଲି କହିଛନ୍ତି ଖୁରାନିଆ। ସେ କହିଛନ୍ତି, ପୋଲିସରେ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଟିମ୍ ଗଠନ କରିବାର ଆବଶ୍ୟକତା ରହିଛି। ମହିଳାଙ୍କ ସହିତ ଘଟୁଥିବା ଅପରାଧ, ସାଇବର ଅପରାଧ ଆଦି ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଟିମ୍ ରଖିବା ଜରୁରୀ। ସେହିପରି ଆତଙ୍କବାଦ ଭଳି ସମସ୍ୟାର ମୁକାବିଲା ପାଇଁ ଏସଟିଏଫ୍ ସ୍କ୍ୱାଡ୍ ରହିବା ଆବଶ୍ୟକ ହୋଇଛି।

ପୋଲିସକୁ ଜନସାଧାରଣଙ୍କ ବନ୍ଧୁ ବୋଲି ଦର୍ଶାଇ ସେ କହିଛନ୍ତି ଯେ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର ଲୋକଙ୍କର ଅଧିକ ନିକଟତର ହେବାକୁ କାମ କରିବ। ଏହା ଲୋକଙ୍କ ବନ୍ଧୁ ଭାବେ କାର୍ଯ୍ୟ କରିବ। ଜନସାଧାରଣ ବି ପୋଲିସଙ୍କୁ ତାଙ୍କର ବନ୍ଧୁ ଭାବେ ବିବେଚନା କରିବା ଉଚିତ୍। ଯେତେବେଳେ ଯାହା କିଛି ସମସ୍ୟା ହେଉଛି ସେମାନେ ଆସି ପୋଲିସକୁ ଜଣାଇ ପାରିବେ। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ପୋଲିସ୍ କମିଶନରେଟରେ ଜଣେ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ସେ ପ୍ରତିଦିନ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବେ ଓ ତା’ର ସମାଧାନ କରିବେ।

ପୂର୍ବରୁ କମିଶନରେଟ୍ ପୋଲିସରେ ଆଡିଶନାଲ୍ କମିଶନରେ କାର୍ଯ୍ୟ କରି ଥିବା ଖୁରାନିଆ କହିଛନ୍ତି ଯେ ୨୦୦୮ରେ କମିଶନରେଟ୍ ଗଠନ ହେବା ପରଠାରୁ  ଇତି ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। କମିଶନରେଟ୍ ବ୍ୟବସ୍ଥା ଉପକାରୀ ହୋଇଛି ବୋଲି ଲୋକେ ଅନୁଭବ କରିଛନ୍ତି। କମିଶନରେଟ୍ ପୋଲିସ୍ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛି।

ଖୁରାନିଆ ନୂଆ ପୋଲିସ୍ କମିଶନରେଟ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ପୋଲିସ୍ କମିଶନରେଟ୍ କାର୍ଯ୍ୟାଳୟରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଟୁଇନ୍ ସିଟିରେ କାର୍ଯ୍ୟ କରୁଥିବା ପୋଲିସ୍ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପୂର୍ବତନ ପୋଲିସ୍ କମିଶନର ଆର.ପି ଶର୍ମା ଦାୟିତ୍ୱ ହସ୍ତାନ୍ତର କରିବା ପରେ ଖୁରାନିଆଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହିଦ ଆହୁରି ଆଗକୁ ବଢ଼ିବା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପୂର୍ବତନ ପୋଲିସ୍ କମିଶନର ଆର.ପି ଶର୍ମା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆର ବହୁଳ ପ୍ରସାର ଘଟିଥିବାରୁ ଏଣିକି ଏହା ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯିବ। ସେହିପରି ଜଣେ ଚାହିଁଲେ ଫୋନ ମାଧ୍ୟମରେ ମଧ୍ୟ ଭିଜିଲାନ୍ସରେ ଅଭିଯୋଗ କରି ପାରିବେ। କଟକ ଭିଜିଲାନ୍ସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ। ଦୁର୍ନୀତି ହେବା ପୂର୍ବରୁ ଏହାକୁ ରୋକିବା ଲାଗି ମେକାନିଜିମ ପ୍ରସ୍ତୁତ କରିବା ଓ ଭିଜିଲାନ୍ସ ମାମଲାରେ ଦଣ୍ଡିବିଧାନ ହାର ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।