ଛତିଶଗଡ଼କୁ ଏନ୍‌ଜିଟି ଝଟ୍‌କା; ଛଅଟି ପ୍ରକଳ୍ପ ଉପରେ ରୋକ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଟଣାଓଟରା ମଧ୍ୟରେ ଛତିଶଗଡ ସରକାରଙ୍କୁ ଲାଗିଛି ବଡ଼ ଝଟକା। ମହାନଦୀ ଉପରେ ଛତିଶଗଡ ସରକାରଙ୍କ ପ୍ରସ୍ତାବିତ ୬ଟି ଏ-ଗ୍ରେଡ୍ ପ୍ରକଳ୍ପ ଉପରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଲଗାଇଛନ୍ତି ରୋକ୍। ଏସବୁ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିଥିଲେ ମଧ୍ୟ ଟ୍ରିବ୍ୟୁନାଲଙ୍କ ବିନା ଅନୁମତିରେ କାମ ଆରମ୍ଭ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଉପରେ ୫୭ଟି ପ୍ରକଳ୍ପ କରିବାର ପରିକଳ୍ପନା କରିଛନ୍ତି ଛତିଶଗଡ ସରକାର। ସେଥିରୁ ୫୧ଟିର କାମ ଚାଲିଥିବାବେଳେ ବାକି ୬ଟି ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇନି। ଏସବୁ ପ୍ରକଳ୍ପ ନିର୍ମାଣ ହେବା ଦ୍ୱାର ମହାନଦୀର ଜଳପ୍ରବାହ କମିବ ଓ ପରିବେଶ ଉପରେ ତା’ର ପ୍ରଭାବ ମଧ୍ୟ ପଡିବ। ତେଣୁ ନିର୍ମାଣ କାମ ବନ୍ଦ କରିବା ନେଇ ଆଗାମୀ ଓଡିଶା ପକ୍ଷରୁ ସାମାଜିକ କର୍ମୀ ସୁଦର୍ଶନ ଦାସ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଆସନ୍ତା ଅଗଷ୍ଟ ୨୫ ତାରିଖରେ ମମାଲାର ପରବର୍ତ୍ତୀ ଶୁଣାଣି କରିବ।

ରାଜନୈତିକ ଲଢେଇ ପରେ ଏବେ ଆଇନ ଜାଲରେ ମହାନଦୀ ବିବାଦ। ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ନେଇ ସଙ୍କେତ ଦେଇଛନ୍ତି। କିନ୍ତୁ ଏଯାଏଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେବେ ଟ୍ରିବ୍ୟୁଲାନ୍ ଗଠନ ହେଲେ ଓଡ଼ିଶାର ଲାଭ  ହେବ ନା କ୍ଷତି  ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଟ୍ରିବ୍ୟୁନାଲ୍ ଓଡିଶା ସରକାରଙ୍କ ଅଭିଯୋଗର ତର୍ଜମା କରିବା ସହ ଛତିଶଗଡ ସରକାରଙ୍କୁ ପକ୍ଷ ରଖିବାକୁ କହିବେ। ଏହି ପ୍ରକ୍ରିୟା ସମୟସାପେକ୍ଷା ବୋଲି କୁହାଯାଉଛି।  ସେହିପରି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଛତିଶଗଡ ଯେଉଁ ପ୍ରକଳ୍ପର କାମ ଚାଲୁ ରଖିବାକୁ ଚାହିଁବ ତାକୁ ଚାଲୁ ରଖିପାରିବ।

ଏପଟେ ପ୍ରକଳ୍ପ କାମ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଦାବିକୁ ଛତିଶଗଡ ଗ୍ରହଣ କରିନାହାନ୍ତି। କାମ ବନ୍ଦ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଇନଜକସନ୍ ସୁଟ୍ କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏଯାଏଁ କୌଣସି  ନିର୍ଦ୍ଦେଶ ଦେଇନାହାନ୍ତି। ସେହିପରି କେନ୍ଦ୍ର ମଧ୍ୟ ଏନେଇ ଛତିଶଗଡ଼ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଏହା ଭିତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି।