୩ ସିମି ଆତଙ୍କୀକୁ ୧୫ ଦିନିଆ ରିମାଣ୍ଡରେ ନେବ ଏନଆଇଏ

ରାଉରକେଲା: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ନେବ ଏନଆଇଏ । ସେମାନେ ହେଲେ ଅମଜାଦ୍ ଖାନ୍, ଜାକିର ହୁସେନ୍ ଓ ଶେଖ୍ ମେହମୁଦ୍‌। ଏହି ତିନି ଜଣଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ବୁଧବାର ରାଉରକେଲାର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ଅମଜାଦ୍, ଜାକିର ଓ ମେହମୁଦ୍ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ନେଇ ଅନେକ ଅଭିଯୋଗ ରହିଛି। ଅଭିଯୋଗଗୁଡ଼ିକୁ କିଭଳି ପ୍ରମାଣିତ କରାଯାଇପାରିବ, ସେନେଇ ସେମାନଙ୍କୁ ମାରାଥନ ଜେରା କରିବ ଏନ୍‌ଆଇଏ।

ଏହି ୫ ଆତଙ୍କବାଦୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ୧୩ ଦିନ ରିମାଣ୍ଡରେ ନେଇଥିଲା। ଗତକାଲି ଏହି ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଆଜି ରାଉରକେଲା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଏମାନଙ୍କୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଓ ପୁଣେ ପୋଲିସ ସମେତ ଏନଆଇଏ ଆବେଦନ କରିଥିଲେ।

ଫେବ୍ରୁଆରୀ ୧୬ ତାରିଖ ଦିନ ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ଜଣେ ମହିଳାଙ୍କ ସମେତ ୫ ଆତଙ୍କବାଦୀଙ୍କୁ ବିଳମ୍ବିତ ରାତିରେ ରାଉରକେଲାରୁ ଗିରଫ କରାଯାଇଥିଲା।