ନୀଳାଦ୍ରିବିଜେ ବିଶୃଙ୍ଖଳା: ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ

suresh-mahapatraପୁରୀ: ନୀଳାଦ୍ରି ବିଜେ ବେଳେ ଦେଖା ଦେଇଥିବା ବିଶୃଙ୍ଖଳା ଅତ୍ୟନ୍ତ ଦୁଃଖଦାୟକ। ଜଣେ ସେବାୟତଙ୍କ ପାଇଁ ଏପରି ଘଟଣା ଘଟିଗଲା। ଏଥିପାଇଁ ସବୁ ସେବାୟତଙ୍କୁ ଦୋଷ ଦେଇ ହେବ ନାହିଁ। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ଏହାର ତର୍ଜମା କରୁଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ଆଜି ସିସିଟିଭି ଫୁଟେଜ୍‌ ଦେଖିବା ପରେ ଆମେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

ମହାପାତ୍ର ଆହୁରି କହିଛନ୍ତି, “ଗତକାଲି ନୀତି ନିର୍ଘଣ୍ଟ ଠିକ ହୋଇଥିଲା। ପହଣ୍ଡି ପାଇଁ ଠିକ ସମୟରେ ପ୍ରସ୍ତୁତି ସରିଥିଲା। ଏହି ସମୟରେ ଜଣେ ସେବାୟତ ତାଙ୍କ ଝିଅକୁ ରଥ ଉପରକୁ ନେଇଥିଲେ। ଉପସ୍ଥିତ ପ୍ରଶାସନିକ ଅଧିକାରୀ ଏବଂ ସୁରକ୍ଷାକର୍ମୀ ବାରଣ କରିବାକୁ ସମ୍ପୃକ୍ତ ସେବାୟତ ଯୁକ୍ତିତର୍କ କରିଥିଲେ। ଯାହାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶ୍ରୀଜୀଉଙ୍କ ସେବା ପାଇଁ ୨୦୦୦ ସେବାୟତ ପରିବାର ଅଛନ୍ତି। ସମ୍ପୃକ୍ତ ସେବାୟତଙ୍କୁ ଛାଡିଦେଲେ ନିଷ୍ପତ୍ତିକୁ ମାନି ଅନ୍ୟ କୌଣସି ସେବାୟତ ନିଜ ପରିବାର ଲୋକଙ୍କୁ ରଥକୁ ନେଇ ନ ଥିଲେ।”

ସେ କହିଛନ୍ତି,“ବହୁ ବର୍ଷ ହେଲା ସେବାୟତମାନେ ସେମାନଙ୍କ ପରିବାର ଲୋକଙ୍କୁ ରଥ ଉପରକୁ ନେଉଥିଲେ। ବିଶେଷ କରି ଛୋଟ ଝିଅମାନେ ଯାଉଥିଲେ। ଚଳିତବର୍ଷ ସେବା ନ ଥିବା କୌଣସି ବ୍ୟକ୍ତି ରଥକୁ ଯାଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ପ୍ରାୟ ସମସ୍ତେ ମାନି ନେଇଥିବା ବେଳେ ଜଣେ ଦୁଇ ଜଣ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଗତକାଲି ଘଟଣାରେ ସେମାନଙ୍କୁ କୌଣସି ସେବାୟତ ସମର୍ଥନ କରିନାହାନ୍ତି।”

ଗତକାଲି ନୀଳାଦ୍ରି ବିଜେ ବେଳେ ଯାହା ଘଟିଗଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି, “ଏପରି ଘଟଣାର ପୁନରାବୃତ୍ତି ରୋକିବାକୁ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଦୃଢ଼ ବ୍ୟବସ୍ଥା ଗ୍ରହଣ କରନ୍ତୁ।”

ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତରେ ସହଯୋଗ କରିବା ପାଇଁ ଭକ୍ତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ରଥ ଉପରେ ଯୁବତୀ ଚଢ଼ିବା ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ”

ଅନ୍ୟପକ୍ଷରେ ଅଧରପଣା ନୀତି ବେଳେ ସେବାୟତମାନେ ଯେପରି ଆଚରଣ ପ୍ରଦର୍ଶନ କଲେ ତାକୁ ନେଇ ସାରା ରାଜ୍ୟରେ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ନୀଳାଦ୍ରି ବିଜେ ବିଶୃଙ୍ଖଳା ଘିଅରେ ନିଆଁ ଢାଳିବା ପରି ହୋଇଛି। କେବଳ ରଥଯାତ୍ରା ନୁହେଁ ଶ୍ରୀଜୀଉଙ୍କ ରୀତିନୀତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଜଣେ ଭକ୍ତ କହିଛନ୍ତି, “ସେବାୟତମାନଙ୍କ ବିଶୃଙ୍ଖଳିତ ଆଚରଣ ସୀମା ଅତିକ୍ରମ କରିଛି। ତିନି ଠାକୁରଙ୍କୁ ସେମାନେ ନିଜ ସମ୍ପତ୍ତି ବୋଲି ଭାବୁଛନ୍ତି ଓ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହାଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ଭାବମୂର୍ତ୍ତି ସାରା ବିଶ୍ୱରେ ନିଦିତ ହେଉଛି। ଏପରି ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ଯେପରି ଅନ୍ୟ କୌଣସି ସେବାୟତ ବିଶୃଙ୍ଖଳା ସୃଷ୍ଟି କରିବାକୁ ସାହାସ କରିବେ ନାହିଁ।”