ନିର୍ଯାତନା ଅଭିଯୋଗ ଆଣିଲେ ଡାକ୍ତର ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ବୋହୂ

ctcକଟକ: ଡାକ୍ତର ବ୍ରହ୍ମାନନ୍ଦ ଆଚାର୍ଯ୍ୟଙ୍କ ବୋହୂ ହେମାବତୀ ଶାଶୁ ଘର ଲୋକଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ଆଜି ସେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ, ନଣନ୍ଦ ଓ ନଣନ୍ଦଙ୍କ ସ୍ୱାମୀ ଓ ଭଣଜା ତାଙ୍କୁ ଓ ତାଙ୍କ ପୁଅକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ତାଙ୍କ ପୁଅକୁ ସମ୍ପତ୍ତିରୁ ବାଣ୍ଟ ଦେଉ ନ ଥିବା ବେଳେ ଘରେ ମଧ୍ୟ ରହିବାକୁ ଦେଉନାହାନ୍ତି। ଏହାସହ ସେ ପୋଲିସ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି,“ମୋ  ଶାଶୁ, ନଣନ୍ଦ, ନଣନ୍ଦେଇ ଓ ଭଣଜା ସବୁ ସମ୍ପତ୍ତି ନେଇ ମୋ ପୁଅକୁ ବେଘର କରିଦେଇଛନ୍ତି। ମୋ ପାଖରେ ରହିବାକୁ ଏବେ ଜାଗା ଖଣ୍ଡେ ନାହିଁ। ମୋ ଶ୍ୱଶୁର ମୋ ପୁଅ ପାଇଁ ବହୁତ କିଛି ରଖି ଯାଇଛନ୍ତି। ହେଲେ ସେମାନେ ସବୁ ମାଡି ବସିଛନ୍ତି। ମୁଁ ଚାହୁଁଛି, ମୋ ପୁଅକୁ ତା’ର ଅଧିକାର ପ୍ରଦାନ କରାଯାଉ।”

ସେ କହିଛନ୍ତି,“୨୦୦୨ ମସିହାରୁ ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୋତେ ନିର୍ଯାତନା ଦିଆଯାଉଛି। ଏ ନେଇ ମୁଁ ଫ୍ୟାମିଲ କୋର୍ଟଙ୍କ ଆଶ୍ରୟ ନେଇଥିଲି। ଶ୍ୱଶୁର ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ରହିବାକୁ ମୋ ଶ୍ୱଶୁର ମଧ୍ୟ ହାଇକୋର୍ଟରେ ଆପିଡେପିଟ୍‌ କରିଛନ୍ତି। ତଥାପି ମୋ, ଶାଶୁ, ନଣନ୍ଦ, ତାଙ୍କ ସ୍ୱାମୀ ଏବଂ ଭଣଜା ମୋତେ କି ମୋ ପୁଅକୁ ସେଠାରେ ରଖାଇ ଦେଉନାହାନ୍ତି।”

ସେ ଆହୁରି କହିଛନ୍ତି,“ଦଶହରା ଦିନ ରାତି ୮ଟାରେ ଚାଉଳିଆଗଞ୍ଜ ଥାନାର କର୍ମଚାରୀ ଯାଇ ମୋତେ ନେଇ ଆସିଥିଲେ। ଆଇଆଇସି ଡାକିଛନ୍ତି ବୋଲି କହି ମୋତେ ଥାନାକୁ ଆଣିଲେ। ଏଠାରେ ପହଞ୍ଚିବା ପରେ ଆଇଆଇସି ଓ ଏସିପି କାହିଁକି ସେଠାରେ ରହିଛ ବୋଲି ପ୍ରଶ୍ନ କରିବା ସହ ସେ ଘରେ ତୁମେ ରହି ପାରିବ ନାହିଁ ବୋଲି କହିଥିଲେ। ରାତି ୮ଟାରୁ ୩ଟା ପର୍ଯ୍ୟନ୍ତ ମୋତେ ଥାନାରେ ବସାଇ ରଖିଲେ। ରାତି ୩ଟାରେ ମୋତେ ଯିବାକୁ କହିଥିଲେ। ମୋତେ ନେଇ ଘରେ ଛାଡିବାକୁ ମୁଁ କହିଥିଲି। ହେଲେ ସେମାନେ ମୋତେ ବସୁନ୍ଧରାରେ ଛାଡିଦେବାକୁ କହିଥିଲେ। ଏହା ମଧ୍ୟରେ ଦୁଇ ଦୁଇ ଥର ଏତଲା ଦେଲିଣି, ହେଲେ ପୋଲିସ କୌଣସି ପଦକ୍ଷେପ ନେଉନାହିଁ।”

ହେମାବତୀଙ୍କ ନଣନ୍ଦ ଆଭା ଆଚାର୍ଯ୍ୟ କହିଛନ୍ତି,“ବାପା ମୋତେ ଏହି ଘରକୁ ଗିଫ୍ଟରେ ଦେଇ ଯାଇଛନ୍ତି, ଏ ଘର ମୋର। ବାପାଙ୍କ ମୃତ୍ୟୁର ୮ ଦିନ ପରେ ଆସି ଏ ଘର ତା’ର ସେ ଏଠାରେ ରହିବ ବୋଲି କହିଥିଲା। ମୋ ବାପା ମୋତେ ଏ ଘର ଦାନରେ ଦେଇଛନ୍ତି, ମୁଁ ତାକୁ କେମିତି ଦେଇ ଦେବି। ଏପରି ଅଭିଯୋଗ ଭିତ୍ତିହୀନ।”