ନିୟମଗିରି ଖଣି ଖନନ ପ୍ରସଙ୍ଗ: ପ୍ରଭାବିତଙ୍କୁ ପକ୍ଷଭୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

niyama-giriଭୁବନେଶ୍ୱର: ନିୟମଗିରିରୁ ଖଣି ଖନନ ମାମଲାରେ ସମସ୍ତ ଆଦିବାସୀ ଓ ପ୍ରଭାବିତଙ୍କୁ ପକ୍ଷଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିୟମଗିରି ଖଣି ଖନନରେ କ୍ଷତିଗ୍ରସ୍ତ ଏବଂ ଇଚ୍ଛୁକ ପକ୍ଷଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏକ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ନିୟମଗିରିରେ ଖଣି ଖନନ କରିବାକୁ ରାଜ୍ୟ ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ସେଥିପାଇଁ ସେଠାରେ ଆଉ ଥରେ ଗ୍ରାମସଭା କରିବାକୁ ରାଜ୍ୟ ସରକାର ଗତ ଫେବୃୟାରୀ ମାସରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।  ସେହିପରି ଗତ ମାର୍ଚ୍ଚ ୧ରେ ରାଜ୍ୟ ସରକାର ପୁଣି ଥରେ ଏ ମାମଲାରେ ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏଥିରେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇ ଥିଲେ ଯେ, ଜଙ୍ଗଲ ଅଧିକାର ଆଇନ ଓ ତା’ର ନିୟମ ଅନୁସାରେ ଜଙ୍ଗଲ ଜମି ବ୍ୟବହାର ପାଇଁ ଗ୍ରାମସଭାର ସହମତିର ଆବଶ୍ୟକତା ନାହିଁ। ପୂର୍ବରୁ ହୋଇଥିବା ୧୨ଟି ଗ୍ରାମସଭାରେ ତ୍ରୁଟି ଥିବା ରାଜ୍ୟ ସରକାର କହିଥିଲେ।

୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିୟମଗିରି ଅଞ୍ଚଳରେ ୧୨ଟି ଗ୍ରାମସଭା ହୋଇଥିଲା। ତେବେ ନିୟମଗିରିରୁ ଖଣି ଖନନ ହେଲେ ସେମାନଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସମସ୍ତ ୧୨ଟି ଯାକ ଗ୍ରାମସଭାରେ ମତ ପ୍ରକାଶ ପାଇଥିଲା। ଏହା ଆଧାରରେ ନିୟମଗିରିରୁ ବକ୍ସାଇଟ୍‌ ଖଣି ଖନନ ପାଇଁ ଅନୁମତି ଦେବାକୁ ବେଦାନ୍ତକୁ ମନା କରି ଦେଇଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ।

ଅନ୍ୟପକ୍ଷରେ ନିୟମଗିରିରେ ଖଣି ଖନନ କରିବା ନେଇ ରାଜ୍ୟ ସରକାରଙ୍କ ପୁନଃ ଉଦ୍ୟମକୁ ନିୟମଗିରି ସୁରକ୍ଷା ସଂଗ୍ରାମ ସମିତି ସମାଲୋଚନା କରିଛି। ଗତ ମାର୍ଚ୍ଚ ୮ ତାରିଖରେ ନିୟମଗିରି ସୁରକ୍ଷା ସଂଗ୍ରାମ ସମିତିର ସଭାପତି ଲଦ ସିକ୍‌କା କହିଥିଲେ,“ଏବେ ସରକାର ଚାହୁଁଛନ୍ତି ନିୟମଗିରିରେ ଖଣି ଖନନ କରଯାଉ। ଏହାକୁ ଆମେ ଡଙ୍ଗରିଆ କନ୍ଧ ବିରୋଧ କରୁଛୁ। କୋର୍ଟ ଆମ ସପକ୍ଷରେ ରାୟ ଦିଅନ୍ତୁ କି ବିପକ୍ଷରେ, ଆମେ କିନ୍ତୁ ଖଣି ଖନନକୁ ବିରୋଧ କରିବୁ। ଆମ ଡଙ୍ଗର ରାଜାକୁ ଖିନ୍‌ଭୀନ୍‌ କରିବାକୁ ଦେବୁ ନାହିଁ। ଆଦିବାସୀମାନେ ଜୀବନ ଦେଇ ଡଙ୍ଗରକୁ ରକ୍ଷା କରିବେ।”