ସଚିବାଳୟରେ ସବୁ ବିଭାଗରେ ନାହିଁ ମହିଳାମାନଙ୍କ ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି

ଭୁବନେଶ୍ୱର: କର୍ମକ୍ଷେତ୍ରରେ ମହିଳାଙ୍କୁ ସେକ୍ସୁଆଲ୍ ହାରାସମେଣ୍ଟ ବା ଯୌନ ଉତ୍ପୀଡ଼ନ ବନ୍ଦ ପାଇଁ ବିଭିନ୍ନ ବିଭାଗରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କରିବା ପାଇଁ ୩ ବର୍ଷ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି କମିଟିରେ ଜଣେ ବେସରକାରୀ ଅନୁଷ୍ଠାନର ସଦସ୍ୟ ରଖିବାକୁ ବି କୁହାଯାଇଥିଲା। ତେବେ ପ୍ରକୃତରେ ଏହି ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି?  ସଚିବାଳୟରେ ଏହାର ବାସ୍ତବତା ପରିଖିଥିଲା ‘ଓଟିଭି’।

‘ଓଟିଭି’ର ଏକ୍ସକ୍ଲୁସିଭ୍ ରିପୋର୍ଟ ଅନୁସାରେ ଗତ କିଛି ଦିନ ତଳେ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ବିରୋଧରେ ଆସିଥିଲା ସେକ୍ସୁଆଲ୍ ହାରାସମେଣ୍ଟ ଭଳି ସଙ୍ଗୀନ ଅଭିଯୋଗ। ମହିଳା ଓଏଏସଙ୍କୁ ହ୍ୱାଟସ୍ ଆପରେ ଅଶ୍ଲୀଳ ଭିଡିଓ ପଠାଇଥିବା ଅଭିଯୋଗରେ ଗିରଫ ହୋଇଥିଲେ ଏହି ଅଧିକାରୀ। ଏହି ମହିଳା ଅଧିକାରୀ ଥିଲେ ମହିଳା ଶିଶୁ କଲ୍ୟାଣ ବିଭାଗର ଶିଶୁ ସୁରକ୍ଷା ସେଲର ଜଣେ ଅଧିକାରୀ। କିନ୍ତୁ ସାମନାକୁ ସେ ଆସି ନ ଥିଲେ। ଏହି ଘଟଣାର ପ୍ରାୟ ୩ ମାସ ପରେ ଆଭ୍ୟନ୍ତରୀଣ ଯୌନ ଉତ୍ପୀଡନ ସେଲ୍ ଗଠନ ପାଇଁ ୧୦ଟି ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ। ସେଗୁଡିକ ମଧ୍ୟରେ ରହିଛି ଉଚ୍ଚଶିକ୍ଷା, ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଶିଳ୍ପ, ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ।

ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଆରପି ସିଂହ କହିଛନ୍ତି, ୨୦୧୩ରେ ସବୁ ବିଭାଗକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବା ବା ଲାଗୁ କରିବା ନେଇ ଅବଗତ କରାଯାଇଥିଲା। ଏହା ଭିତରେ କିଛି ବିଭାଗରେ ଏହା ଲାଗୁ ହୋଇଛି। ଯେଉଁ ବିଭାଗ ନିକଟରେ ଚିଠି ପହଞ୍ଚି ନ ଥିଲା, ସେହି ବିଭାଗଗୁଡ଼ିକୁ ପୁଣି ଥରେ ଚିଠି କରାଯିବା ସହ ଏପର୍ଯ୍ୟନ୍ତ ସ୍ଥିତି କ’ଣ ରହିଛି, ସେ ନେଇ ଷ୍ଟାଟସ୍ ରିପୋର୍ଟ ମଗାଯାଇଛି।

ମିଳିଥିବା ସୂଚନା ମୁତାବକ ୨୦୧୩ ନଭେମ୍ୱର ଓ ଡିସେମ୍ୱରରେ ମଧ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଏନେଇ ସବୁ ବିଭାଗକୁ ଅବଗତ କରିଥିଲେ। ୧୭ଟି ବିଭାଗ ଆଭ୍ୟନ୍ତରୀଣ କମିଟି ଗଠନ କରିଛନ୍ତି। ତେବେ ନିୟମ ଅନୁସାରେ ଏହି କମିଟିରେ ଜଣେ ଜଣେ ବେସରକାରୀ ଅନୁଷ୍ଠାନର ସଦସ୍ୟ ରହିବା ବ୍ୟବସ୍ଥା ଥିଲେ ବି ୧୫ଟି ବିଭାଗ ଏହା ପାଳନ କରିନାହାନ୍ତି। କେବଳ ଜଳ ସଂପଦ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଏହା ପାଳନ କରିଛନ୍ତି। କମିଟିରେ ଏନଜିଓ ସଦସ୍ୟଙ୍କୁ ରଖିବାକୁ କହିଛି ମହିଳା ଓ ଶିଶୁକଲ୍ୟାଣ ବିଭାଗ। ଏହା ସହ ୧୨ ଟି ବିଭାଗକୁ କୁହାଯାଇଛି ଅଧ୍ୟକ୍ଷଙ୍କ ନାଁକୁ ପରିବର୍ତ୍ତନ କରି ପ୍ରିଜାଇଡିଂ ଅଫିସର୍ କରିବାକୁ।

ଏନେଇ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ନମ୍ରତା ଚଢ଼ା କହିଛନ୍ତି ଯେ, କର୍ମଜୀବୀ ମହିଳାମାନଙ୍କ ପ୍ରତି ବିଭିନ୍ନ ବିଭାଗର ଉଦାସୀନତା ରହିଛି। କର୍ମଜୀବୀ ମହିଳାମାନଙ୍କର ସୁରକ୍ଷା ଓ ସ୍ୱାଧୀନତା ପାଇଁ ଅଭିଯୋଗ କମିଟି ରହିବା ଉଚିତ୍। ଏହାଦ୍ୱାରା ମହିଳାମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବ। ଯଦି କିଛି ଅସୁବିଧା ହୁଏ ତେବେ ତା’ର ତଦନ୍ତ ହୋଇପାରିବ।

ଆଭ୍ୟନ୍ତରୀଣ କମିଟି ଗଠନ କରି ନ ଥିବା କିଛି ବିଭାଗର ସଚିବଙ୍କୁ ଓଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ତେବେ କମିଟି ଗଢ଼ା ହୋଇଥିବା କହି ପ୍ରତିକ୍ରିୟାକୁ ଏଡ଼ାଇ ଯାଇଥିଲେ କିଛି ବରିଷ୍ଠ କର୍ମଚାରୀ।