ବାରିପଦାରେ ମୁନ୍ନା ଭାଇ ଏମ୍‌ବିବିଏସ୍‌ ତିଆରି କରା ନ ଯାଉ: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ତେର୍ଚ୍ଛା ବାଣ

ଭୁବନେଶ୍ୱର: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଆବଶ୍ୟକତା ପୂରଣ କରାଯାଇ ଯୋଗ୍ୟ ଡାକ୍ତର ସୃଷ୍ଟି କରାଯାଉ। ମୁନ୍ନାଇ ଭାଇ ଏମ୍‌ବିବିଏସ୍‌ ତିଆରି କରା ନ ଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“ରାଜ୍ୟ ସରକାର ନିଜ ଦୋଷ ଓ ଦୁର୍ବଳତା ଲୋଚାଇବା ପାଇଁ ଭାରତ ସରକାରଙ୍କୁ ଗାଳି ଦେଉଛନ୍ତି। ଯଦି ମେଡ଼ିକାଲ କାଲେଜର କାଗଜପତ୍ର ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରି ଗାଳି ଦିଅନ୍ତେ ତାହାହେଲେ ୧୦ ଥର ଗାଳି ଶୁଣିବାକୁ ରାଜି। କିନ୍ତୁ ରାଜ୍ୟ ସରକାର ସେହି ମେଡ଼ିକାଲ କଲେଜରୁ ଡାକ୍ତର ତିଆରି କରନ୍ତୁ।”

ସେ କହିଛନ୍ତି,“ମେଡ଼ିକାଲ କଲେଜକୁ ନେଇ ରାଜ୍ୟ ସରକାର ରାଜନୀତି କରନ୍ତୁ, ସେଥିରେ ମୋର କିଛି କହିବାର ନାହିଁ। କିନ୍ତୁ ପ୍ରଥମେ ମେଡ଼ିକାଲ କଲେଜର ଆବଶ୍ୟକତା ଓ କାଗଜପତ୍ର ଠିକ୍‌ କରନ୍ତୁ।”

ଏହାର ଜବାବ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରତାପ ଜେନା କହିଛନ୍ତି,“ବାରିପଦା ମେଡିକାଲ କଲେଜର ଦାୟିତ୍ୱ ରାଜ୍ୟ ସରକାରଙ୍କର। କେନ୍ଦ୍ରମନ୍ତ୍ରୀ ଏହାକୁ ଘରୋଇ କଲେଜ ସହ ତୁଳନା କରିବା ଉଚିତ ନୁହେଁ। ରାଜ୍ୟ ସୁପ୍ରିମକୋର୍ଟ ଯାଇ କଲେଜ ପାଇଁ ଅନୁମତି ଆଣିଛନ୍ତି। ଅନୁମତି ଆଣିବା ପରେ ଧର୍ମେନ୍ଦ୍ର ଈର୍ଷାରେ ଜଳୁଛନ୍ତି।”