ଏପ୍ରିଲ ୩୦ ଯାଏଁ ରାଜ୍ୟରେ ହେବ ନାହିଁ ବିଦ୍ୟୁତ କାଟ୍

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସ ୩୦ ତାରିଖ ଯାଏଁ ରାଜ୍ୟରେ ହେବ ନାହିଁ ବିଦ୍ୟୁତ କାଟ୍। ପିଲାଙ୍କ ପାଠପଢା ଓ ପରୀକ୍ଷା ଦୃଷ୍ଟି ରାଜ୍ୟ ସରକାର ଗୁରୁବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଅପରାହ୍ଣରେ ସଚିବାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଛି। ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି।

ଶକ୍ତି ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାୱାର କଟ୍ ହେବ ନା ନାହିଁ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଆକ୍ସନ୍ ପ୍ଲାନ୍ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ସଂରକ୍ଷିତ ଜଳ, ପାୱାର ବ୍ୟାଙ୍କିଂ ମାଧ୍ୟମରେ ବିଦ୍ୟୁତ୍ ପରିଚାଳନା କରାଯିବ। ପଞ୍ଜାବ ଓ ଦିଲ୍ଲୀରୁ ୪ଶହ ମେଗାୱାଟ୍ ବିଜୁଳି ବ୍ୟାଙ୍କିଂ ମାଧ୍ୟମରେ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏନେଇ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଏବେ ବିଦ୍ୟୁତ୍ କିଣା ଯାଉ ନାହିଁ। ପାୱାର ବ୍ୟାଙ୍କିଂରେ ଅଣାଯାଉଛି। ପଞ୍ଜାବ ୪୬ ମେଗାୱାଟ ବିଦ୍ୟୁତ ଓଡ଼ିଶାଠାରୁ ନେଇଥିଲା। ଓଡ଼ିଶାକୁ ଏହି ବିଦ୍ୟୁତ ମାର୍ଚ୍ଚ-ଏପ୍ରିଲରେ ଫେରାଇବେ ପଞ୍ଜାବ। ଓଡ଼ିଶା ପଞ୍ଜାବଠାରୁ ୨୦୦ ମେଗାୱାଟ ନେଇଥିଲା। ଆଉ ୨୦୦ ମେଗାୱାଟ ପଞ୍ଜାବ ଠାରୁ ପିକ୍ ଆୱାରରେ ଆଣିବ। ତେଣୁ ଏପ୍ରିଲ ୩୦ ଯାଏଁ ବିଦ୍ୟୁତ କାଟ ହେବ ନାହିଁ ବୋଲି ସେ କହିଛନ୍ତି।