ଜୀବନ ହାରିଲେ ଆଉ ଦୁଇ ଚାଷୀ; ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ୍

ଭୁବନେଶ୍ୱର/ନୂଆପଡ଼ା/ବରଗଡ଼: ରାଜ୍ୟରେ ଫସଲହାନୀ ଜନିତ ଚାଷୀ ଆତ୍ମହତ୍ୟା ଧାରା ଅବ୍ୟାହତ ରହିଛି। ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଣେ ଚାଷୀ ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବରଗଡ଼ ଜିଲ୍ଲାର। ନୂଆପଡ଼ାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଧରମୁଧର ଅଦା। ତାଙ୍କ ଘର ଜିଲ୍ଲାର ବୋଡେନ୍ ଥାନା ଅନ୍ତର୍ଗତ ଖିରମାଲ ଗାଁରେ। ସେ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।   କପା ଫସଲ ନଷ୍ଟ ହୋଇଯିବା […]

nuapada and baragard farmer dead

nuapada and baragard farmer dead

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 01:54 PM IST

Sports

Latest News

nuapada and baragard farmer deadଭୁବନେଶ୍ୱର/ନୂଆପଡ଼ା/ବରଗଡ଼: ରାଜ୍ୟରେ ଫସଲହାନୀ ଜନିତ ଚାଷୀ ଆତ୍ମହତ୍ୟା ଧାରା ଅବ୍ୟାହତ ରହିଛି। ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଣେ ଚାଷୀ ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବରଗଡ଼ ଜିଲ୍ଲାର।

ନୂଆପଡ଼ାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଧରମୁଧର ଅଦା। ତାଙ୍କ ଘର ଜିଲ୍ଲାର ବୋଡେନ୍ ଥାନା ଅନ୍ତର୍ଗତ ଖିରମାଲ ଗାଁରେ। ସେ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।   କପା ଫସଲ ନଷ୍ଟ ହୋଇଯିବା ଯୋଗୁଁ ମାନସିକ ଦୁଃଶ୍ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଧରମୁଧର ୩ ଏକର ଜମିରେ କପା ଫସଲ କରିଥିଲେ। ତା’ସହିତ ୫ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ଉଭୟ କପା ଓ ଧାନ ଫସଲ ଉଜୁଡି ଯାଇଛି। ଚାଷ ପାଇଁ ସେ ବିଭିନ୍ନ ଲୋକଙ୍କଠାରୁ ୪୦ ରୁ ୫୦ ହଜାର ଟଙ୍କା ଧାର କରିଥିଲେ। ତେବେ ଚାଷ ଉଜୁଡି ଯାଇଥିବା ଯୋଗୁଁ ଋଣ ଶୁଝିବା ନେଇ ସେ ବେଶ୍ କିଛି ଦିନ ହେଲାଣି ଚିନ୍ତିତ ଥିଲେ। ଆଜି ସକାଳେ ଫସଲରେ କୀଟନାଶକ ସିଞ୍ଚନ କରିବାକୁ ସେ ବିଲକୁ ଯାଇଥିଲେ। କିନ୍ତୁ ସେଠାରେ ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଲ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଧରମୁଧରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଓ  ଗାଁ ଲୋକେ ଖଡ଼ିଆଲ୍ ମିଶନ ଡାକ୍ତରଖାନା ସମ୍ମୁଖରେ ଜାତୀୟ ରାଜପଥ ଉପରେ ରାସ୍ତାରୋକ କରିଥିଲେ।

ସେହିପରି ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ମଗଶୀର ମାଝୀ। ତାଙ୍କ ଘର ଜିଲ୍ଲାର ଭଟଲୀ ବ୍ଲକ୍ ଅନ୍ତର୍ଗତ ଟୁକୁଲା ଗାଁରେ। ଧାନ ଚାଷ ଉଜୁଡ଼ି ଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମଗଶୀର ମାଝୀଙ୍କ ପୁଅ ଭୀମ କହିଛନ୍ତି ଯେ ଚାଷ ପାଇଁ ତାଙ୍କ ବାପା ବିଭିନ୍ନ ସୂତ୍ରରୁ ପ୍ରାୟ ଲକ୍ଷେ ଟଙ୍କା କରଜ କରିଥିଲେ। ତେବେ ବର୍ଷା ଅଭାବରୁ ଧାନ ଫସଲ ଉଜୁଡ଼ି ଯାଇଥିଲା। ତେଣୁ ସେ ଚିନ୍ତିତ ରହୁଥିଲେ। ଆଜି ସେ ବିଷ ପିଇ ଦେଇଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହା ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଅଭିମନ୍ୟୁ ବଳିୟାର ସିଂହ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଚାଷ ପାଇଁ ଋଣଗ୍ରସ୍ତ ହୋଇ ସେ ଜୀବନ ହାରି ଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିମନ୍ୟୁ ବୋଲଗଡ ବ୍ଲକର ସଲତରା ମିନି ବ୍ୟାଙ୍କ ଏବଂ ଧଳାପଥର ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ କରିଥିଲେ। ଗୋଟିଏ ପଟେ ଋଣ ବୋଝ ଏବଂ ଅନ୍ୟପଟେ ଧାନ ଫସଲ ଉଜୁଡି ଯିବା ପରେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ ଶରତଚନ୍ଦ୍ର ବଳିୟାରସିଂହ କହିଥିଲେ।

ତା’ପୂର୍ବରୁ ୧୦ ତାରିଖ ଦିନ ସମ୍ବଲପୁର ଜିଲ୍ଲା  ଯୁଯୁମରା ଥାନା ଅନ୍ତର୍ଗତ ଝରଝରି ଗାଁରେ ସନାତନ ମିର୍ଦ୍ଧା ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଅକ୍ଟୋବର ୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ।  ଋଣ ଶୁଝି ନପାରି ସେ ଆତ୍ମହତ୍ୟା କରିଥିଲେ। ଭକ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ସ୍ୱାମୀ ବ୍ୟାଙ୍କରୁ ୧୧ ପ୍ରତିଶତ ସୁଧ ହାରରେ ୧୭ହଜାର ଟଙ୍କା ଋଣ ଆଣିଥିଲେ। ଏହି ଟଙ୍କାରେ ସେ ଏକ ପାଣି ପମ୍ପ୍ କିଣିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସେ ଋଣ ଶୁଝି ପାରି ନଥିଲେ। ତେଣୁ ବ୍ୟାଙ୍କ ପକ୍ଷରୁ ନୋଟିସ୍ ପଠାଯାଇଥିଲା।  ଏପଟେ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କର ଚାରି ଏକର ମଧ୍ୟରୁ ସର୍ବାଧିକ ଭାଗ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଏସବୁ ଘଟଣାକୁ ନେଇ ଭକ୍ତ ମାନସିକ ଭାରସାମ୍ୟ ହରାଇଥିଲେ। ଆଉ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଥିବା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମଙ୍ଗଳବାର କମିଶନ୍ ଏନେଇ ରାଜ୍ୟ ରାଜସ୍ୱ ସଚିବ ଓ କୃଷି ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos