ତଦନ୍ତ ପ୍ରତିଶ୍ରୁତି ପରେ ଜ୍ୟୋତିପ୍ରକାଶଙ୍କ ମରଶରୀରକୁ ଗ୍ରହଣ କଲେ ପରିବାର ଲୋକ

ଯାଜପୁର: ପଶ୍ଚିମବଙ୍ଗ ସିଲିଗୁଡ଼ିରେ ମୃତ ଓଡ଼ିଆ ବିଏସ୍‌ଏଫ୍ ଯବାନ ଜ୍ୟୋତିପ୍ରକାଶଙ୍କ ମରଶରୀର ବୁଧବାର ତାଙ୍କ ପୈତୃକ ଗାଁ ଯାଜପୁରର ଚଣ୍ଡିପୁରରେ ପହଞ୍ଚିଛି। ହେଲେ ଜ୍ୟୋତିପ୍ରକାଶଙ୍କ ମୃତଦେହକୁ  ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ଥିଲେ।  ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ସେମାନେ ତାଙ୍କ ମରଶରୀରକୁ ଗ୍ରହଣ କରି ନ ଥିଲେ। ଏ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବ ଯାଏଁ ସେମାନେ ମରଶରୀର ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରି ଥିଲେ। ତେବେ ଉପ ଜିଲ୍ଲାପାଳ ତଦନ୍ତ ନେଇ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଜ୍ୟୋତିପ୍ରକାଶଙ୍କ ମରଶରୀରକୁ ଗ୍ରହଣ କରିଥିଲେ।

ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଅନ୍ତିମସଂସ୍କାର ପାଇଁ ନିଆଯାଇଥିଲା।

ମୃତ ଯବାନଙ୍କ ବେକରେ ଗୁଳି ବାଜିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପରିବାର ଲୋକେଏହାକୁ ଗ୍ରହଣ କରୁନାହାନ୍ତି।