ଓଡ଼ିଶା ବନ୍ଦ ସଫଳ; ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ: ପ୍ରସାଦ

congress4ଭୁବନେଶ୍ୱର: “କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛୁ। ବନ୍ଦ ବେଳେ ସାଧାରଣ ଲୋକେ ହଇରାଣ ହୋଇଥିବାରୁ ଆମେ ଦୁଃଖିତ” ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି, “ବନ୍ଦ ପାଳନ ପାଇଁ ସାଂଗଠନିକ ପ୍ରସ୍ତୁତି କରିବାକୁ ସମୟ ମିଳି ନ ଥିଲା। ନିଷ୍ଠାପର ଉଦ୍ୟମରେ ଏହି ବନ୍ଦ ସଫଳ ହୋଇଛି। ଏହାର ଶ୍ରେୟ ରାଜ୍ୟବାସୀଙ୍କର। ସବୁ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ। ଛତିଶଗଡ଼ର ବିଜେପି ସରକାର ଓ ଓଡ଼ିଶାର ବିଜେଡି ସରକାରଙ୍କ ପାଇଁ ଏହି ବନ୍ଦ ପାଳନ ଏକ ଚେତାବନୀ। ଏହାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା। ସରକାର ପୋଲିସ ସହାୟତାରେ କଂଗ୍ରେସ କର୍ମୀଙ୍କ ଉପରେ ଜୁଲମ୍‌ କରିଛି। ଏହା ସତ୍ତ୍ୱେ ବନ୍ଦ ପାଳନ ସଫଳ ହୋଇଛି।”

ସେ କହିଛନ୍ତି, “ବନ୍ଦ ପାଳନ ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଉପୁଜି ଥିଲା। ଏହା ସାଧାରଣ ଲୋକଙ୍କର ସରକାର ବିରୋଧରେ ଥିବା ଅସନ୍ତୋଷର ପ୍ରତିଫଳନ। ୩୫୦୦ରୁ ଅଧିକ କଂଗ୍ରେସ କର୍ମୀ ବନ୍ଦ ପାଳନ ବେଳେ ଗିରଫ ହୋଇଛନ୍ତି। ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ଏ ଲଢେଇ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ। ଓଡ଼ିଶା ହକ୍‌ର ଏକ ବୁନ୍ଦା ମହାନଦୀ ପାଣି ପାଇଁ କଂଗ୍ରେସର ସଂଗ୍ରାମ ଜାରି ରହିବ।”

ବନ୍ଦ ପାଳନରେ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଯେଉଁ ଉଦ୍ଦେଶ୍ୟରେ ବନ୍ଦ ଡାକରା ଦିଆଯାଇଥିଲା ତାହା ସଫଳ ହୋଇଛି। ଓଡ଼ିଶାର ସ୍ୱାର୍ଥ ରକ୍ଷା କରାଯିବା ଆମ ସମସ୍ତଙ୍କ ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଯାହା କିଛି କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି କଂଗ୍ରେସ ଦଳ ତାହା କରିବ। ଆମେ ଆଶା କରୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଚେଷ୍ଟା କରିବେ।”

ବିଜେଡି କହିଛି ବନ୍ଦର କିଛି ପ୍ରଭାବ ପଡ଼ିନାହିଁ। ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “କିଛି ସ୍ଥାନରେ ଲୋକେ ଭୟରେ ଦୋକାନ ବଜାର, ଗାଡ଼ି ମୋଟର ବନ୍ଦ କରିଛନ୍ତି। ସମସ୍ତଙ୍କର ନିଜ ସମ୍ପତ୍ତି ସୁରକ୍ଷା କରିବାର ଚିନ୍ତା ରହିଛି। ଏହି ଭୟରେ ସହରାଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି, କିନ୍ତୁ ଗ୍ରାମାଞ୍ଚଳରେ ବନ୍ଦର ପ୍ରଭାବ ଆଦୌ ପଡ଼ିନାହିଁ।”

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ନିଜ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ଲୋକଙ୍କ ଆଗରେ ଘଣ୍ଟ ଘୋଡାଇବା ପାଇଁ କଂଗ୍ରେସ ଏହି ବନ୍ଦ ଡାକରା ଦେଇଥିଲା। ରାଜ୍ୟର ସ୍ୱାର୍ଥ ସେମାନଙ୍କ ପାଇଁ ଦ୍ୱିତୀୟ କଥା। କଂଗ୍ରେସ ନିଜ ଦଳର ଗୋଷ୍ଠୀ କନ୍ଦଳ ମଧ୍ୟରେ ଛନ୍ଦି ହୋଇଯାଇଛି। ଆମେ ଏକାଠି ଅଛୁ ବୋଲି ଦେଖାଇ ହେବାକୁ ଏପରି ବନ୍ଦ ଡାକରା ଦେଇ ଲୋକଙ୍କୁ ସମସ୍ୟାରେ ପକାଉଛି।”

କଂଗ୍ରେସର ଓଡ଼ିଶା ବନ୍ଦକୁ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରି ବ୍ରିଜମୋହନ ଅଗ୍ରୱାଲ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୀତି ଚାଲିଛି। ସେମାନେ ସମସ୍ୟାର ସମାଧାନ ଚାହୁଁନାହାନ୍ତି। ମହାନଦୀ ସମସ୍ୟାରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି।”